ପ୍ରିୟଙ୍କା ଗାନ୍ଧିଙ୍କ ସଦସ୍ୟତାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ

add-all

କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ଡେବ୍ୟୁ ନିର୍ବାଚନକୁ କୋର୍ଟରେ ଚ୍ୟାଲେଞ୍ଜ। ୱାୟନାଡ ଆସନରେ ହୋଇଥିବା ଉପନିର୍ବାଚନରେ ପ୍ରିୟଙ୍କା ଗାନ୍ଧିଙ୍କଠାରୁ ବିପୁଳ ଭୋଟରେ ହାରିଥିବା ବିଜେପି ନେତ୍ରୀ ନବ୍ୟା ହରିଦାସ ଉପନିର୍ବାଚନକୁ ଚ୍ୟାଲେଞ୍ଜ କରି କେରଳ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଉପନିର୍ବାଚନ ପାଇଁ ଭରିଥିବା ନାମାଙ୍କନ ପତ୍ରରେ ପ୍ରିୟଙ୍କା ଗାନ୍ଧି ନିଜର ଓ ନିଜ ପରିବାରର ସମ୍ପତ୍ତିର ତଥ୍ୟ ସଠିକ ଭାବେ ଦେଇନଥିବା ଦର୍ଶାଇ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ବିଜେପି ନେତ୍ରୀ।

ହାଇକୋର୍ଟରେ ଦାଖଲ କରିଥିବା ପିଟିସନରେ ବିଜେପି ନେତ୍ରୀ ନବ୍ୟା ହରିଦାସ ଅଭିଯୋଗ କରିଛନ୍ତି ଯେ ଉପନିର୍ବାଚନ ସମୟରେ ପ୍ରିୟଙ୍କା ନାମାଙ୍କନ ପତ୍ରରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇନାହାନ୍ତି। ଏପରିକି ସେ ନିଜର ଓ ନିଜ ସମ୍ପତ୍ତିର ପ୍ରକୃତ ତଥ୍ୟ ଲୁଚାଇ ଭୁଲ ତଥ୍ୟ ଦେଇଛନ୍ତି। ଏହା ନିର୍ବାଚନ ଆଚରଣ ବିଧିର ଉଲ୍ଲଂଘନ। ଏନେଇ ସେ ଗଣମାଧ୍ୟମକୁ କହିଛନ୍ତି ଯେ ଆମେ ପ୍ରଥମେ ନିର୍ବାଚନ ଆୟୋଗଙ୍କ ନିକଟରେ ଏହି ଅଭିଯୋଗ କରିଥିଲୁ। ହେଲେ ଆମ ଆଶାନୁଯାୟୀ ସେଭଳି କୌଣସି ପଦକ୍ଷେପ ନିଆଗଲା ନାହିଁ। ଶେଷରେ ଆମେ ହାଇକୋର୍ଟରେ ପିଟିସନ ଦାଖଲ କରିଛୁ। ଏହି ମାମଲାକୁ ନେଇ ବିଜେପି ନେତ୍ରୀଙ୍କ ଓକିଲ କହିଛନ୍ତି ଯେ ନିଜ ସମ୍ପତ୍ତିର ଭୁଲ ତଥ୍ୟ ଦେବା ଏବଂ ତଥ୍ୟ ଲୁଚାଇ ଭୋଟରଙ୍କୁ ଅନ୍ଧାରରେ ରଖିଥିବାରୁ ପ୍ରିୟଙ୍କା ଗାନ୍ଧିଙ୍କ ସଦସ୍ୟତା ରଦ୍ଦ କରିବାକୁ ପିଟିସନରେ ଦାବି କରାଯାଇଛି। ତେବେ ଡିସେମ୍ବର ୨୩ରୁ ଜାନୁଆରୀ ୫ ତାରିଖ ଯାଏଁ କୋର୍ଟ ଛୁଟି ଥିବାରୁ ଏହି ମାମଲାର ଶୁଣାଣି ଆଗାମୀ ଜାନୁଆରୀରେ ହେବ ବୋଲି ଜଣାପଡ଼ିଛି।

ଅନ୍ୟପଟେ କଂଗ୍ରେସର ରାଜ୍ୟସଭା ସାଂସଦ ପ୍ରମୋଦ ତିୱାରୀ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ନବ୍ୟା ହରିଦାସଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ବିଜେପି ନେତ୍ରୀ କେବଳ ନିଜର ଶସ୍ତା ପ୍ରଚାର ପାଇଁ ଏଭଳି କରିଛନ୍ତି। କୋର୍ଟରେ ଏହି ପିଟିସନ ଖାରଜ ହେବା ସହ ତାଙ୍କ ଉପରେ ଜୋରିମାନା ଲାଗିବ ବୋଲି ଦୃଢ଼ୋକ୍ତି ବାଢିଛନ୍ତି ପ୍ରମୋଦ ତିୱାରୀ। ସେପଟେ ଅନ୍ୟତମ କଂଗ୍ରେସ ସାଂସଦ ମଣିକାମ ଟାଗୋର କହିଛନ୍ତି ଯେ ବିଜେପି ନେତାଙ୍କର ମଧ୍ୟ କୋର୍ଟରେ ପିଟିସନ ଦାଖଲ କରିବାର ଅଧିକାର ରହିଛି। ସେମାନେ ଦିଲ୍ଲୀରେ ରାହୁଲ ଗାନ୍ଧିଙ୍କ ବିରୋଧରେ ଅଭିଯୋଗ କରିବେ, ୱାୟନାଡରେ ପ୍ରିୟଙ୍କା ଗାନ୍ଧିଙ୍କ ବିରୋଧରେ କୋର୍ଟକୁ ଯିବେ। ହେଲେ ଆମ ସମସ୍ତେ ଜାଣିଛୁ, ସତ ଆମ ସହିତ ଅଛି।

ଉଲ୍ଲେଖଯୋଗ୍ୟ, କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ୨୦୨୪ ସାଧାରଣ ନିର୍ବାଚନରେ ଉତ୍ତର ପ୍ରଦେଶର ରାଏବରେଲୀ ଓ କେରଳରୁ ୱାୟନାଡ ଆସନରୁ ଲଢ଼ି ଦୁଇଟି ଯାକ ଆସନରେ ବିପୁଳ ବିଜୟ ହାସଲ କରିଥିଲେ। ପରିବାରର ପାରମ୍ପାରିକ ଆସନ ରାଏବରେଲୀକୁ ହାତରେ ରଖିବାକୁ ନିଷ୍ପତ୍ତି ନେବା ପରେ ୱାୟନାଡରେ ହୋଇଥିଲା ଉପନିର୍ବାଚନ। ନଭେମ୍ବର ୧୩ରେ ହୋଇଥିବା ଉପନିର୍ବାଚନରେ ପ୍ରିୟଙ୍କା ଗାନ୍ଧି ଏଠାରୁ ନିଜର ପ୍ରଥମ ନିର୍ବାଚନ ଲଢ଼ି ରେକର୍ଡ ୫ ଲକ୍ଷରୁ ଅଧିକ ଭୋଟରେ ବିଜୟ ହାସଲ କରିଥିଲେ।

ad-week
Leave A Reply

Your email address will not be published.