
ହିଞ୍ଜିଳିକାଟୁ : ଗଞ୍ଜାମ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ବିଜୟ କୁମାର ପଣ୍ଡା ଶନିବାର ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟ ପରିଦର୍ଶନ କରିଛନ୍ତି। ଚିକିତ୍ସାଳୟ ପରିସର ସଫେଇ କାର୍ଯ୍ୟକୁ ପ୍ରଶଂସା କରିଥିଲେ। ନିରାମୟ କେନ୍ଦ୍ରରୁ ରୋଗୀ ଓ ସମ୍ପର୍କୀୟ ମାନେ ଲାଇନରେ ରହି ଔଷଧ ନେଉଥବା ଦେଖି ସନ୍ତୋଷବ୍ୟକ୍ତ କରିଥିଲେ। କିଛି କର୍ମଚାରୀ କାର୍ଯ୍ୟରେ ଅବହେଳା କରୁଥିବା ଦେଖି ତାଗିଦ୍ କରିଥିଲେ। କାର୍ଯ୍ୟରେ ଅବହେଳା ପ୍ରଦର୍ଶନ କରୁଥିବା କର୍ମଚାରୀଙ୍କୁ ତାଗିଦ୍ କରିବା ସହ ରୋଗୀଙ୍କୁ ଆବଶ୍ୟକୀୟ ସହାୟତା ଓ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ପରାମର୍ଶ ଦେଇଥିଲେ। ଆଗାମୀ ଦିନରେ କାର୍ଯ୍ୟରେ ଅବହେଳା ପ୍ରଦର୍ଶନ କରୁଥିବା କର୍ମଚାରୀଙ୍କ ବିରୁଦ୍ଧରେ ଆଇନଗତ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଥିଲେ। ପରେ ଚିକିତ୍ସାଳୟ ଅଧିକ୍ଷକ ଡାକ୍ତର ଶ୍ରୀକାନ୍ତ ସାହୁ ଓ ବହୁ ଡାକ୍ତରମାନଙ୍କ ସହ ଚିକିତ୍ସାଳୟର ବିଭିନ୍ନ ଅସୁବିଧା ସମ୍ପର୍କରେ ଆଲୋଚନା କରିଥିଲେ। ଆବଶ୍ୟକ ଡାକ୍ତର, କର୍ମଚାରୀ ଅଭାବ ସହ ଚିକିତ୍ସାଳୟର ବିଭିନ୍ନ ଅଭାବ ଅସୁବିଧା ସମ୍ପର୍କରେ ଅଧିକ୍ଷକ ଶ୍ରୀ ସାହୁ ସିଡିଏମଓ ଶ୍ରୀ ପଣ୍ଡାଙ୍କ ସହ ଆଲୋଚନା କରିଥିଲେ। ଆଗାମୀ ଦିନରେ ଆବଶ୍ୟକ ଡାକ୍ତର ଓ କର୍ମଚାରୀ ନିଯୁକ୍ତି ସହ ଅନ୍ୟାନ୍ୟ ଅସୁବିଧାର ସମାଧାନ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସମ୍ମତି ଜଣାଇଥିଲେ। ଅନ୍ୟପକ୍ଷରେ ସିଡିଏମଓଙ୍କ ଅଚାନକ ଗସ୍ତ ଫଳରେ କାର୍ଯ୍ୟରେ ଅବହେଳା ପ୍ରଦର୍ଶନ କରୁଥିବା କର୍ମଚାରୀଙ୍କ ମନରେ ଛନକା ପଶିଯାଇଛି। ସିଡିଏମଓଙ୍କ ଗସ୍ତ ବେଳେ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡ଼ାକ୍ତର ପ୍ରତିଭା ପାତ୍ର, ଡାକ୍ତର ମାଧବ ସାହୁ, ଶିଶୁ ରୋଗ ବିଶେଷଜ୍ଞ ଡ଼ାକ୍ତର ଦୁର୍ଗା ପ୍ରସାଦ ପଣ୍ଡା, ଡାକ୍ତର ଶୟମ୍ଭୁ ରାୟ, ଡାକ୍ତର ସନ୍ତୋଷ ଷଡ଼ଙ୍ଗୀ , ଫାର୍ମାସିଷ୍ଟ କାର୍ତ୍ତିକେଶ୍ବର ସାହୁ, ସତ୍ୟ ପଟ୍ଟନାୟକଙ୍କ ସମେତ ବହୁ କର୍ମଚାରୀ ଉପସ୍ଥିତ ଥିଲେ।