ମୋବାଇଲ ଟାୱାର ପାଇଁ ଆନ୍ଦୋଳନକୁ ଓହ୍ଲାଇଲେ ଗ୍ରାମବାସୀ

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଅନେକ ଅଞ୍ଚଳକୁ ଆଜି ପର୍ଯ୍ୟନ୍ତ ପହଞ୍ଚି ନାହିଁ ମୋବାଇଲ ନେଟୱାର୍କ । ଫଳରେ ଗୁରୁତର ବାଧାପ୍ରାପ୍ତ ହେଉଛି ଅନଲାଇନ କାମ। ପାହାଡ଼ ପର୍ବତ ଅଞ୍ଚଳ ଲୋକ ଆମ୍ୱୁଲାନ୍ସ ଗାଡି ଯୋଗାଯୋଗ କରିବା ପାଇଁ ମଧ୍ୟ ମୌଳିକ ସୁବିଧା ପାଇବାରେ ବଞ୍ଚିତ ହେଉଛନ୍ତି । ବାରମ୍ବାର ଦାବି କରି ମଧ୍ୟ ଫଳ ମିଳୁନାହିଁ । ତେଣୁ ବାଧ୍ୟ ହୋଇ ରାସ୍ତାକୁ ଓହ୍ଲାଉଛନ୍ତି ଲୋକେ। ସୋମବାର ସକାଳୁ ଫିରିଙ୍ଗିଆ ବ୍ଲକ କ୍ରାଣ୍ଡିବାଲି ପଞ୍ଚାୟତ ଲୋକେ ମୋବାଇଲ ନେଟୱାର୍କ ଦାବିରେ ରାସ୍ତାରୋକ କରିଛନ୍ତି । କାମଟଣା ପୋଲ ଉପରେ ଗ୍ରାମବାସୀ ଟାୟାର ଜାଳି ରାସ୍ତା ଅବରୋଧ କରିବା ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ପୋଲିସ ଓ ପ୍ରଶାସନିକ ଅଧିକାରୀ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛନ୍ତି। ତେବେ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି ଜିଦ ଧରିଛନ୍ତି ଲୋକେ
।  ଯାହା ସୂଚନା ରହିଚି ପଞ୍ଚାୟତ ମୂଖ୍ୟାଳୟ କ୍ରାଣ୍ଡିବାଲି ଠାରେ ଏକ ବିଏସଏନଏଲ ଟାୱାର ଥିଲେ ମଧ୍ୟ ପ୍ରାୟ ଦଶ ମାସ ହେଲା ତାହା ଅଚଳ ହୋଇ ପଡି ରହିଛି । ସେହିଭଳି କାମଟଣା ଠାରେ ୬ ମାସ ତଳୁ ଏକ ଜିଓ ଟାଓ୍ବାର ସ୍ଥାପନ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହେଉନାହିଁ । ଏହି ସମସ୍ୟା ନେଇ ଗ୍ରାମବାସୀ ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି । ଦୁଇ ଦିନ ତଳେ ସମିତି ସଭ୍ୟ ଜିଲାପାଳଙ୍କୁ ଭେଟି ଦାବି ଜଣାଇବା ସହ ସମସ୍ୟା ସମାଧାନ ନ ହେଲେ ଆନ୍ଦୋଳନ କରାଯିବ ବୋଲି କହିଥିଲେ। ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆ ନ ଯିବାରୁ ସୋମବାର ସକାଳୁ ଶତାଧିକ ଗ୍ରାମବାସୀ କାମଟଣା ପୋଲ ଉପରେ ରାସ୍ତା ଅବରୋଧ କରିଛନ୍ତି।

nis-ad
Leave A Reply

Your email address will not be published.