
ଫୁଲବାଣୀ : ଯାତ୍ରୀବାହୀ ବସ ସହ ବାଇକ ମୁହାଁମୁହିଁ ଧକ୍କା । ବାଇକ ଚାଳକ ମୃତ। ଶୁକ୍ରବାର ବିଳମ୍ବିତ ରାତିରେ ଫୁଲବାଣୀ ସଦର ଥାନା ବିଶିପଡା ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତକ ଜଣକ ସାରଙ୍ଗଡ ଅଞ୍ଚଳର ଗୌରଚନ୍ଦ୍ର ନାୟକ ବୋଲି ଜଣାପଡିଛି।
ସୂଚନା ଅନୁଯାୟୀ, ଗୌରଚନ୍ଦ୍ର ନାୟକ ଶୁକ୍ରବାର କୌଣସି କାମରେ ଫୁଲବାଣୀ ଆସି ରାତିରେ ବାଇକ୍ ଯୋଗେ ସାରଙ୍ଗଡ ଫେରୁଥିଲେ। ଏହି ସମୟରେ ସଦର ଥାନା ବିଶିପଡା ଛକ ନିକଟରେ ବରଗଡରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ସରକାରୀ ଯାତ୍ରୀବାହୀ ବସ୍ ସହିତ ମୁହାଁମୁହିଁ ଧକ୍କା ହୋଇଥିଲେ। ଫଳରେ ଗୌରଙ୍କ ଘଟଣାସ୍ଥଳ ରେ ମୃତ୍ୟୁ ହୋଇଥିଲା। ଖବର ପାଇ ସଦର ଥାନା ଅଧିକାରୀ ପହଞ୍ଚି ଯାତ୍ରୀମାନଙ୍କୁ ଫୁଲବାଣୀ ବସଷ୍ଟାଣ୍ଡରେ ପହଞ୍ଚାଇବା ବ୍ୟବସ୍ଥା କରିଥିଲେ। ଯାତ୍ରୀମାନେ ଅନ୍ୟ ବସ୍ରେ ନିଜ ନିଜ ଗନ୍ତବ୍ୟସ୍ଥଳକୁ ଯାଇଥିଲେ।ତେବେ ପୋଲିସ ବସ୍କୁ ଜବତ କରିବା ସହିତ ଡ୍ରାଇଭରଙ୍କୁ ଅଟକ ରଖିଛି।