ଅଫିସ୍‌ରେ ପଶି ଅତିରିକ୍ତ ତହସିଲଦାରଙ୍କୁ ଟଣାଓଟରା କଲେ ମହିଳା

add-all

ବଲାଙ୍ଗିର: ଅତିରିକ୍ତ ତହସିଲଦାରଙ୍କ ଅଫିସ୍‌ରେ ପଶିଲେ ଗାଁର ଶତାଧିକ ମହିଳା। ପରେ ଯୁକ୍ତିତର୍କ କଲେ ଓ ଅତିରିକ୍ତ ତହସିଲଦାରଙ୍କ ସାର୍ଟ କଲର ଧରି ଟଣାଓଟରା କଲେ। ମହିଳାଙ୍କ ଏପରି ହଙ୍ଗାମା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ଦେଓଗାଁ ତହସିଲ୍‌ ଅଫିସ୍‌ରେ।

ସତିଘାତ ଗାଁର ବିକେଶ ମେହେରଙ୍କର ଚାକିରି ହୋଇଥିଲା। ସେ ସିଆର୍‌ପିଏଫ୍‌ରେ ଚାକିରି ପାଇଥିଲେ। ନଭେମ୍ୱର ୭ ତାରିଖରେ ବିକେଶଙ୍କ ଡକ୍ୟୁମେଣ୍ଟ ଭେରିଫିକେସନ୍‌ ଥିଲା। ତେଣୁ ତା’ର ବହୁ ପୂର୍ବରୁ ବିକେଶ ଦେଓଗାଁ ତହସିଲ୍‌ ଅଫିସ୍‌ରେ ଜାତିଗତ ପ୍ରମାଣପତ୍ର ପାଇଁ ଆବେଦନ କରିଥିଲେ। ହେଲେ ସେ ଜାତିଗତ ପ୍ରମାଣ ପତ୍ର ପାଇନଥିଲେ।

ଅଭିଯୋଗ ଅନୁସାରେ ବିକେଶ ହେଉଛନ୍ତି କୁଲି ମେହେର ସମ୍ପ୍ରଦାୟର। ସେମାନେ ଏସ୍‌ଟି ବୋଲି ନିଜକୁ ଦାବି କରୁଥିଲେ। ହେଲେ ୨୦୨୪ ମସିହାରେ ପ୍ରକାଶ ପାଇଥିବା ନୋଟିଫିକେସନ୍‌ରେ କୁଲି ମେହେର ସମ୍ପ୍ରଦାୟକୁ ଏସ୍‌ଟି ଶ୍ରେଣୀରୁ ବାଦ ଦିଆଯାଇଛି। ଯେଉଁଥିପାଇଁ ବିକେଶଙ୍କୁ (ଏସ୍‌ଟି) ଜାତିଗତ ପ୍ରମାଣ ପତ୍ର ଦେବାରେ ଅସମର୍ଥ ହୋଇଥିଲେ ତହସିଲଦାର। ଆଉ ସେ ଡକ୍ୟୁମେଣ୍ଟ ଭେରିଫିକେସନ୍‌ ପାଇଁ ଯାଇପାରିଲେ ନାହିଁ।

ଜାତିଗତ ପ୍ରମାଣ ପତ୍ର ପାଇନଥିବାରୁ ସିଆର୍‌ପିଏଫ୍‌ ଚାକିରି ଆଶାୟୀଙ୍କ ଧୌର୍ଯ୍ୟର ବନ୍ଧ ଭାଙ୍ଗି ଯାଇଥିଲା। ଏହାଛଡ଼ା ନିଜ ସମ୍ପ୍ରଦାୟର ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଆଜି ଗାଁର ଶତାଧିକ ମହିଳାଙ୍କ ସମେତ ବିକେଶ ମେହେର ଦେଓଗାଁ ତହସିଲ ଅଫିସ୍‌ ଘେରାଓ କରିଥିଲେ। ତହସିଲ୍‌ଦାର ନଥିବାରୁ ଅତିରିକ୍ତ ତହସିଲଦାର ସମାକେଶ ନାୟକଙ୍କ ଚ୍ୟାମ୍ୱରରେ ଧସେଇ ପଶିଥିଲେ। ତାଙ୍କୁ ଟଣାଓଟରା କରିଥିବା ଅଭିଯୋଗ ହୋଇଛି। ତାଙ୍କ ସାର୍ଟ କଲର ଧରି ଟଣାଓଟରା କରିଥିଲେ। ଅଫିସ୍‌ର କର୍ମଚାରୀମାନେ ବୁଝାସୁଝା କରିବା ପରେ ମାମଲା ସମାଧାନ ହୋଇଥିଲା। କିନ୍ତୁ ଏନେଇ ଥାନାରେ କୌଣସି ମାମଲା ହୋଇନାହିଁ।

ad-week
Leave A Reply

Your email address will not be published.