
ମାଲକାନଗିରି :ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ମାଟେରୁ ପଞ୍ଚାୟତ ଅନ୍ତର୍ଗତ ପରସନପଲ୍ଲୀ ଗ୍ରାମରେ ଥିବା ମୋବାଇଲ ଟାୱାର ଉପରକୁ ଜଣେ ଯୁବକ ଚଢି ଯାଇଥିବା ବେଳେ ପୋଲିସ ଓ ଅଗ୍ନିଶମ ବିଭାଗର ମିଳିତ ସହଯୋଗରେ ଯୁବକ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ସୁଚନା ଅନୁଯାୟୀ ଆଜି ସକାଳେ ଏହି ଗ୍ରାମର ଦୁଲା ମାଡକାମି ନାମକ ଯୁବକ ଅଚାନକ ବିଭିନ୍ନ ଅଙ୍ଗଭଙ୍ଗୀ ଦେଖାଇ ଗ୍ରାମ ମୁଣ୍ଡରେ ଥିବା ମୋବାଇଲ ଟାୱାର ଉପରକୁ ଚଢି ଯାଇଥିଲା। ଏହା ଦେଖି ସ୍ଥାନୀୟ ଲୋକେ ମାଟେରୁ ସରପଞ୍ଚ ଲଛମନ ମାଡକାମି ଙ୍କୁ ଜଣାଇବାରୁ ସେ ପଡିଆ ଅଗ୍ନିଶମ ବିଭାଗ ଓ ପୋଲିସ ଥାନାରେ ଜଣାଇଥିଲେ। ଖବର ପାଇ ଉଭୟ ପୋଲିସ ଓ ଅଗ୍ନିଶମ ବିଭାଗର ଅଧିକାରୀ ଓ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଂଚି ଦୀର୍ଘ ୨ ଘଣ୍ଟାର କସରତ ପରେ ଯୁବକ ଜଣକୁ କାବୁ କରିବାରେ ସଫଳ ହୋଇଥିଲେ। ଏହାପରେ ପୋଲିସ ଯୁବକ ଜଣକୁ ପଡିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ପ୍ରାଥମିକ ଚିକିତ୍ସା କରାଇଥିବା ଜଣାପଡ଼ିଛି। ଯୁବକ ଜଣଙ୍କୁ ଉଦ୍ଧାର ବେଳେ ପଡିଆ ଥାନା ଏସଆଇ ନିରୋଦ କୁମାର ବାଘ, ସିଦ୍ଧେଶ୍ଵର ବିଶୋଇ, ପଡିଆ ଅଗ୍ନିଶ୍ରମ ଭାରପ୍ରାପ୍ତ ଅଧିକାରୀ ନିରଞ୍ଜନ ନାୟକ, କାଲିମେଳା ଅଗ୍ନିଶ୍ରମ ବାହିନୀ ଅଧିକାରୀ ସନ୍ତୋଷ ପରିଡା ଅଗ୍ନିକ ତନୁମୟ ନାୟକ, ରାଜେନ୍ଦ୍ର ସାହୁ, ଜଗା ମୁଦୁଲି ପ୍ରମୂଖ ଉପସ୍ଥିତ ଥିଲେ। ଯୁବକ ଜଣଙ୍କ ଏଭଳି ଅଚାନକ ମୋବାଇଲ ଟାୱାର ଉପରକୁ ଚଢି ବାର ପ୍ରକୃତ କାରଣ ସମ୍ପର୍କରେ ଜଣାପଡ଼ି ନଥିବା ବେଳେ ଯୁବକ ଜଣଙ୍କ ଦୀର୍ଘ ବର୍ଷ ଧରି ମାନସିକ ବିକାରଗ୍ରସ୍ତ ରୋଗର ଶୀକାର ହୋଇଥିବା ଗ୍ରାମବାସୀ କହିଛନ୍ତି।