
ମାଲକାନଗିରି : ଆଜି ନିୟନ୍ତ୍ରିତ ବଜାର କମିଟି ମାର୍କେଟ ୟାର୍ଡରେ ଜିଲ୍ଲାରେ ଖରିଫ ଧାନମଣ୍ଡି ସ୍ଥାନୀୟ ବଜାର କମିଟି ପ୍ରାଙ୍ଗଣରେ ଜିଲ୍ଲାପାଳ ଆଶିଷ ଇଶ୍ଵର ପାଟିଲଙ୍କ ଅଧ୍ୟକ୍ଷତାରେ ଉଦଘାଟିତ ହୋଇଛି । ଆଜି ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଯୋଗଦେଇ ଆନୁଷ୍ଠାନିକ ଭାବେ ଧାନ ମଣ୍ଡି ଉଦଘାଟନ କରିବା ସହିତ ନିଜେ ଚାଷୀଙ୍କ ଧାନ ଡିଜିଟାଲ ମେସିନରେ ଓଜନ କରିଥିଲେ । ଏହା ସହ ଧାନର ମାନ ନିର୍ଦ୍ଧାରଣ ରିପୋର୍ଟ ଚାଷୀଙ୍କୁ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, ମାଲକାନଗିରି ବିଧାୟକ ନରସିଂହ ମାଡକାମି, ଏସପି ବିବେକା ନନ୍ଦ ଶର୍ମା, ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ ଯୋଗଦେଇ ଜିଲ୍ଲାରେ ସୁଚାରୁ ଭାବେ ଧାନ ମଣ୍ଡି ପରିଚାଳନା ସହିତ ଚାଷୀ ଯେପରି ଅସୁବିଧାର ସମ୍ମୁଖିନ ନହେବେ ସେଥି ପ୍ରତି ଦୃଷ୍ଟି ଦେବାକୁ ଗୁରୁତ୍ୱାରୋପ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଉପଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ ପରିଚାଳନା କରିଥିଲେ । ଜିଲ୍ଲା ଯୋଗାଣ ଅଧିକାରୀ ଏମ.ଏମ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଉପମୁଖ୍ୟମନ୍ତ୍ରୀ ଚାଷୀମାନଙ୍କ ସୁବିଧା ଅସୁବିଧା କଥା ପଚାରି ବୁଝିବା ସହିତ ଧାନମଣ୍ଡି ବୁଲି ଦେଖିଥିଲେ । ଏହି କାର୍ଯ୍ୟକ୍ରମରେ ନିୟନ୍ତ୍ରିତ ବଜାର କମିଟି ସଂପାଦକ ଦେବୀ ପ୍ରସାଦ ତ୍ରିପାଠୀ, ଲ୍ୟାମ୍ପସ ପରିଚାଳକ, ମିଲର ଓ ଶତାଧିକ ଚାଷୀ ମାନେ ଉପସ୍ଥିତ ଥିଲେ । ଜିଲ୍ଲାରେ ସୁଚାରୁ ଭାବେ ଚାଷୀମାନଙ୍କ ଠାରୁ ଧାନକ୍ରୟ କରି ଠିକ ସମୟରେ ଉପଯୁକ୍ତ ମୂଲ୍ୟ ଦେବା ସହିତ ଚାଷୀମାନେ ଯେପରି ବାରମ୍ବାର ମଣ୍ଡିକୁ ଆସି ହଇରାଣ ନହୁଅନ୍ତି, ସେଥିପ୍ରତି ଦୃଷ୍ଟି ଦେବାପାଇଁ ମଞ୍ଚାସିନ ଅତିଥିମାନେ କହିଥିଲେ । ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ୯ଲକ୍ଷ ୨୩ହଜାର ୮୫୦ କୁଇଣ୍ଟାଲ ଧାନ କ୍ରୟହେବା ପାଇଁ ଟାର୍ଗେଟ ରହିଛି ।