ଯୋଗୀଙ୍କୁ ହତ୍ୟା ଧମକ ଦେବା ପଛରେ ୨୪ ବର୍ଷୀୟ ଯୁବତୀ, ବାନ୍ଧିଲା ପୁଲିସ୍‌

ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ ଦେବା ପଛରେ ଥିବା ୨୪ ବର୍ଷୀୟ ଯୁବତୀଙ୍କୁ ପୁଲିସ୍‌ ଗିରଫ କରିଛି। ଯଦି ୧୦ ଦିନ ଭିତରେ ଯୋଗୀ ଆଦିତ୍ୟନାଥ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ନ ଦେବେ, ତା’ହେଲେ ତାଙ୍କୁ ମୁମ୍ବାଇର ରାଜନେତା ବାବା ସିଦ୍ଦିକିଙ୍କ ଭଳି ହତ୍ୟା କରାଯିବ ବୋଲି ଧମକ ମିଳିଥିଲା।

ଏହାର ତଦନ୍ତ ଆରମ୍ଭ ହୋଇଥିବା ମୁମ୍ବାଇ ପୁଣି ଥାନେରୁ ଫାତିମା ଖାନ ନାମକ ଜଣେ ଯୁବତୀଙ୍କୁ ଗିରଫ କରିଛି। ତାଙ୍କ ଫୋନ ନମ୍ବରରୁ ଆଦିତ୍ୟନାଥଙ୍କୁ ଧମକ ମିଳିଥିଲା। ପୁଲିସ ସୂତ୍ରରୁ ଜଣାପଡ଼ିଛି ଯେ ଫାତିମା ବେଶ ଉଚ୍ଚ ଶିକ୍ଷିତା। ହେଲେ ସେ ମାନସିକ ରୋଗରେ ପୀଡ଼ିତ।

ଫାତିମା ସୂଚନା ପ୍ରଯୁକ୍ତି ବିଦ୍ୟାରେ ବିଏସସି ଡିଗ୍ରୀ ହାସଲ କରିଛନ୍ତି। ଥାନେରେ ସେ ପରିବାର ଲୋକଙ୍କ ସହ ରୁହନ୍ତି। ତାଙ୍କ ବାପା କାଠ ବ୍ୟବସାୟ କରି ପରିବାର ଚଳାନ୍ତି। ଏବେ ପୁଲିସ୍‌ ଫାତିମାଙ୍କୁ ଗିରଫ କରି ଘଟଣାର ଅଧିକ ତଦନ୍ତ କରୁଛି।

ମୁମ୍ବାଇ ଟ୍ରାଫିକ ପୁଲିସ କଣ୍ଟ୍ରୋଲ ରୁମକୁ ଯୋଗୀ ଆଦିତ୍ୟନାଥଙ୍କ ହତ୍ୟା ଧମକ ସମ୍ପର୍କରେ ମେସେଜ ଆସିଥିଲା। କଣ୍ଟ୍ରୋଲ ରୁମର ହ୍ୱାଟସଆପ ନମ୍ବରକୁ ଆସିଥିବା ମେସେଜରେ କୁହାଯାଇଥିଲା ଯେ ଯଦି ଯୋଗୀ ଆଦିତ୍ୟନାଥ ଆସନ୍ତା ୧୦ ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ନ ଦେବେ, ତା’ହେଲେ ତାଙ୍କୁ ବାବା ସିଦ୍ଦିକିଙ୍କ ଭଳି ଗୁଳି କରି ହତ୍ୟା କରାଯିବ।

କିଛି ଦିନ ପୂର୍ବେ ମହାରାଷ୍ଟ୍ର ଏନସିପିର ବରିଷ୍ଠ ନେତା ବାବା ସିଦ୍ଦିକିଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ତାଙ୍କ ପୁଅଙ୍କ ଅଫିସ ସମ୍ମୁଖରେ ତାଙ୍କ ଉପରକୁ ଫାୟାରିଂ କରାଯାଇଥିଲା। ତୁରନ୍ତ ତାଙ୍କୁ ମେଡିକାଲ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଏହାପରଠୁ ବାବା ସିଦ୍ଦିକିଙ୍କ ପରି ଅବସ୍ଥା କରିଦେବୁ କହି ଦେଇ ବଡ଼ ବଡ଼ ନେତା ଓ ସେଲିବ୍ରେଟିମାନଙ୍କୁ ଧମକ ମିଳିବାରେ ଲାଗିଛି। ପୂର୍ବରୁ ସଲମାନ ଖାନ ଓ ସାଂସଦ ପପୁ ଯାଦବଙ୍କୁ ହତ୍ୟା ଧମକ ମିଳିଥିବା ବେଳେ ଏବେ ଯୋଗୀଙ୍କ ଉଦ୍ଦେଶ୍ୟରେ ଧମକ ମିଳିଥିଲା।

ad-week
Leave A Reply

Your email address will not be published.