ସୁନ୍ଦରଗଡ : ସୁନ୍ଦରଗଡର କଳା, ସଂସ୍କୃତି ଓ ନାଟକ ଦିଗନ୍ତର କିମ୍ବଦନ୍ତୀ ସ୍ବର୍ଗତ ପ୍ରଦୀପ ଭୋଳଙ୍କ ପୁଣ୍ୟତିଥି ଆଜି ସୁନ୍ଦରଗଡ ଜିଲ୍ଲା କ୍ରୀଡ଼ା ସଂସଦ ପରିସରରେ ଅନୁଷ୍ଠିତ ହୋଇ ଯାଇଛି । ସ୍ବର୍ଗତ ଭୋଳଙ୍କ ପାଇଁ ସୁନ୍ଦରଗଡ କଳା, ସଂସ୍କୃତି ଓ ନାଟକ ଦିଗରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲା। ସେ ଥିଲେ ଏକାଧାରରେ ଓଡ଼ିଶାର ଜଣେ ସୁନାମଧନ୍ୟ ଲେଖକ, ପ୍ରଯୋଜକ, ନିର୍ଦ୍ଦେଶକ ଓ ନାଟ୍ୟକାର। ତାଙ୍କ ରଚିତ ଅନେକ ନାଟକ ଆଜି ମଧ୍ୟ ଲୋକଙ୍କ ଦେହରେ ସୃଷ୍ଟି କରେ ଏକ ଅପୂର୍ବ ଶିହରଣ। ତାଙ୍କ ଅବର୍ତ୍ତମାନରେ ମଧ୍ୟ ତାଙ୍କ କାଳଜୟୀ ସୃଜନା ଅନେକ ସ୍ଥାନରେ ମଞ୍ଚସ୍ଥ ହୋଇ ସାଉଁଠିଛି ଅନେକ ପ୍ରଶଂସା। ସ୍ବର୍ଗତ ଭୋଳଙ୍କ ରଚିତ ଓ ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର “ଚିନି” ଓଡ଼ିଶାର ପୁରପଲ୍ଲୀରେ ଆଦୃତ ହୋଇଥିଲା। “ମାଉ”, କାଉଁର, ମାମୁଁ ପରି ଅନେକ ନାଟକ ପାଇଁ ସେ ସବୁଦିନେ ମନେ ରହିବେ ବୋଲି ପ୍ରକାଶ କରନ୍ତି ତାଙ୍କ ସହଯୋଗୀ। ଆଜିର ଏହି ଶ୍ରଦ୍ଧାଞ୍ଜଳି ସଭାରେ ସୁନ୍ଦରଗଡର ଅନ୍ୟତମ ପୁରାତନ ସାଂସ୍କୃତିକ ସଂସ୍ଥା ନବଜୀବନର ସଭାପତି ପ୍ରଭାତ କୁମାର ଭୋଳ ଅଧ୍ୟକ୍ଷତା କରି ସ୍ବର୍ଗତ ଭୋଳଙ୍କ ଅବଦାନକୁ ସ୍ମରଣ କରିଥିଲେ। ସ୍ବର୍ଗତ ଭୋଳଙ୍କ ଫୋଟୋ ଚିତ୍ରରେ ମାଲ୍ୟାର୍ପଣ ତଥା ପୁଷ୍ପପ୍ରଦାନ ପୂର୍ବକ ଶ୍ରଦ୍ଧାଞ୍ଜଳି ସୁମନ ଅର୍ପଣ କରିଥିଲେ। ବରିଷ୍ଠ କଳାକାର ରାଜକିଶୋର ମହାରଣା ଓ ଗୁଣନିଧି ମହାନ୍ତି ସ୍ବର୍ଗତ ଭୋଳଙ୍କ ପ୍ରତିଷ୍ଠା , ସମ୍ମାନ ତଥା ପରମ୍ପରାକୁ ଆଗକୁ ନେବା କାର୍ଯ୍ୟକ୍ରମ ହାତକୁ ନେବା ପାଇଁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ। ଉକ୍ତ ସ୍ମୃତି ସଭାରେ ନବଜୀବନ ସଭାପତି ପ୍ରଭାତ ଭୋଳ, ଦେବେନ ଅମାତ, ରୀତା ସାହୁ, ଲକ୍ଷିପ୍ରୀୟା ପତି, ଇଚ୍ଛାରାଣୀ ସାହୁ, ସଚିନ ସାହୁ, ରାଜକିଶୋର ମହାରଣା , ଗୁଣନିଧି ମହାନ୍ତି, ମନୋଜ ମହାରଣା, ବିଜୟ ମହାରଣା, ଶ୍ୟାମ ନନ୍ଦନ ସହାୟ, କିଶୋର ରଥ, ଅଶ୍ଵିନୀ ପଟେଲ, ରୋନକ ପଟେଲ, ଆଶିଷ ଦେ, ଲିଜାରାଣୀ ସାହୁ, ଜୟଦେବ ପାତ୍ର,ଗୋପକୃଷ୍ଣ ନାଏକ,କୁମୁଦ ପଣ୍ଡା ଓ ପ୍ରଭାସ ଭୋଳ ପ୍ରମୁଖ ଉପସ୍ଥିତ ରହି ସ୍ବର୍ଗତ ଭୋଳଙ୍କ ସ୍ମୃତିଚାରଣ କରିଥିଲେ। ତାଙ୍କ ସ୍ମୃତିରେ ବସନ୍ତ ମହୋତ୍ସବ ଆସନ୍ତା ଫେବୃଆରି ଦ୍ଵିତୀୟ ସପ୍ତାହରେ ତିନି ଦିନ ଧରି ଅନୁଷ୍ଠିତ ହେବ ଯେଉଁଥିରେ ପ୍ରତିଦିନ ଦୁଇଟି ନାଟକ ଅନୁଷ୍ଠିତ ହେବ ତଥା ଏହି ମହୋତ୍ସବରେ ରାଜ୍ୟରେ ବିଭିନ୍ନ ସ୍ଥାନରୁ ସାଂସ୍କୃତିକ ଅନୁଷ୍ଠାନ ଗୁଡ଼ିକ ଅଂଶଗ୍ରହଣ କରିବେ ବୋଲି ପ୍ରକାଶ କରିଛନ୍ତି ନବଜୀବନ ସଭାପତି ପ୍ରଭାତ ଭୋଳ।
