ଜୁସରେ ପରିସ୍ରା ମିଶାଇ ଲୋକଙ୍କୁ ଦେଉଥିଲେ: ବାପାଙ୍କୁ ବାନ୍ଧିଲା ପୁଲିସ, ପୁଅ ଅଟକ

add-all

ଗାଜିଆବାଦ : ଚକାଚକ ଦୋକାନ। ଖଚାଖଚ ଭିଡ଼। ଏହି ଭିଡ଼ ଭିତରେ ବାପ–ପୁଅ ଲୋକଙ୍କୁ ଦେଉଥିଲେ ବିଭିନ୍ନ ପ୍ରକାରର ଫଳ ଜୁସ୍‌। ଲୋକମାନେ ମଧ୍ୟ ବେଶ ଆନନ୍ଦରେ ଜୁସକୁ ପିଉଥିଲେ। ହେଲେ ବାସ୍ତବରେ ଏହି ବାପ-ପୁଅ ଯୋଡ଼ି ଲୋକଙ୍କୁ ଦେଉଥିବା ଜୁସ୍‌ରେ ମିଶାଉଥିଲେ ପରିସ୍ରା।
ଏପରି ସାଂଘାତିକ କାମ ସାମ୍ନାକୁ ଆସିବା ପରେ ପରେ ପୁଲିସ୍‌ ଜୁସ ଦୋକାନୀଙ୍କୁ ଗିରଫ କରିଛି। ତାଙ୍କ ପୁଅର ବୟସ ୧୫ ବର୍ଷ ହୋଇଥିବାରୁ ପୁଲିସ୍‌ ତା’କୁ ଅଟକ ରଖିଛି। ପୂରା ଘଟଣା ଗାଜିଆବାଦରେ ଘଟିଛି।
ଜଣେ ପୁଲିସ ଅଧିକାରୀଙ୍କ କହିବା କଥା ଯେ ଦୋକାନୀ ଓ ତାଙ୍କ ପୁଅ ମଣିଷ ପରିସ୍ରାକୁ ଜୁସରେ ମିଶାଇ ଗ୍ରାହକଙ୍କୁ ଦେଉଥିଲେ। ଏନେଇ ଅଭିଯୋଗ ହେବା ପରେ ଗିରଫଦାରୀ ହୋଇଛି। ଲୋକମାନେ ଜୁସ ପିଉଥିବା ବେଳେ ସେଥିରେ ଦୋକାନୀ କିଛି ହଳଦିଆ ପାଣି ମିଶାଉଥିବା ସେମାନେ ଦେଖିବାକୁ ପାଇଥିଲେ। ଏହା ପରିସ୍ରା ବୋଲି କିଛି ଲୋକ ଅଭିଯୋଗ କରିଥିଲେ। ଘଟଣା ସାମ୍ନାକୁ ଆସିବା ପରେ ଅନେକ ଲୋକ ଏକାଠି ହୋଇ ଦୋକାନୀ ଓ ତାଙ୍କ ପୁଅକୁ ପ୍ରବଳ ମାଡ଼ ମାରିଥିଲେ ବୋଲି ଅଧିକାରୀ ଜଣଙ୍କ କହିଛନ୍ତି।
ଗାଜିଆବାଦ ଏସ୍‌ପି ଅଙ୍କୁର ବିହାର ଭାସ୍କର ବର୍ମା କହିଛନ୍ତି ଯେ ଅଭିଯୁକ୍ତ ଜଣଙ୍କ ହେଲେ ଜୁସ ଦୋକାନୀ ଆମୀର ଖାନ। ଜୁସ୍‌ରେ ପରିସ୍ରା ମିଶା ଯାଉଥିବା ଅଭିଯୋଗ ମିଳିବା ପରେ ପୁଲିସ୍‌ ଦୋକାନରେ ପହଞ୍ଚିଥିଲା। ପୁଲିସ ଜୁସ୍‌ ଷ୍ଟଲରେ ଯାଞ୍ଚ କରିଥିଲା। ଏହି ସମୟରେ ଗୋଟିଏ ପ୍ଲାଷ୍ଟିକ ବୋତଲରେ ପରିସ୍ରାକୁ ରଖାଯାଇଥିବା ଦେଖିବାକୁ ମିଳିଥିଲା।
ଦୋକାନରେ କାହିଁକି ପରିସ୍ରାକୁ ପ୍ଲାଷ୍ଟିକ ବୋତଲରେ ରଖାଯାଇଛି ବୋଲି ଆମୀରଙ୍କୁ ପୁଲିସ୍‌ ପଚାରି ଥିଲା। ହେଲେ ସେ କୌଣସି ପ୍ରକାରର ସନ୍ତୋଷଜନକ ଉତ୍ତର ଦେଇ ପାରି ନଥିଲେ। ତେଣୁ ତାଙ୍କୁ ଗିରଫ କରାଯାଇଛି। ସେହିପରି ତାଙ୍କ ସହ ଦୋକାନରେ ତାଙ୍କର ନାବାଳକ ପୁଅ ମଧ୍ୟ କାମ କରୁଥିଲା। ତା’କୁ ମଧ୍ୟ ଅଟକ ରଖାଯାଇଛି।

ad-week
Leave A Reply

Your email address will not be published.