ଇସ୍କନ ସାଧୁ ଗିରଫ ଘଟଣା: ବାଂଲାଦେଶକୁ ବଡ଼ କଥା କହିଲା ଭାରତ

add-all

ହିନ୍ଦୁ ଧର୍ମର ନେତା ତଥା ଇସ୍କନ ପୁଣ୍ଡରିକ ଧାମର ଅଧ୍ୟକ୍ଷ ଚିନ୍ମୟ କୃଷ୍ଣ ଦାସ ବ୍ରହ୍ମଚାରୀଙ୍କୁ ବାଂଲାଦେଶରେ ଗିରଫ କରାଯିବା ଘଟଣାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଭାରତ ସରକାର। ଏଥିସହ ବାଂଲାଦେଶରେ ରହୁଥିବା ସଂଖ୍ୟାଲଘୁ(ହିନ୍ଦୁ)ଙ୍କ ସୁରକ୍ଷାକୁ ନିଶ୍ଚିତ କରିବା ପାଇଁ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ବାଂଲାଦେଶରେ ଏବେ ଶାସନ କରୁଥିବା ସରକାରଙ୍କୁ କହିଛନ୍ତି।

ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ “ଚିନ୍ମୟ କୃଷ୍ଣ ଦାସଙ୍କ ଗିରଫଦାରୀ ଓ ଜାମିନ ଖାରଜ ଘଟଣାକୁ ନେଇ ଆମେ ବେଶ ଚିନ୍ତିତ। ଏହାକୁ ଆମେ ବେଶ ଗୁରୁତ୍ୱର ସହ ନେଇଛୁ। ଏହି ଘଟଣା ପରେ ବାଂଲାଦେଶରେ ରହୁଥିବା ହିନ୍ଦୁ ଓ ଅନ୍ୟ ସଂଖ୍ୟାଲଘୁ ସଂପ୍ରଦାୟର ଲୋକଙ୍କ ଉପରେ ବିଦ୍ରୋହୀଙ୍କ ଆକ୍ରମଣ ବଢ଼ି ଚାଲିଛି।

ସଂଖ୍ୟାଲଘୁଙ୍କ ଘର ଓ ବ୍ୟବସାୟିକ ପ୍ରତିଷ୍ଠାରୁ ଲୁଟ କରାଯାଇଛି। ସେମାନଙ୍କ ପ୍ରତିଷ୍ଠାନରେ ପୋଡ଼ାଜଳ କରାଯାଇଥିବା ରିପୋର୍ଟ ମିଳିଛି। ମନ୍ଦିର ଓ ଭଗବାନଙ୍କ ପ୍ରତିମୂର୍ତ୍ତିଗୁଡ଼ିକୁ ମଧ୍ୟ ବିକୃତ କରାଯାଇଛି। ଆକ୍ରମଣକାରୀମାନେ ମୁକ୍ତ ଭାବେ ବୁଲୁଥିବା ବେଳେ ମାମଲା ଗୋଟିଏ ଧାର୍ମିକ ନେତାଙ୍କ ବିରୋଧରେ ଲଗାଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା।”

ଚିନ୍ମୟ କୃଷ୍ଣ ଦାସଙ୍କ ଗିରଫଦାରୀକୁ ବିରୋଧ କରି ହିନ୍ଦୁମାନେ କରୁଥିବା ବିକ୍ଷୋଭ ଉପରେ କରାଯାଇଥିବା ଆକ୍ରମଣ ଘଟଣାକୁ ନେଇ ମଧ୍ୟ ଭାରତ ସରକାର ଚିନ୍ତା ପ୍ରକଟ କରିଛନ୍ତି। ମନ୍ତ୍ରଣାଳୟ କହିଛି ଯେ “ଆମେ ବାଂଲାଦେଶର ଅଧିକାରୀମାନଙ୍କୁ ସମସ୍ତ ହିନ୍ଦୁ ଓ ସଂଖ୍ୟାଲଘୁ ସଂପ୍ରଦାୟର ଲୋକଙ୍କ ସୁରକ୍ଷାକୁ ନିଶ୍ଚିତ କରିବାକୁ ନିବେଦନ କରୁଛୁ। ସେହିପରି ସେଠାକାର ଅଧିକାରୀମାନେ ସଂଖ୍ୟାଲଘୁ ସଂପ୍ରଦାୟର ଲୋକଙ୍କ ବାକ ସ୍ୱାଧୀନତା ଓ ଶାନ୍ତିପୂର୍ଣ୍ଣ ବିକ୍ଷୋଭକୁ ମଧ୍ୟ ଚାପି ଦେବାକୁ ଚେଷ୍ଟା ନ କରନ୍ତୁ।”

ବାଂଲାଦେଶ ପୁଲିସ ସୋମବାର ଢାକାର ହଜରତ ଶାହାଜାଲ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଚିନ୍ମୟ କୃଷ୍ଣ ଦାସ ବ୍ରହ୍ମଚାରୀଙ୍କୁ ଗିରଫ କରିଥିଲା। ତାଙ୍କ ବିରୋଧରେ ଗୋଟିଏ ଦେଶଦ୍ରୋହ ମାମଲା ରୁଜୁ ହୋଇଥିବାରୁ ତାଙ୍କୁ ଗିରଫ କରାଯାଇଛି।

ମଙ୍ଗଳବାର ସେ ଜାମିନ ପାଇଁ ଆବେଦନ କରିଥିବା ବେଳେ ଏହାକୁ ବାଂଲାଦେଶର ଗୋଟିଏ କୋର୍ଟ ଖାରଜ କରିଦେଇଥିଲେ। ଏହାପୂର୍ବରୁ ବିଳମ୍ବିତ ରାତିରେ ହିନ୍ଦୁ ଧର୍ମର ଲୋକମାନେ ବିକ୍ଷୋଭ କରିଥିଲେ। ବିକ୍ଷୋଭକାରୀଙ୍କ ଉପରେ ପୁଲିସ୍‌ ଆକ୍ରମଣ କରିବାରୁ ୫୦ ଜଣ ଆହତ ହୋଇଛନ୍ତି।

ad-week
Leave A Reply

Your email address will not be published.