
— ଶିକ୍ଷା ଓ ଗବେଷଣାର ବିକାଶରେ ହେବ ସହାୟକ
— ଆଇଜର୍ ବ୍ରହ୍ମପୁରକୁ ୨୧ କିମି ବ୍ୟାପ୍ତ ସ୍ଵତନ୍ତ୍ର ୩୩ କେଭି ବିଦ୍ୟୁତ ଲାଇନ୍
— ଭରସାଯୋଗ୍ୟ ସ୍ଥାୟୀ ବିଜୁଳି ଯୋଗାଣ ପାଇଁ ୧୬.୬ କିଲୋମିଟର ଭୂତଳ ଲାଇନ୍
— ଓଭରହେଡ୍ ଲାଇନରେ “ବାର୍ଡ ଗାର୍ଡ” ସ୍ଥାପନ
ବ୍ରହ୍ମପୁର : ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ(ଟିପିଏସ୍ଓଡିଏଲ୍) ପକ୍ଷରୁ ବ୍ରହ୍ମପୁର ସ୍ଥିତ ଭାରତୀୟ ବିଜ୍ଞାନ ଶିକ୍ଷା ଏବଂ ଅନୁସନ୍ଧାନ ସଂସ୍ଥାନ(ଆଇଜର୍)କୁ ସ୍ଵତନ୍ତ୍ର ଭାବେ ୩୩ କେଭି ବିଦ୍ୟୁ୍ତ ଲାଇନ୍ ସଂଯୋଗ କରାଯାଇଛି। ଏହି ପଦକ୍ଷେପ ଦ୍ଵାରା ଭାରତର ଶିକ୍ଷା ଏବଂ ଗବେଷଣାକୁ ସୁଦୃଢ଼ କରିବା ଦିଗରେ କମ୍ପାନୀ ଭାଗୀଦାର ହୋଇପାରିଛି। ଏହା ବିଜ୍ଞାନ ଏବଂ ଗବେଷଣା କ୍ଷେତ୍ରରେ ଭାରତର ଭବିଷ୍ୟତ ନିର୍ମାଣ କରୁଥିବା ଆଇଜର ଭଳି ଜାତୀୟ ସଂସ୍ଥାକୁ ଭରସାଯୋଗ୍ୟ ବିଦ୍ୟୁତ ସେବା ଯୋଗାଇବା ଦିଗରେ ଟିପିଏସ୍ଓଡିଏଲର ପ୍ରତିବଦ୍ଧତାକୁ ଦର୍ଶାଉଛି।
ବଙ୍ଗୋପସାଗର କୂଳରେ ଗାରମପେଟା ବେଳାଭୂମିଠାରୁ ମାତ୍ର ୧ କିମି ଦୂରରେ ଓଡ଼ିଶାର ଏହି ଏକମାତ୍ର ଆଇଜର ରହିଛି। ଶିକ୍ଷା ମନ୍ତ୍ରାଳୟ ଅଧିନରେ ସାରା ଭାରତରେ ଥିବା ମୋଟ ୭ ଟି ଆଇଜର୍ ମଧ୍ୟରେ ବ୍ରହ୍ମପୁର ଆଇଜର୍ ଅନ୍ୟତମ। ଗଞ୍ଜାମ ଜିଲ୍ଲାର ଲଉଡ଼ିଗାଁଠାରେ ପ୍ରାୟ ୨୦୦ ଏକର ପରିମିତ ଅଞ୍ଚଳରେ ଏହାର ସ୍ଥାୟୀ କ୍ୟାମ୍ପସ ତିଆରି ହୋଇଛି। ଆଇଜର୍ ବ୍ରହ୍ମପୁରରେ ବିଭିନ୍ନ ରାଜ୍ୟର ୮୦୦ରୁ ଅଧିକ ଛାତ୍ରଛାତ୍ରୀ ଏବଂ ୨୫୦ରୁ ଅଧିକ ରିସର୍ଚ୍ଚ ସ୍କଲାର ଅଧ୍ୟୟନ କରୁଛନ୍ତି, ଯାହା ଫଳରେ ଏହି ଅନୁଷ୍ଠାନ ଶିକ୍ଷା ଏବଂ ସାଂସ୍କୃତିକ ବିନିମୟର ଏକ କେନ୍ଦ୍ରସ୍ଥଳୀ ପାଲଟିଛି।
ନୂତନ ଭାବେ କାର୍ଯ୍ୟକ୍ଷମ ହୋଇଥିବା ୩୩ କେଭି ବିଦ୍ୟୁତ ଲାଇନ୍ ୨୧ କିମି ବ୍ୟାପ୍ତ, ଯେଉଁଥିରେ ୧୬.୬ କିମି ଭୂତଳ ଲାଇନ୍ (ଅଣ୍ଡର ଗ୍ରାଉଣ୍ଡ) ଏବଂ ୪.୮୮ କିମି ଓଭରହେଡ୍ ଲାଇନ୍ ରହିଛି। ଏହି ଅତ୍ୟାଧୁନିକ ବିଦ୍ୟୁତ ଭିତ୍ତିଭୂମି ଆଇଜର ଭଳି ଶୈକ୍ଷିକ ଓ ଗବେଷଣା କେନ୍ଦ୍ରକୁ ଭରସାଯୋଗ୍ୟ ବିଜୁଳି ଯୋଗାଣ ସୁନିଶ୍ଚିତ କରେ। ଆଇଜର୍ ବ୍ରହ୍ମପୁର ଭଳି ଉପକୂଳବର୍ତ୍ତୀ ଅନୁଷ୍ଠାନ ପାଇଁ ଭୂତଳ ବିଦ୍ୟୁତ ଲାଇନ୍ ବ୍ୟବସ୍ଥା ବିଶେଷ ଭାବରେ ଲାଭଦାୟକ। ଜଳବାୟୁ ପ୍ରତିରୋଧୀ ବୈଶିଷ୍ଟ୍ୟ, କମ୍ ରକ୍ଷଣାବେକ୍ଷଣ ଏବଂ ଉନ୍ନତ ସୁରକ୍ଷା ଯୋଗୁଁ ଭୂତଳ ଲାଇନ୍ ବେଶ୍ ଉପଯୋଗୀ।
ଟିପିଏସ୍ଓଡିଏଲ୍ ସମଗ୍ର ପ୍ରକଳ୍ପରେ ନିରାପତ୍ତା ଏବଂ ପରିଚାଳନାଗତ ବିଶ୍ୱସନୀୟତା ଉପରେ ପ୍ରାଧାନ୍ୟ ଦେଇଛି। ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ସହ ବୈଶ୍ୱିକ ସ୍ତରର ସର୍ବୋତ୍ତମ ଅଭ୍ୟାସଗୁଡ଼ିକର ଅନୁପାଳନ ସୁନିଶ୍ଚିତ କରିବା ପାଇଁ କମ୍ପାନୀ ଅନେକ ପଦକ୍ଷେପ ନେଇଛି। ଏଥିରେ ବିଦ୍ୟୁତ ଲାଇନ୍ ପାଖରେ ଥିବା ଗଛ ଡାଳ କାଟିବା, ବିଦ୍ୟୁତ ଭିତ୍ତିଭୂମି ଚାରିପାଖରେ ବୁଦା ସଫା କରିବା, ସୁରକ୍ଷା ପାଚେରୀ ନିର୍ମାଣ, ଆଇସୋଲେଟର ବ୍ଲେଡର ଗ୍ରିଜିଂ ଏବଂ ଆର୍ଥିଙ୍ଗ କେବଲ୍ ଲିଡ ଇତ୍ୟାଦି ପଦକ୍ଷେପ ରହିଛି।
ଅତିରିକ୍ତ ସୁରକ୍ଷା ପାଇଁ ଟିପିଏସ୍ଓଡିଏଲ୍ ନିକଟରେ ଏହି ୩୩ କେଭି ଲାଇନରେ “ବାର୍ଡ୍ ଗାର୍ଡ୍” ସ୍ଥାପନ କରିଛି। ଯାହା ଦ୍ୱାରା ପକ୍ଷୀମାନେ ବିଦ୍ୟୁତ ଲାଇନ୍ ସଂସ୍ପର୍ଶରେ ଆସିବାକୁ ରୋକା ଯାଇପାରିବ। ବିଦ୍ୟୁତ ଆଘାତରୁ ପକ୍ଷୀଙ୍କ ରକ୍ଷା କରିବା ସହ ନିରବଚ୍ଛିନ୍ନ ବିଜୁଳି ଯୋଗାଣ ସୁନିଶ୍ଚିତ କରିବା ପାଇଁ ଏହି ଉପକରଣଗୁଡ଼ିକୁ ଡିଜାଇନ୍ କରାଯାଇଛି। ଏଭଳି ଅଭିନବ ପଦକ୍ଷେପ ମାଧ୍ୟମରେ ବିଦ୍ୟୁତ ଭିତ୍ତିଭୂମିରେ ସ୍ଥାୟୀତା, ନିରାପତ୍ତା ଏବଂ ବିଶ୍ୱସନୀୟତା ଆଣିବା ଦିଗରେ ଟିପିଏସ୍ଓଡିଏଲ୍ ପ୍ରତିବଦ୍ଧ ରହିଆସିଛି।
ଏ ସମ୍ପର୍କରେ ଟିପିଏସ୍ଓଡିଏଲର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଅମିତ କୁମାର ଗର୍ଗ କହିଛନ୍ତି, “ଭାରତର ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଆଇଜର୍ ବ୍ରହ୍ମପୁର ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ। ଏଭଳି ଅନୁଷ୍ଠାନକୁ ଭରସାଯୋଗ୍ୟ ତଥା ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ କରିଥିବାରୁ ଆମେ ଗର୍ବିତ। ଭବିଷ୍ୟତରେ ଏକ ସୁଦୃଢ଼ ଶକ୍ତି କ୍ଷେତ୍ରକୁ ନେଇ ଭାରତର ଭିଜନ୍ ଆଧାରରେ ସଷ୍ଟେନେବଲ୍ ଶକ୍ତି ସମାଧାନ ବିକାଶ କରିବା ଦିଗରେ ଆମେ ପ୍ରତିବଦ୍ଧ।”
ଆଇଜର୍ ବ୍ରହ୍ମପୁରର ଉନ୍ନତ ବିଦ୍ୟୁତ ଭିତ୍ତିଭୂମି ଅତ୍ୟାଧୁନିକ ଗବେଷଣା ଓ ଉଦ୍ଭାବନକୁ ପ୍ରୋତ୍ସାହିତ କରିବା ସହ ଉଚ୍ଚ ମାନର ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବ। ଏହି ପଦକ୍ଷେପ ଆଞ୍ଚଳିକ ଏବଂ ଜାତୀୟ ବିକାଶକୁ ପ୍ରୋତ୍ସାହିତ କରିବା ଉପରେ ଟିପିଏସ୍ଓଡିଏଲର ଗୁରୁତ୍ଵକୁ ପ୍ରତିଫଳିତ କରୁଛି।
ଏହି ପ୍ରକଳ୍ପ ମାଧ୍ୟମରେ ଶିକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରକୁ ଅତ୍ୟାଧୁନିକ ସ୍ଥାୟୀ ଶକ୍ତି ସମାଧାନ ଯୋଗାଇ ଭାରତର ବିକାଶ ଯାତ୍ରାକୁ ତ୍ୱରାନ୍ୱିତ କରିବା ଦିଗରେ ଟିପିଏସ୍ଓଡିଏଲ୍ ସଂକଳ୍ପବଦ୍ଧ। ଆଇଜର୍ ବ୍ରହ୍ମପୁର ଭଳି ଅନୁଷ୍ଠାନକୁ ଉତ୍ତମ ବିଦ୍ୟୁତ ସେବା ଯୋଗାଣ କରିବା ପରେ ବିଜ୍ଞାନ, ଶିକ୍ଷା ଏବଂ ନିରନ୍ତର ବିକାଶ କ୍ଷେତ୍ରରେ ବିଶ୍ୱସ୍ତରରେ ଭାରତର ସ୍ଥିତି ସୁଦୃଢ କରିବାରେ ଟିପିଏସ୍ଓଡିଏଲ୍ ଭାଗୀଦାର ହୋଇପାରିଛି।