ରତନ ଟାଟାଙ୍କୁ ‘ଭାରତ ରତ୍ନ’! ମହାରାଷ୍ଟ୍ର କ୍ୟାବିନେଟ୍‌ରେ ପ୍ରସ୍ତାବ ପାସ୍‌

add-all

ମୁମ୍ବାଇ : ଦେଶର ସର୍ବୋଚ୍ଚ ସମ୍ମାନ ଭାରତ ରତ୍ନରେ ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କୁ ସମ୍ମାନିତ କରାଯାଉ। ଏଭଳି କିଛି ଦାବି ଭିତରେ ମହାରାଷ୍ଟ୍ର କ୍ୟାବିନେଟ୍‌ରେ ଏନେଇ ଏକ ପ୍ରସ୍ତାବ ପାରିତ ହୋଇଛି। ଭାରତ ରତ୍ନ ପୁରସ୍କାର ପାଇଁ ଶିଳ୍ପପତି ରତନ ଟାଟାଙ୍କ ନାମ ପ୍ରସ୍ତାବିତ ହୋଇ କେନ୍ଦ୍ର ସରକାରଙ୍କୁ ପଠାଯିବାକୁ ମହାରାଷ୍ଟ୍ର କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇଛି। ମହାରାଷ୍ଟ୍ର କ୍ୟାବିନେଟର ଏହି ପ୍ରସ୍ତାବ ଉପରେ କେନ୍ଦ୍ର ସରକାର ବର୍ତ୍ତମାନ ଚୂଡ଼ାନ୍ତ ନିଷ୍ପତ୍ତି ନେବେ।
ଆଜି ମହାରାଷ୍ଟ୍ର କ୍ୟାବିନେଟ୍‌ ବୈଠକ ବସିଥିଲା। ଏଥିରେ ରତନ ଟାଟାଙ୍କ ଦେହାନ୍ତକୁ ନେଇ ଶୋକ ବ୍ୟକ୍ତି କରାଯିବା ସହ ଏକ ଶୋକ ପ୍ରସ୍ତାବ ପାରିତ କରାଯାଇଥିଲା। ଏହା ପରେ ଭାରତ ରତ୍ନ ପୁରସ୍କାର ପାଇଁ ତାଙ୍କ ନାମ ପ୍ରସ୍ତାବ ଦେବାକୁ ନିଷ୍ପତ୍ତି ନିଆଯାଇଛି। ମହାରାଷ୍ଟ୍ର ସରକାର ବର୍ତ୍ତମାନ ଏହି ପ୍ରସ୍ତାବକୁ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଇବେ।
ରତନ ଟାଟାଙ୍କ ବୁଧବାର ବିଳମ୍ବିତ ରାତିରେ ୮୬ ବର୍ଷ ବୟସରେ ମୁମ୍ବାଇର ବ୍ରେକ୍ କ୍ୟାଣ୍ଡି ହସ୍ପିଟାଲରେ ଦେହାନ୍ତ ହୋଇଛି। ସେ ଗତ କିଛି ଦିନ ଧରି ଅସୁସ୍ଥ ଥିଲେ। ତାଙ୍କ ସ୍ୱାସ୍ଥ୍ୟ ସମସ୍ୟା ବଢ଼ୁଥିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ରୀତିନୀତି ଅନୁଯାୟୀ ମୁମ୍ବାଇ ଓ୍ୱର୍ଲିରେ ତାଙ୍କର ଶେଷକୃତ୍ୱ କରାଯିବ।
ତାଙ୍କର ଶେଷ ଦର୍ଶନ ପାଇଁ ଆଜି ସକାଳ ୧୦ ଟାରୁ ନରିମାନ ପଏଣ୍ଟରେ ଏନସିପିଏ ଲନ୍ସକୁ ତାଙ୍କ ପାର୍ଥୀବ ଶରୀର ରଖାଯାଇଛି। ତାଙ୍କର ଶେଷ ଦର୍ଶନ ପାଇଁ ବହୁ ସଂଖ୍ୟକ ଲୋକ ଏଠାରେ ଭିଡ଼ ଜମାଇଛନ୍ତି। ଦେଶର ବଡ଼ ବଡ଼ ରାଜେନତା, ଶିଳ୍ପ ସହିତ ଜଡିତ ବ୍ୟକ୍ତି, ବହୁ ଫିଳ୍ମ ଷ୍ଟାର୍‌, କ୍ରୀଡା ସହିତ ଜଡିତ ବ୍ୟକ୍ତି ତଥା ସମାଜର ବିଭିନ୍ନ କ୍ଷେତ୍ରର ଲୋକମାନେ ତାଙ୍କ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ad-week
Leave A Reply

Your email address will not be published.