
ମାଲକାନଗିରି : ମାଲକାନଗିରି ଜିଲ୍ଲା ପଡିଆ ସମବାୟ ବ୍ୟାଙ୍କ ଅନ୍ତର୍ଗତ ୧୦ ଟି ପଞ୍ଚାୟତରେ ୭ଟି ସ୍ଥାନରେ ଧାନମଣ୍ଡି ଉଦଘାଟନ ହୋଇଯାଇଛି । ପଡିଆ ସମବାୟ ଅନ୍ତର୍ଗତ ୪ ହଜାର ୩ ଶହ ୧୯ ଜଣ ଚାଷୀ ତାଲିକାଭୁକ୍ତ ହୋଇଥିବା ବେଳେ ପ୍ରଥମ ସପ୍ତାହ ଧାନ କିଣା ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି। ତେବେ ମଣ୍ଡି ଗୁଡିକର ପାରିପାର୍ଶ୍ବିକ ଭିତ୍ତିଭୂମି ଓ ଚାଷୀଙ୍କ ପାଇଁ ପାଇଁ ସୁବିଧା ସୁଯୋଗ ଯୋଗାଇ ଦେବା ନେଇ ଭୁଲି ଯାଇଛି ଆଂଚଳିକ ବଜାର କମିଟି। ଧାନ ମଣ୍ଡିରେ ଉଭୟ ପୁରୁଷ ଓ ମହିଳା ଚାଷୀ ଧାନ ବିକ୍ରୟ ପାଇଁ ଆସୁଛନ୍ତି ହେଲେ କୌଣସି ଶୌଚାଳୟର ବ୍ୟବସ୍ତା ନଥିବାରୁ ଧାନ ମଣ୍ଡିରେ ଏହା ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ମୂଖ୍ୟତଃ ମହିଳା ଚାଷୀଙ୍କ ପାଇଁ ଶୌଚ ପାଇଁ କୌଣଷି ବ୍ୟବସ୍ଥା ନଥିବାରୁ ମହିଳା ଚାଷୀ ଧାନ ବିକ୍ରି ବେଳେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଚଳିତ ବର୍ଷ ଆରଏମସି ପକ୍ଷରୁ ବିଭିନ୍ନ ମଣ୍ଡି ଗୁଡିକରେ ଧାନର ମାନ ପରିକ୍ଷଣ ପାଇଁ ମହିଳା ମାନଙ୍କୁ ନିୟୋଜିତ କରାଯାଇଛି। ତେବେ ମଣ୍ଡିରେ ଅସ୍ଥାୟୀ ପାଇଖାନା ଗୃହଟିଏ ନଥିବାରୁ ଉଭୟ ମହିଳା ଓ ପୁରୁଷଙ୍କ ସମସ୍ୟା ପାଲଟିଛି। ଗୋଟିଏ ପଟେ ଚଳିତ ବର୍ଷ ମହିଳା ଚାଷୀଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ବେଳେ ଅନ୍ୟପଟେ ମଣ୍ଡିରେ ଧାନ ବିକ୍ରି ବେଳେ ଚାଷୀଙ୍କୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡ଼ିଥାଏ। ଯାହାଫଳରେ ମଣ୍ଡି ଗୁଡିକରେ ଚାଷୀଙ୍କ ପାଇଁ ମଣ୍ଡି ଗୁଡ଼କରେ ଶୌଚାଳୟ ଓ ବିଶ୍ରାମ ଗୃହ ଭଳି ସ୍ଥାନ ଗୁଡିକ ନିର୍ମାଣ କରିବା ମୌଳିକ ଭାବେ ଆବଶ୍ୟକତା । ମଣ୍ଡି ଗୁଡିକରେ ଦେଖା ଦେଇଥିବା ଏଭଳି ସମସ୍ୟା ବାବଦରେ ଜିଲ୍ଲା ଆଂଚଳିକ ବଜାର କମିଟି ର ସମ୍ପାଦକ ଙ୍କୁ ପଚାରିବାରୁ ବିଭାଗ ପକ୍ଷ୍ୟରୁ ଏ ନେଇ ବିଚାର କରାଯାଉଛି, ଆବଶ୍ୟକୀୟ ସ୍ଥାନ ଚୟନ କରି ଅସ୍ଥାୟୀ ପାଇଖାନା ନିର୍ମାଣ ଦିଗରେ ବିଭାଗ ଯୋଜନା କରୁଥିବା କହିଛନ୍ତି। ଅନ୍ୟପଟେ ତୁରନ୍ତ ମଣ୍ଡି ଗୁଡିକରେ ଅସ୍ଥାୟୀ ଶୌଚାଳୟ ନିର୍ମାଣ କରାଯିବାର ବ୍ୟବସ୍ଥା କରିବାକୁ ଏମଭି ୭୯, ପଡିଆ ସମେତ ବିଭିନ୍ନ ମଣ୍ଡିର ଚାଷୀ ମାନେ ଦାବୀ କରିଛନ୍ତି।