ମାଲକାନଗିରି : ମାଲକାନଗିରି ଜିଲ୍ଲା ବାଲିମେଳା ସହରରେ ଗତକାଲି ମଧ୍ୟରାତ୍ରୀରେ ଏକ ଦୁଃଖଦ ଘଟଣା ଘଟିଥିବା ଦେଖିବାକୁ ମିଳିଛି । ପରିବାର ଲୋକଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ ବାଲିମେଳା ସହରର ଏନ ଏ ସି କାର୍ଯ୍ୟାଳୟ ସମ୍ମୁଖ ସାହିରେ ରହୁଥିବା ପୂର୍ଣ୍ଣଚନ୍ଦ୍ର ଜେନାଙ୍କ ୬ ବର୍ଷର ପୁଅ ଧରବେନ୍ଦ୍ର ତାଙ୍କ ମାଆ ଗୀତା ଓ ସାନ ଭାଇଙ୍କ ସହ ନିଜ ଘରେ ତଳେ ବିଛଣା ପାରି ସୋଇଥିଲେ । ମଧ୍ୟରାତ୍ରୀ ପ୍ରାୟ ୨ ଟା ସମୟରେ ଏକ ବିଷାକ୍ତ ସାପ ଧରବେନ୍ଦ୍ରଙ୍କ ଡାହାଣ କାନକୁ କାମୁଡି ଦେଇଥିଲା । ସାପ କାମୁଡିଥିବା ଜାଣିପାରି ଧରବେନ୍ଦ୍ର ସଙ୍ଗେ ସଙ୍ଗେ ପରିବାର ଲୋକଙ୍କୁ କହିଥିଲା । ପରିବାର ଲୋକେ କାମୁଡିଥିବା ସାପକୁ ଉକ୍ତ କୋଠରୀରୁ କାବୁ କରି ନେଇଥିଲେ । ଚିକତ୍ସା ପାଇଁ ଏକ ଅଟୋ ଯୋଗେ ଧରବେନ୍ଦ୍ରକୁ ବାଲିମେଳା ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କର ପ୍ରାଥମିକ ଚିକିତ୍ସା କରିଥିଲେ । ହେଲେ ଧରବେନ୍ଦ୍ରଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ତାଙ୍କୁ ଉଚ୍ଚ ଚିକତ୍ସା ନିମନ୍ତେ ମାଲକାନଗିରି ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇ ଦେଇଥିଲେ । ରୋଗୀକୁ ଚିକତ୍ସା ପାଇଁ ନେବା ପାଇଁ ପରିବାର ଲୋକେ ବାରମ୍ବାର ୧୦୮ ଆମ୍ବୁଲାନ୍ସକୁ ଆସିବା ପାଇଁ ଯୋଗାଯୋଗ କରିଥଲେ ହେଲେ ଆମ୍ବୁଲାନ୍ସ ନ ଆସିବାରୁ ପରିବାର ଲୋକ ଶେଷରେ ବାଧ୍ୟ ହୋଇ ତାଙ୍କୁ ଅଟୋ ଯୋଗେ ମାଲକାନଗିରି ନେଉଥିଲେ ।
ଅଧା ବାଟରେ ଅର୍ଥାତ ତାର୍ଲାକୋଟା ନିକଟରେ ଆମ୍ବୁଲାନ୍ସ ପହଞ୍ଚିବା ପରେ ଧରବେନ୍ଦ୍ରଙ୍କୁ ଆମ୍ବୁଲାନ୍ସ ଯୋଗେ ମାଲକାନଗିରି ନେଉଥିଲେ । ରାସ୍ତାରେ ଧରବେନ୍ଦ୍ରଙ୍କ ସ୍ୱାସ୍ତ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ କୋରୁକୋଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ପିଲାଟିର ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକଙ୍କୁ ଜଣାଇଥିଲେ । ଏ ସମ୍ପର୍କରେ ମୃତ୍ୟୁବରଣ କରିଥିବା ଦେବେନ୍ଦ୍ରଙ୍କ ପରିବାର ଲୋକେ ଓର୍କେଲ ଥାନାରେ ଏକ ଲିଖିତ ଏତାଲା ପ୍ରଦାନ କରିଥିଲେ । ଉକ୍ତ ଏତଲାକୁ ଭିତ୍ତି କରି ଥାନାରେ ପୋଲିସ ଏକ ଅପ ମୃତ୍ୟୁ ମାମଲା ୨୨/୨୦୨୪ ରୁଜୁ କରିବା ସହ ଏସଆଇ ଅଜିତ ସିଂ ବାରିହାଙ୍କ ନେତୃତ୍ୱରେ ଏକ ଟିମ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିବା ପରେ ଧରବେନ୍ଦ୍ରଙ୍କ ମୃତ ଶରୀରକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ମାଲକାନଗିରି ଜିଲ୍ଲାମୁଖ୍ୟ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇ ଥିଲେ ବ୍ୟବଛେଦ ସରିବା ପରେ ଧରବେନ୍ଦ୍ରଙ୍କ ମୃତ ଦେହକୁ ପୋଲିସ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଥାନା ଅଧିକାରୀ ଧୀରେନ ପଟ୍ଟନାୟକ ସୂଚନା ଦେଇଛନ୍ତି । ତେବେ ୬ବର୍ଷର ପୁଅ ଧରବେନ୍ଦ୍ରଙ୍କ ମୃତ୍ୟୁକୁ ନେଇ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଛନ୍ତି ପ୍ରଶାସନ ପକ୍ଷରୁ ତାଙ୍କ ପରିବାର ଲୋକଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଅଞ୍ଚଳବାସୀ ନିବେଦନ କରିଛନ୍ତି ।
