ସୁନ୍ଦରଗଡ ବ୍ରହ୍ମକୁମାରୀ ଆଶ୍ରମରେ ବିଶ୍ବଧ୍ୟାନ ଦିବସ ପାଳିତ

add-all

ସୁନ୍ଦରଗଡ : ସ୍ଥାନୀୟ ଏକତାନଗରସ୍ଥିତ ପ୍ରଭୁ ଉପହାର ଭବନରେ ପ୍ରଜାପିତା ବ୍ରହ୍ମ କୁମାରୀ ଇଶ୍ଵରୀୟ ବିଶ୍ଵ ବିଦ୍ୟାଳୟ ଦ୍ଵାରା ବିଶ୍ଵ ଧ୍ୟାନ ଦିବସ ପାଳିତ ହୋଇ ଯାଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ସୁରଞ୍ଜନ ସାହୁ ଦୀପ ପ୍ରଜ୍ଜ୍ୱଳନ କରି ଶୁଭାରମ୍ଭ କରିଥିଲେ। ସେ ଏଭଳି କାର୍ଯ୍ୟକ୍ରମ ଆୟୋଜନ ପାଇଁ ସୁନ୍ଦରଗଡ ପ୍ରଜାପିତା ବ୍ରହ୍ମ କୁମାରୀ ଇଶ୍ଵରୀୟ ବିଶ୍ଵ ବିଦ୍ୟାଳୟ ଅନୁଷ୍ଠାନକୁ ସାଧୁବାଦ ଜଣାଇଥିଲେ। ଆଶ୍ରମର ସୁସ୍ଥ ଓ ସୁନ୍ଦର ପରିବେଶ ପାଇଁ ତଥା ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ପାଇଁ ପ୍ରଜାପିତା ବ୍ରହ୍ମ କୁମାରୀ ଇଶ୍ଵରୀୟ ବିଶ୍ଵ ବିଦ୍ୟାଳୟର ଅବଦାନର ଭୂୟସୀ ପ୍ରଶଂସା କରିବା ସହିତ ରାଜଯୋଗ ଧ୍ୟାନ ଦ୍ଵାରା ବିଭିନ୍ନ ପରିସ୍ଥିତିରେ ମନରେ ଶାନ୍ତି , ସ୍ନେହ ଓ ସଦ୍ଭାବ ଜାଗ୍ରତ ହୁଏ ବୋଲି ମତବ୍ୟକ୍ତ କରିଥିଲେ। ମୁଖ୍ୟବକ୍ତା ଭାବରେ ସୁନ୍ଦରଗଡ ସେବାକେନ୍ଦ୍ରର ସଂଚାଳିକା ରାଜଯୋଗିନୀ ଜ୍ୟୋତ୍ସ୍ନା ବିଶ୍ଵ ଧ୍ୟାନ ଦିବସ ଉପରେ ଆଲୋକପାତ କରି ପ୍ରାଚୀନ ରାଜଯୋଗ, ଧ୍ୟାନ ଯୋଗ ଦ୍ଵାରା ନିଜ ଆତ୍ମାର ମନ ଓ ବୁଦ୍ଧିକୁ ପିତା ପରମାତ୍ମାଙ୍କ ସହିତ ଯୋଡ଼ିବା ସହିତ ପ୍ରଭୂମିଳନ ହୋଇଥାଏ ବୋଲି ପ୍ରକାଶ କରିବା ସହିତ ଏତଦ୍ ଦ୍ଵାରା ପାରମାତ୍ମାଙ୍କ ଠାରୁ ଶକ୍ତି ପ୍ରାପ୍ତ କରିବା ସହିତ ଆନ୍ତରିକ ଶାନ୍ତି, ଶକ୍ତି, ପ୍ରେମ ଓ ସଦ୍ ଭାବନା ମିଳିଥାଏ ବୋଲି ପ୍ରକାଶ କରିଥିଲେ। ସମ୍ମାନନୀୟ ଅତିଥି ଭାବରେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଦୁର୍ଗାମାଧବ ପଟେଲ ଯୋଗଦାନ କରି ସକାରାତ୍ମକ ଚିନ୍ତା ଦ୍ଵାରା ଜୀବନରେ ପରିବର୍ତ୍ତନ ସମ୍ଭବ ବୋଲି ମତ ବ୍ୟକ୍ତ କରିଥିଲେ। ବ୍ରହ୍ମାକୁମାର ବାଣେଶ୍ୱର କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥିଲେ। ସେ ତାଙ୍କ ବକ୍ତବ୍ୟରେ ସଂଯୁକ୍ତ ରାଷ୍ଟ୍ର ଡିସେମ୍ବର ୨୧ ତାରିଖକୁ ବିଶ୍ଵ ଧାନ ଦିବସ ରୂପେ ପାଳନ କରିବା ପାଇଁ ଘୋଷଣା କରିବାର ସୂଚନା ଦେବା ସହିତ କିପରି ଧ୍ୟାନ ଦ୍ଵାରା ଏକ ସୁସ୍ଥ ସମାଜ ଗଠନ ହୋଇ ପାରିବ ସେ ବିଷୟରେ ବର୍ଣନା କରିଥିଲେ। ମୁଖ୍ୟ ଜିଲ୍ଲା ଚିକିତ୍ସା କାର୍ଯ୍ୟାଳୟର ଅଧିକାରୀ ବ୍ରହ୍ମାକୁମାର ଅଜୟ ଧନ୍ୟବାଦ ପ୍ରଦାନ କରିବା ସହିତ ସମସ୍ତଙ୍କୁ ରାଜଯୋଗ ଶିଖିବା ପାଇଁ ଅନୁରୋଧ କରିଥିଲେ। ଏହି କାର୍ଯ୍ୟକ୍ରମରେ ବ୍ରହ୍ମାକୁମାରୀ ନିରୁପମା, ସୁଜାତା, ସୁଧା ଏବଂ ବ୍ରହ୍ମକୁମାର ଗଗନ, ବିବେକ, ଆଲୋକ ଓ ପଦ୍ମନ ସହଯୋଗ କରିଥିଲେ। ସହରର ବିଭିନ୍ନ ରାଜଯୋଗୀ ବ୍ରହ୍ମକୁମାର , ବ୍ରହ୍ମ କୁମାରୀ ଏବଂ ସୁନ୍ଦରଗଡ ନର୍ସ ଟ୍ରେନିଂ ବିଦ୍ୟାଳୟର ଛାତ୍ରୀମାନେ ଯୋଗ ଦେଇ କାର୍ଯ୍ୟକ୍ରମର ଶୋଭା ବଢ଼ାଇଥିଲେ।

ad-week
Leave A Reply

Your email address will not be published.