ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାବର୍ତ୍ତୀ ପଡିଆ ବ୍ଲକ ଅନ୍ତର୍ଗତ ବଦିନଗୁଡା ଗ୍ରାମ ରାସ୍ତାରେ ଲାଗିଥିବା ବିଏସଏନ୍ଏଲ ଟାୱାର ର ବ୍ୟାଟେରୀ ଚୋରି ହୋଇଥିବା ଜଣାପଡିଛି। ସୁଚନା ମୁତାବକ ଏମଭି ୫୮ ଗ୍ରାମ ଠାରୁ ଉଣ୍ଡୁରୁକୋଣ୍ଡା ପର୍ଯ୍ୟନ୍ତ ଜଙ୍ଗଲ ରାସ୍ତା ସମେତ ବଦିନଗୁଡା, ସୁପୁଲୁର ଓ ଆଖପାଖ ଅଞ୍ଚଳରେ ମୋବାଇଲ ନେଟୱାର୍କ ଉପଲବ୍ଧ ପାଇଁ ବିଏସଏନ୍ଏଲ ପକ୍ଷରୁ ସାଚୁରେସନ ପ୍ରୋଜେକ୍ଟ ମାଧ୍ୟମରେ ବଦିନଗୁଡା ରାସ୍ତା ନିକଟରେ ଏକ ଟାୱାର ସ୍ଥାପନ କରାଯାଇଥିଲା। ତେବେ ଗତ ୧୨ ତାରିଖ ଦିନ ଏହି ଟାୱାର ତଦାରଖ ପାଇଁ ବିଭାଗୀୟ ଯନ୍ତ୍ରି ଆସିଥିବା ବେଳେ ଏହି ଟାୱାର ପାଇଁ ଲାଗିଥିବା ବ୍ୟାଟେରୀ ଗୁଡିକ ମଧ୍ୟରୁ ମୋଟ ୫ଟି ବ୍ୟାଟେରୀ ନଥିବା ଦେଖିବାକୁ ମିଳିଥିଲା। ଏ ନେଇ ବିଭାଗୀୟ ଯନ୍ତ୍ରୀ ଓ ସହାୟକ ଏଣେତେଣେ ଖୋଜାଖୋଜି କରି ନପାଇ ଶେଷରେ ପଡିଆରେ ଥାନାରେ ଲିଖିତ ଭାବେ ଜଣାଇଥିଲେ। ଏହି ଘଟଣା ବାବଦରେ ସୂଚନା ପାଇ ପୋଲିସ ପକ୍ଷରୁ ତଦନ୍ତ ପ୍ରକ୍ରିୟା ଆରମ୍ଭ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି। ଅନ୍ୟପଟେ ଗତ କିଛିଦିନ ଧରି ସ୍ଥାନୀୟ ଅଞ୍ଚଳବାସୀ ବିଏସଏନ୍ଏଲ ନେଟୱାର୍କ ସେବାରୁ ବିରତ ହୋଇ ରହିଥିବାରୁ ତୁରନ୍ତ ଏହି ଟାୱାରରେ ବ୍ୟାଟେରୀ ସଂଯୋଗ କରି ଚାଲୁ କରିବାକୁ ଗଣମାଧ୍ୟମ ଜରିଆରେ ଦାବୀ କରିଛନ୍ତି।
