୧୦ ତାରିଖ ୫ଟା ସୁଦ୍ଧା କାର୍ଯ୍ୟରେ ଯୋଗଦେବାକୁ ଡାକ୍ତରଙ୍କୁ କହିଲେ ସୁପ୍ରିମକୋର୍ଟ

add-all

କୋଲାକାତା ଦୁଷ୍କର୍ମ ଓ ହତ୍ୟା ଘଟଣା ବିରୋଧରେ ମାସେ ହେଲାଣି ବିକ୍ଷୋଭ କରୁଥିବା ଡାକ୍ତରମାନଙ୍କୁ ଆସନ୍ତାକାଲି ସନ୍ଧ୍ୟା ୫ଟା ସୁଦ୍ଧା କାର୍ଯ୍ୟରେ ଯୋଗ ଦେବାକୁ ସୁପ୍ରିମକୋର୍ଟ କହିଛନ୍ତି। ଡାକ୍ତରମାନେ କାର୍ଯ୍ୟକୁ ଥରେ ଫେରିବା ପରେ ସେମାନଙ୍କ ବିରୋଧରେ ଅଧିକାରୀମାନେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ନାହିଁ।

କିନ୍ତୁ ଯଦି ଡାକ୍ତରମାନେ କାର୍ଯ୍ୟରେ ଯୋଗ ଦେବାକୁ ବିଳମ୍ବ କରିବେ, ତା’ହେଲେ କୋର୍ଟ ମଧ୍ୟ ସେମାନଙ୍କ ବିରୋଧରେ ରାଜ୍ୟ ସରକାର ନେବାକୁ ଥିବା କାର୍ଯ୍ୟାନୁଷ୍ଠାନକୁ ରୋକି ପାରିବେ ନାହିଁ। କାର୍ଯ୍ୟରେ ଯୋଗ ନ ଦେବାରୁ ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରେ ବୋଲି ମଧ୍ୟ ସୁପ୍ରିମକୋର୍ଟ କହିଛନ୍ତି।

କୋଲକାତାର ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା। ଏହାକୁ ନେଇ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଥିବା ବେଳେ ସୁପ୍ରିମକୋର୍ଟ ନିଜ ଆଡ଼ୁ ଏହାର ଶୁଶାଣି କରୁଛନ୍ତି। ଆଜି ଶୁଣାଣି ବେଳେ ସର୍ବୋଚ୍ଚ ଅଦାଲତ ଘଟଣାର ତଦନ୍ତ କରୁଥିବା ସିବିଆଇକୁ ନୂଆ ଷ୍ଟାଟସ ରିପୋର୍ଟ ସେପ୍ଟେମ୍ବର ୧୭ ତାରିଖ ସୁଦ୍ଧା ଦାଖଲ କରିବାକୁ କହିଛନ୍ତି।

ଏଥିସହ ଆରଜି କର ହସ୍ପିଟାଲର ସୁରକ୍ଷା ପାଇଁ ନିୟୋଜିତ ହୋଇଥିବା ୩ କମ୍ପାନୀ ସିଆଇଏସଏଫ ଯବାନଙ୍କ ରହଣୀ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ପଶ୍ଚିମବଙ୍ଗର ବରିଷ୍ଠ ଅଧିକାରୀମାନଙ୍କୁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ମନୋଜ ମିଶ୍ରା ଓ ଜଷ୍ଟିସ ଜେବି ପାରଡିୱାଲାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ “ସିବିଆଇ ପକ୍ଷରୁ ଆଜି ଗୋଟିଏ ଷ୍ଟାଟସ ରିପୋର୍ଟ ଦାଖଲ କରାଯାଇଛି। ଏଥିରୁ ଜଣାପଡ଼ିଛି ଯେ ତଦନ୍ତ ଚାଲିଛି। ଆମେ ସିବିଆଇକୁ ଆଉ ଏକ ନୂଆ ଷ୍ଟାଟସ ରିପୋର୍ଟ ୧୭ ତାରିଖ ସୁଦ୍ଧା ଦାଖଲ କରିବାକୁ କହୁଛୁ। ଆମେ ସିବିଆଇକୁ ତା’ ତଦନ୍ତରେ କୌଣସି ପ୍ରକାରର ଗାଇଡ କାରିବାକୁ ଚାହୁଁ ନାହୁଁ।”

ଶୁଣାଣି ବେଳେ ସୁପ୍ରିମକୋର୍ଟ ପଶ୍ଚିମବଙ୍ଗ ସରକାରଙ୍କୁ ସମାଲୋଚନା କରିଛନ୍ତି ଓ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ନେଇ ଅନେକ ଚିନ୍ତା ପ୍ରକଟ କରିଛନ୍ତି। ଜଣେ ଆଇନଜୀବୀ ଗୁପ୍ତାଙ୍ଗ ସ୍ୱାବକୁ ଠିକ ଭାବେ ରଖାଯାଇ ନଥିବା ପ୍ରଶ୍ନ କରିଥିଲେ। ଏହି ସ୍ୱାବକୁ ୪ ଡିଗ୍ରୀ ସେଲସିୟସରେ ରଖାଯାଇଥିବା କଥା। କିନ୍ତୁ ସେମିତି ହୋଇ ନଥିବା ସେ କହିଥିଲେ।

ସିବିଆଇକୁ ପକ୍ଷରୁ ମାମଲା ପରିଚାଳନା କରୁଥିବା ସଲିସିଟର ଜେନେରାଲ ତୁଷାର ମେହେଟା ମଧ୍ୟ କହିଥିଲେ ଯେ ଶବ ବ୍ୟବଚ୍ଛେଦ କେଉଁ ସମୟରେ ହୋଇଥିଲା, ସେକଥା ରିପୋର୍ଟରେ ଉଲ୍ଲେଖ ହୋଇନାହିଁ। ଦୁଷ୍କର୍ମ ଓ ହତ୍ୟା ଭଳି ମାମଲାରେ ଏହି ତଥ୍ୟର ବେଶ ଗୁରୁତ୍ୱ ରହିଛି। ଏହା ଶୁଣି କୋର୍ଟ ଅସ୍ୱାଭାବିକ ମୃତ୍ୟୁ ମାମଲା କାହିଁକି ରୁଜୁ ହେଲା ବୋଲି ଜାଣିବାକୁ ଚାହିଁଥିଲେ।

ଏହାର ଜବାବରେ ବରିଷ୍ଠ ଆଇନଜୀବୀ କପିଲ ସିବଲ କହିଥିଲେ ଯେ ମୃତ୍ୟୁ ପ୍ରମାଣପତ୍ର ଅପରାହ୍ଣ ୧ଟା ୪୭ରେ ଦିଆଯାଇ ଥିବାବେଳେ ଅପରାହ୍ନ ୨.୫୫ ମିନିଟରେ ପୁଲିସ ଏକ ଅସ୍ୱାଭାବିକ ମୃତ୍ୟୁ ମାମଲା ରୁଜୁ କରିଥିଲା। ସର୍ଚ୍ଚ ଓ ଘଟଣା ସହ ଜଡ଼ି ସାମଗ୍ରୀ ଜବତ ପ୍ରକ୍ରିୟା ରାତି ୮.୩୦ରୁ ୧୦.୪୫ ମଧ୍ୟରେ ଶେଷ ହୋଇଥିଲା।

ଏଥିସହ ସବିଲ ଆହୁରି କହିଥିଲେ ଯେ ଘଟଣା ପରଠାରୁ ଡାକ୍ତରମାନେ ଆନ୍ଦୋଳନ ଆରମ୍ଭ କରିଛନ୍ତି। ଏଥିସଯୋଗୁ ୨୩ ଜଣଙ୍କ ଜୀବନ ଯାଇଛି। ଏହା ଶୁଣି ସର୍ବୋଚ୍ଚ ଅଦାଲତ ଡାକ୍ତରମାନଙ୍କୁ କାର୍ଯ୍ୟରେ ଯୋଗ ଦେବାକୁ କହିଛନ୍ତି।

ସୋଶାଲ ମିଡିଆରେ କୋଲକାତା ପୀଡ଼ିତାଙ୍କ ଫଟୋ ଏଯାଏ ରହିଛି। ତେଣୁ ଏହା ଡିଲିଟ କରିବାକୁ ସିବଲ ଅନୁରୋଧ କରିଥିଲେ। ସୁପ୍ରିମକୋର୍ଟ ଏହାକୁ ଗୁରୁତ୍ୱର ସହ ନେଇ ତୁରନ୍ତ ସମସ୍ତ ସୋଶାଲ ମିଡିଆ ପ୍ଲାଟଫର୍ମ ଓ ବୈଦ୍ୟୁତକ ମାଧ୍ୟମରୁ ପୀଡ଼ିତାଙ୍କ ଫଟୋ ହଟାଇକୁ ନିର୍ଦ୍ଦେଶ ଦେଇଛନ୍ତି।

ad-week
Leave A Reply

Your email address will not be published.