ନୂଆ ବର୍ଷରୁ ନୂଆ ନିୟମ; ଏଣିକି ପ୍ରତି ମାସ ମିଳିବ ରାସନ ସାମଗ୍ରୀ

add-all

ଭୁବନେଶ୍ବର : ପାଖେଇ ଆସୁଛି ନୂଆ ବର୍ଷ। ନୂଆ ବର୍ଷରୁ ଲାଗୁ ହେବ ନୂଆ ନିୟମ । ରାସନ ମିଳିବାରେ ଆଉ ହେବନି ଅନିୟମିତତା। ପୂର୍ବରୁ ତିନି ମାସରେ ଥରେ ମିଳୁଥିବା ରାସନ ସାମଗ୍ରୀ ଏଣିକି ପ୍ରତିମାସ ମିଳିବ । ଜାନୁୟାରୀ ମାସରୁ ଏହି ନିୟମ ଲାଗୁ କରିବାକୁ ଯାଉଛନ୍ତି ରାଜ୍ୟ ସରକାର। ଏହି ଘୋଷଣା ପରେ ହିତାଧିକାରୀଙ୍କ ମଧ୍ୟରେ ଖୁସିର ଲହରି ଖେଳି ଯାଇଛି।
ନୂଆ ବର୍ଷରୁ ଲାଗୁ ହେବାକୁ ଥିବା ଏହି ନୂଆ ନିୟମ ଫଳରେ ଡିଲର ସ୍ତରରେ ହେରଫେର ବନ୍ଦ ହେବା ସହ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ ହେବ ବୋଲି ଆଶା ରଖିଛନ୍ତି ରାଜ୍ୟ ସରକାର।
ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ପୂର୍ବରୁ ୩ ମାସରେ ଥରେ ଚାଉଳ ମିଳିବା ଫଳରେ ଡିଲର ପାଖରେ ଅଧିକ ଚାଉଳ ମହଜୁଦ୍ ରହୁଥିଲା। ମାତ୍ର ଜାନୁୟାରୀରୁ ହିତାଧିକାରୀଙ୍କୁ ପ୍ରତି ମାସ ମିଳିବ ଚାଉଳ। ଏଭଳି ନିଷ୍ପତ୍ତି ପରେ ଡିଲର ସ୍ତରରେ ହେରଫେର ବନ୍ଦ ହେବା ସହ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ ହେବ ବୋଲି ଆଶା ରଖିଛନ୍ତି ଯୋଗାଣ ମନ୍ତ୍ରୀ।
ପ୍ରତିମାସରେ ରାସନ ମିଳିବା ଖବର ପାଇ ହିତାଧିକାରୀ ବେଶ୍‌ ଉତ୍ସାହିତ ହୋଇ ପଡ଼ିଥିବା ବେଳେ ଏହାକୁ ସ୍ୱାଗତ କରିଛନ୍ତି। ପୂର୍ବରୁ ବାରମ୍ବାର ଚାଉଳ ପାଇଁ ଡିଲର୍ ପାଖକୁ ଦୌଡ଼ିବାକୁ ପଡୁଥିଲା। ଏଣିକି ଆଉ ଏପରି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବନି ବୋଲି କହିଛନ୍ତି ହିତାଧିକାରୀ।

ad-week
Leave A Reply

Your email address will not be published.