ତୃଣମୂଳ ସ୍ତରରେ ଲୋକଙ୍କ ସମସ୍ୟା ସମାଧାନ କର: ମୁଖ୍ୟମନ୍ତ୍ରୀ

add-all

ଭୁବନେଶ୍ଵର: ପୁଣି ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି। ଲୋକଙ୍କ ଅଭିଯୋଗ ଶୁଣିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ଷଷ୍ଠ ପାଳିରେ ଆଜି ଅନେକ ଅଭିଯୋଗର ଶୁଣାଣି କରିଥିଲେ ମୁଖ୍ୟମନ୍ତ୍ରୀ।

ଆସିଥିବା ଅଭିଯୋଗ ଗୁଡିକ ମଧ୍ୟରେ ଅଧିକାଂଶ ଅଭିଯୋଗ ଘର, ଭତ୍ତା ଓ ଅନ୍ୟାନ୍ୟ ମୌଳିକ ସମସ୍ୟା ରହିଥିବା ଜାଣିବାକୁ ମିଳିଛି। ଏହି ସବୁ ସମସ୍ୟାଗୁଡିକୁ ତୁରନ୍ତ ତୃଣମୂଳ ସ୍ତରରେ ସମାଧାନ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଉପସ୍ଥିତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଅଭିଯୋଗ ଶୁଣାଣିରେ ଦିବ୍ୟାଙ୍ଗ ମାନଙ୍କୁ ପ୍ରାଥମିକତା ମିଳିଥିବା ବେଳେ ମୁଖ୍ୟମନ୍ତ୍ରୀ ପ୍ରଥମେ ୩୦ଜଣ ଭିନ୍ନକ୍ଷମ ବ୍ୟକ୍ତିଙ୍କ ଅଭିଯୋଗ ଶୁଣିଥିଲେ। ପ୍ରତ୍ୟେକ ଭିନ୍ନକ୍ଷମ ବ୍ୟକ୍ତିଙ୍କ ପାଖକୁ ମୁଖ୍ୟମନ୍ତ୍ରୀ ନିଜେ ଯାଇ ସେମାନଙ୍କ ସମସ୍ୟା ଶୁଣିବା ସହିତ ସମାଧାନ ପାଇଁ ଉପସ୍ଥିତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ସୂଚନା  ଅନୁଯାୟୀ, ଆଜି ପ୍ରାୟ ୧୦୦୦ ଜଣ ଲୋକ ଅଭିଯୋଗ ଶୁଣାଣି ପାଇଁ ପଞ୍ଜିକରଣ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହିତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ଖୁଣ୍ଟିଆ ଏବଂ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବିନାରାୟଣ ନାୟକ ପ୍ରମୁଖ ଉପସ୍ଥିତ ରହି ଅଭିଯୋଗ ଶୁଣିଥିଲେ।

ଏହି କାର୍ଯ୍ୟକ୍ରମରେ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ କୁମାର ସିଂହ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.