ଅଭିନେତାଙ୍କୁ ଭିଆଇପି ସୁବିଧା: ୭ ଜେଲ୍‌ ଅଧିକାରୀ ସସ୍‌ପେଣ୍ଡ

add-all

ବେଙ୍ଗାଲୁରୁ : ଜେଲ୍ ଭିତରେ କନ୍ନଡ ଅଭିନେତା ଦର୍ଶନଙ୍କୁ ମିଳୁଛି ଭିଆଇପି ସୁବିଧା। ଏହାର ଫଟୋ ଓ ଭିଡିଓ ଭାଇରାଲ ହେବା ପରେ ଆକ୍ସନ ମୁଡ୍‌କୁ ଆସିଛନ୍ତି କର୍ଣ୍ଣାଟକ ସରକାର। ଏହି ମାମଲାରେ ୭ ଜେଲ୍‌ ଅଧିକାରୀଙ୍କୁ ସସ୍‌ପେଣ୍ଡ କରାଯାଇଛି।
ଗତକାଲି ହତ୍ୟା ମାମଲରେ ଜେଲ୍‌ରେ ଥିବା କନ୍ନଡ ଅଭିନେତାଙ୍କ ଏକ ଫଟୋ ଭାଇରାଲ ହୋଇଥିଲା। ସେ ଜେଲ୍‌ ଭିତରେ ଅନ୍ୟ କିଛି ସାଥୀଙ୍କ ସହ ଏକ ବଗିଚାରେ ବସି ହାତରେ ସିଗାରେଟ୍‌ ଓ କପ୍‌ ଧରିଥିବା ନଜର ଆସିଥିଲେ। ତେବେ ଏହାର ଦିନକ ପରେ ଜେଲ୍‌ ଭିତରୁ ପୁଣି ତାଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ସେ ଫୋନ୍‌ରେ ଭିଡିଓ କଲ୍‌ରେ କଥା ହେଉଥିବା ନଜର ଆସିଥିଲେ। ଏହି ଭିଡିଓ ଭାଇରାଲ ହେବା ପରେ କର୍ଣ୍ଣାଟକ ସରକାର ବରିଷ୍ଠ ଅଧିକାରୀଙ୍କୁ ସମନ ଜାରି କରିଥିଲେ। ଏଥିସହ ତଦନ୍ତ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ। ତଦନ୍ତ ପରେ ୭ ଜଣ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି।
କର୍ଣ୍ଣାଟକ ଗୃହମନ୍ତ୍ରୀ କହିଛନ୍ତି, ‘ମୁଁ ଗତକାଲି ସନ୍ଧ୍ୟା ସାଢ଼େ ୪ଟାରେ ଜେଲ୍‌ ଭିତରେ ଦର୍ଶନ ଏବଂ ୩ ଜଣ ଲୋକ ଚା’ ପିଇ ବିଶ୍ରାମ ନେଉଥିବା ସୂଚନା ପାଇଥିଲି। ଏହାପରେ ମୁଁ ଡିଜି ଜେଲ ସହିତ କଥା ହୋଇ ଘଟଣାସ୍ଥଳକୁ ଅଧିକାରୀଙ୍କୁ ପଠାଇଥିଲି। ବିଳମ୍ବିତ ରାତି ପର୍ଯ୍ୟନ୍ତ ଏହି ଘଟଣାର ଯାଞ୍ଚ କରାଯାଇଥିଲା। ଯାଞ୍ଚ ପରେ ଏହି ମାମଲାରେ ୭ ଜଣ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି।’
ଜେଲ୍‌ ଅଧିକ୍ଷକ ଭଳି ବରିଷ୍ଠ ଅଧିକାରୀଙ୍କୁ ମଧ୍ୟ ବଦଳି କରାଯିବ। ଏହି ଘଟଣା ଘଟିବା ଉଚିତ୍ ନୁହେଁ। ଆମେ କ୍ୟାମେରା, ସିସିଟିଭି ଏବଂ ଜାମର ଲଗାଇଛୁ। ଏହା ସତ୍ତ୍ୱେ ବି ଏଭଳି ଘଟଣା ଘଟିଲା ବୋଲି ଗୃହମନ୍ତ୍ରୀ କହିଛନ୍ତି।
କହିରଖୁ ଯେ, ୩୩ ବର୍ଷୀୟ ଅଟୋ ଚାଳକ ରେଣୁକାସ୍ୱାମୀ ହତ୍ୟା ମାମଲାରେ ଗିରଫ ହୋଇଥିବା ୧୭ ଜଣଙ୍କ ମଧ୍ୟରେ ଅଭିନେତା ଦର୍ଶନ ଏବଂ ପାବିତ୍ରା ଗୌଡା ଅଛନ୍ତି। ଜୁନ୍ ୯ରେ ବେଙ୍ଗାଲୁରୁର ଏକ ଡ୍ରେନ୍‌ରୁ କନ୍ନଡ ଅଭିନେତାଙ୍କ ପ୍ରଶଂସକ ରେଣୁକାସ୍ୱାମୀଙ୍କ ସନ୍ଦିଗ୍ଧ ଅବସ୍ଥାରେ ମୃତଦେହ ମିଳିଥିଲା।
ପୁଲିସର ସୂଚନାନୁସାରେ, ଅଭିନେତାଙ୍କ ନିର୍ଦ୍ଦେଶରେ ରେଣୁକସ୍ୱାମୀଙ୍କୁ ଏକ ଗ୍ୟାଙ୍ଗ ଅପହରଣ କରି ହତ୍ୟା କରିଥିଲେ। ​​କାରଣ ସେ ସୋଶାଲ ମିଡିଆରେ ଅଭିନେତ୍ରୀ ପାବିତ୍ରା ଗୌଡାଙ୍କୁ ଅଶ୍ଳୀଳ ମେସେଜ ପଠାଇଥିବା ଅଭିଯୋଗ ହୋଇଥିଲା। ପାବିତ୍ରା ଗୌଡା ଅଭିନେତା ଦର୍ଶନଙ୍କ ସାଥୀ ଅଟନ୍ତି। ଉଭୟ ରିଲେସନଶିପରେ ଥିବା କୁହାଯାଉଛି।
ଏହି ମାମଲାରେ ଅଗଷ୍ଟ ୨୧ ତାରିଖରେ ବେଙ୍ଗାଲୁରୁର ଏକ କୋର୍ଟ ଦର୍ଶନ, ପବିତ୍ରା ଓ ଅନ୍ୟ ଅଭିଯୁକ୍ତମାନଙ୍କର ବିଚାର ବିଭାଗୀୟ ହାଜତ ମିଆଦି ଅଗଷ୍ଟ ୨୮ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି। ଅଭିନେତା ଦର୍ଶନ ଏବେ ବେଙ୍ଗାଲୁରୁର ପରପ୍ପନା ଅଗ୍ରହାର ସେଣ୍ଟ୍ରାଲ ଜେଲ୍‌ରେ ଅଛନ୍ତି।

ad-week
Leave A Reply

Your email address will not be published.