ଖତ ଗଦାରୁ ବାହାରିଲା ବିଡ଼ା ବିଡ଼ା ନୋଟ୍‌; ମା’,ପୁଅ ଅଟକ

add-all

ଖତ ଗଦାରୁ ବାହାରିଲା ବିଡ଼ା ବିଡ଼ା ଟଙ୍କା । ହାଇଦ୍ରାବାଦରୁ ଚୋରି କରି ବାଲେଶ୍ୱର କମର୍ଦ୍ଦାରେ ଟଙ୍କା ଲୁଚାଇଥିଲେ ଅଭିଯୁକ୍ତ । ମାତ୍ର ପୁଲିସ୍‌ ଖୋଜାଖୋଜି କରି ଖତ ଗଦା ସମେତ ଘରୁ ବାହାର କରିଛି ୧୪ ଲକ୍ଷ ଟଙ୍କା।

ଏପରି ଏକ ଅଭାବନୀୟ ଘଟଣା ଆଜି ସକାଳେ ବାଲେଶ୍ୱର ଜିଲ୍ଲା କମର୍ଦ୍ଦା ଥାନା ବଡ଼ମନ୍ଦାରୁଣୀ ଗାଁରେ ଘଟିଛି। ବଡ଼ମନ୍ଦାରୁଣୀ ଗାଁର ରବୀନ୍ଦ୍ର ବେହେରାଙ୍କ ଘରେ ଚଢ଼ାଉ କରି ପୁଲିସ୍‌ ଏହି ଟଙ୍କା ଜବତ କରିଛି। ଏହି ଘଟଣାରେ ପୁଲିସ୍‌ ରବୀନ୍ଦ୍ର ବେହେରା ଓ ତାଙ୍କ ମା’ ବାସନ୍ତୀ ବେହେରାଙ୍କୁ ଅଟକ ରଖିଛି। 

ହାଇଦ୍ରାବାଦସ୍ଥିତ ଆଗ୍ରୋ ଇଣ୍ଡଷ୍ଟ୍ରିଜ ନାମକ ଏକ କମ୍ପାନିରେ ଗୋପାଳ ବେହେରା ଗତ କିଛି ବର୍ଷ ହେବ କାମ କରୁଥିଲେ। ଇତି ମଧ୍ୟରେ ସେ କମ୍ପାନୀ ଲକର୍‌ର ସିକ୍ରେଟ କୋଡ ଜାଣି ଯାଇଥିଲେ। ଉକ୍ତ ଲକରରେ ୨୦ ଲକ୍ଷରୁ ଅଧିକ ଟଙ୍କା ଥିବା ବେଳେ ୧୦ ତାରିଖରେ ଗୋପାଳ ଲକରରୁ ଉକ୍ତ ଟଙ୍କା ନେଇ ଫେରାର ହୋଇ ଯାଇଥିଲେ।

ଉକ୍ତ ଟଙ୍କା ଭର୍ତ୍ତି ବ୍ୟାଗ ଧରି ସେ ହାଇଦ୍ରାବାଦରେ ରହୁଥିବା ନିଜ ଶଳା ରବୀନ୍ଦ୍ରଙ୍କ ପାଖରେ ପହଞ୍ଚିଥିଲେ। ସେଠାରେ ସେ ରବୀନ୍ଦ୍ରଙ୍କୁ ବ୍ୟାଗ୍‌ଟି ଦେଇ ସେଠାରୁ ଫେରାର ହୋଇ ଯାଇଥିଲେ।

ଉକ୍ତ ଦିନ ରାତିରେ ରବୀନ୍ଦ୍ର ଟ୍ରେନ୍‌ ଯୋଗେ ଆସିଥିବା ବେଳେ ୧୧ ତାରିଖ ସକାଳେ ଜଳେଶ୍ୱର ଷ୍ଟେଶନରେ ପହଞ୍ଚିଥିଲେ। ସେଠାକୁ ସେ ନିଜ ବାପାମା’ ଉମାକାନ୍ତ ବେହେରା ଓ ବାସନ୍ତୀ ବେହେରାଙ୍କୁ ଡାକିଥିବା ବେଳେ ଟଙ୍କା ଭର୍ତ୍ତି ବ୍ୟାଗ ଦେଇ ହାଇଦ୍ରାବାଦ ଫେରି ଯାଇଥିଲେ ।

ହାଇଦ୍ରାବାଦ ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ସିସିଟିଭି ଫୁଟେଜ ଓ କଲ୍‌ ଡିଟେଲ୍ସ ଆଧାରରେ ଗୋପାଳଙ୍କ ଶଳା ରବୀନ୍ଦ୍ରଙ୍କ ନିକଟରେ ପହଞ୍ଚିଥିଲା। ସେଠାରେ ତାଙ୍କୁ ଅଟକ ରଖି ଗୁଡ଼ାଇତୁଡ଼ାଇ ପଚରାଉଚରା କରିବାରୁ ସେ ଟଙ୍କା ବ୍ୟାଗ ନିଜ ଗାଁକୁ ପଠାଇ ଦେଇଥିବା କହିଥିଲେ।

ଆଜି ସକାଳେ ହାଇଦ୍ରାବାଦ ପୁଲିସ୍‌ ଗୋପାଳଙ୍କ ଗାଁରେ ପହଞ୍ଚିଥିଲା। ଗୋପାଳଙ୍କ ବାପା ଉମାକାନ୍ତ ଫେରାର ହୋଇ ଯାଇଥିବା ବେଳେ ତାଙ୍କ ମା’ ପ୍ରଥମେ ଟଙ୍କା ରଖିଥିବା କଥାକୁ ଅସ୍ୱୀକାର କରିଥିଲେ। ଏହାପରେ ସବୁ ସତ କଥା ମାନିଥିବା ବେଳେ ଖତ ଗଦାରେ ଟଙ୍କା ଲୁଚାଇଥିବା କହିଥିଲେ।

ପୁଲିସ୍‌ ଖତଗଦା ଓ ଘରେ ଖୋଜାଖୋଜି କରି ସମୁଦାୟ ୧୪ ଲକ୍ଷ ଟଙ୍କା ଜବତ କରିଛି। ତେବେ ଅବଶିଷ୍ଟ ଟଙ୍କା କୁଆଡ଼େ ଗଲା ଓ ଗୋପାଳ କେଉଁଠି ଅଛି ଏବେ ସେ ନେଇ ତନାଘନା ଚଳାଇଛି ପୁଲିସ୍‌। ଅଧିକ ତଥ୍ୟ ପାଇଁ ପୁଲିସ୍‌ ବାସନ୍ତୀ ବେହେରାଙ୍କୁ ଅଟକ ରଖି ପଚରାଉଚରା କରୁଛି।

ad-week
Leave A Reply

Your email address will not be published.