ଦକ୍ଷିଣ ଓଡ଼ିଶାରେ ବିଦ୍ୟୁତ ଭିତ୍ତିଭୂମିର ଉନ୍ନତିକରଣ ଦିଗରେ ଟିପିଏସ୍ଓଡିଏଲ୍

add-all

ବ୍ରହ୍ମପୁର : ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ସମଗ୍ର ଦକ୍ଷିଣ ଓଡ଼ିଶାରେ ବିଦ୍ୟୁତ ଭିତ୍ତିଭୂମିର ଉନ୍ନତିକରଣ ଦିଗରେ ଉଲ୍ଲେଖନୀୟ ପ୍ରଗତି କରିଛି। ଏଠାକାର ପାହାଡ଼,ଘଞ୍ଚ ଜଙ୍ଗଲ ଭରା ଗ୍ରାମୀଣ ଇଲାକାରେ ସବୁ ପ୍ରକାର ଆହ୍ଵାନକୁ ସଫଳତାର ସହ ମୁକାବିଲା କରି କମ୍ପାନୀ ଗୁଣାତ୍ମକ ବିଦ୍ୟୁତ ସେବା ଜାରି ରଖିଛି। ଏହା ଦକ୍ଷିଣ ଓଡ଼ିଶାର କୋଣ ଅନୁକୋଣରେ ଭରସାଯୋଗ୍ୟ ବିଜୁଳି ପହଞ୍ଚାଇବା ପାଇଁ ଟିପିଏସ୍ଓଡିଏଲର ପ୍ରତିବଦ୍ଧତାକୁ ଦର୍ଶାଉଛି।

ବିଦ୍ୟୁତ ଭିତ୍ତିଭୂମିର ଉନ୍ନତିକରଣ ପାଇଁ କମ୍ପାନୀ ନିଷ୍ଠାର ସହ କାମ କରିଆସିଛି। ଯାହା ଫଳରେ ଏହି ଅଞ୍ଚଳର ଉପଭୋକ୍ତାଙ୍କ ଜୀବନରେ ପରିବର୍ତ୍ତନ ଆସିଛି। ଘର, ସ୍କୁଲ, ଡାକ୍ତରଖାନା ଏବଂ ଜରୁରୀକାଳୀନ ସେବାରେ ଗୁଣାତ୍ମକ ବିଜୁଳି ଯୋଗାଣ ସହ ଲୋକଙ୍କ ପାଇଁ ଉନ୍ନତ ମାନର ଜୀବନ ସୁନିଶ୍ଚିତ ହୋଇପାରିଛି। ବିଗତ ତିନି ଆର୍ଥିକ ବର୍ଷ ମଧ୍ୟରେ ଟିପିଏସ୍ଓଡିଏଲ୍ ପ୍ରାୟ ୨୭୪ ସର୍କିଟ୍ କିମି ବ୍ୟାପ୍ତ ୩୩ କେଭି ବିଦ୍ୟୁତ ଲାଇନ ବିଛାଇଛି, ଯାହା ଦକ୍ଷିଣ ଓଡ଼ିଶାର ଦୁର୍ଗମ ଅଞ୍ଚଳରେ ଉପଭୋକ୍ତାଙ୍କ ପାଇଁ ଭରସାଯୋଗ୍ୟ ବିଦ୍ୟୁତ ସେବାକୁ ସୁଦୃଢ଼ କରିଛି।

୨୦୨୩-୨୪ ଆର୍ଥିକ ବର୍ଷରେ ଟିପିଏସଓଡିଏଲ୍ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ୧୨୯.୭୦ ସର୍କିଟ କିମି ୩୩ କେଭି ଲାଇନ୍ ସଫଳତାର ସହ ବିଛାଇଛି। ଏଥିରେ ପ୍ରାୟ ୭୬ ହଜାର ଉପଭୋକ୍ତା ଉପକୃତ ହୋଇଛନ୍ତି। ଗତ ଆର୍ଥିକ ବର୍ଷରେ ୧୨୫.୭୦ ସର୍କିଟ କିଲୋମିଟର ଲାଇନ ସ୍ଥାପନ ହୋଇଥିଲା, ଯାହା ଦ୍ୱାରା ୭୨ ହଜାରରୁ ଅଧିକ ଲୋକ ଉପକୃତ ହୋଇଥିଲେ। ଏହାବ୍ୟତୀତ ୨୦୨୧-୨୨ ଆର୍ଥିକ ବର୍ଷରେ ଟିପିଏସ୍ଓଡିଏଲ୍ ୧୯ ସର୍କିଟ କିମି ୩୩ କେଭି ଲାଇନ୍ ସ୍ଥାପନ କରିଛି। ଯାହା ଫଳରେ ୧୦,୯୨୫ ଉପଭୋକ୍ତାଙ୍କ ପାଖରେ ଗୁଣାତ୍ମକ ବିଦ୍ୟୁତ ସେବା ପହଞ୍ଚି ପାରିଛି।

ଚଳିତ ଆର୍ଥିକ ବର୍ଷ ପାଇଁ ମଧ୍ୟ ଟିପିଏସଓଡିଏଲର ମହତ୍ତ୍ୱାକାଂକ୍ଷୀ ଯୋଜନା ରହିଛି। ଏଥିରେ ବର୍ତ୍ତମାନର ଲାଇନ୍ ଭିତ୍ତିଭୂମିକୁ ସୁଦୃଢ଼ କରିବା ସହ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ନୂତନ ଲାଇନ୍ ସ୍ଥାପନ କରାଯିବ। ଏଠାକାର ବିଦ୍ୟୁତ ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିବା ଏବଂ ଅଧିକରୁ ଅଧିକ ଲୋକଙ୍କୁ ନିରନ୍ତର ବିଜୁଳି ଯୋଗାଇବା ଲକ୍ଷ୍ୟରେ ଏହି ବ୍ୟାପକ ସମ୍ପ୍ରସାରଣ ଯୋଜନା ଚାଲିଛି।

ଟିପିଏସ୍ଓଡିଏଲର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଅମିତ କୁମାର ଗର୍ଗ କମ୍ପାନୀର ସଫଳତାକୁ ନେଇ କହିଛନ୍ତି, “ଆମର ଲକ୍ଷ୍ୟ ହେଉଛି ଦକ୍ଷିଣ ଓଡ଼ିଶାର ଭୌଗୋଳିକ ଆହ୍ୱାନକୁ ଦୃଷ୍ଟିରେ ରଖି ସମଗ୍ର ଦକ୍ଷିଣ ଓଡ଼ିଶାରେ ଉଚ୍ଚ ମାନର ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିବା। ଗତ ତିନି ବର୍ଷ ମଧ୍ୟରେ ଆମେ ଭିତ୍ତିଭୂମିରେ ଯେଉଁ ଉନ୍ନତି କରିଛୁ, ତାହା କେବଳ ଆରମ୍ଭ ମାତ୍ର। ଦକ୍ଷିଣ ଓଡ଼ିଶାବାସୀଙ୍କ ଉନ୍ନତ ସେବା ଯୋଗାଇବା ପାଇଁ ନିରନ୍ତର ଉନ୍ନତି ଓ ସମ୍ପ୍ରସାରଣ କାର୍ଯ୍ୟ ଜାରି ରହିବ।

ନିକଟରେ ଟିପିଏସ୍ଓଡିଏଲ୍ ଦ୍ୱାରା ସମ୍ପୂର୍ଣ୍ଣ ହୋଇଥିବା ପ୍ରମୁଖ ପ୍ରକଳ୍ପ ମଧ୍ୟରେ ଗୁଣୁପୁର ଗ୍ରିଡ୍ ସବଷ୍ଟେସନରୁ ବିକ୍ରମପୁର ପ୍ରାଥମିକ ସବଷ୍ଟେସନ ପର୍ଯ୍ୟନ୍ତ ନୂତନ ୩୩ କେଭି ଲାଇନ୍ ସ୍ଥାପନ କରାଯାଇଛି । ଏହି ପ୍ରକଳ୍ପ ଯୋଗୁଁ ରାୟଗଡ଼ା ଜିଲ୍ଲା ଗୁଣୁପୁର ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର, ଗୋଟଳପଦର, ମୋରମା, ସିରିଝୋଲି ଓ ବାଗଶାଳା ପଞ୍ଚାୟତର ବାସିନ୍ଦାଙ୍କ ପାଇଁ ବିଦ୍ୟୁତ୍ ଯୋଗାଣରେ ସ୍ଥିରତା ବଢ଼ିଛି।

ଟିପିଏସ୍ଓଡିଏଲର ଉନ୍ନତ ସେବାକୁ ନେଇ ସନ୍ତୁଷ୍ଟି ବ୍ୟକ୍ତ କରି ଗୁଣୁପୁର ବାସିନ୍ଦା ନିତେଶ ପାଢ଼ୀ କହିଛନ୍ତି, “ଟିପିଏସ୍ଓଡିଏଲ୍ ବିଦ୍ୟୁତ ଯୋଗାଣ ଦାୟିତ୍ଵ ନେବା ପରଠାରୁ ଆମେ ବିଶ୍ୱସନୀୟ ବିଜୁଳି ସେବା ପାଉଛୁ ଏବଂ ବିଦ୍ୟୁତ ଭିତ୍ତିଭୂମିରେ ଉନ୍ନତି ହୋଇଛି। ବିଦ୍ୟୁତ କାଟ ବହୁ ମାତ୍ରାରେ ହ୍ରାସ ପାଇଛି ଏବଂ ଏହି ସକାରାତ୍ମକ ପରିବର୍ତ୍ତନ ଆଣିବାରେ ଟିପିଏସ୍ଓଡିଏଲ୍ ଟିମର ପ୍ରୟାସ ପାଇଁ ଆମେ ଧନ୍ୟବାଦ ଜଣାଉଛୁ।”

ଦକ୍ଷିଣ ଓଡ଼ିଶାର ପ୍ରତ୍ୟେକ ଉପଭୋକ୍ତାଙ୍କୁ ନିର୍ଭରଯୋଗ୍ୟ ଓ ନିରନ୍ତର ବିଜୁଳି ସେବା ଯୋଗାଇବା ସହ ଏହି ଅଞ୍ଚଳର ବିକାଶ ଏବଂ ଲୋକଙ୍କ ଉନ୍ନତିରେ ଭାଗିଦାରୀ ହେବା ଦିଗରେ ଟିପିଏସ୍ଓଡିଏଲ୍ ପ୍ରତିଶ୍ରୁତିବଦ୍ଧ।

ad-week
Leave A Reply

Your email address will not be published.