ମାଲକାନଗିରି/କାଲିମେଳା : ଓଡିଶା ସରକାରଙ୍କ ମେଟ୍ରୋଲୋଜି ବିଭାଗର ଆକଳନ ଅନୁସାରେ ବଜ୍ରପାତରେ ହେଉଥିବା ମୃତ୍ୟୁ ର କାରଣ ଅବାଧ ତାଳ ଗଛ କଟାକୁ ନେଇ ମାର୍ଗଦର୍ଶିକା ଜାରିକରିଥିବା ଓ ରାଜ୍ୟରେ ତାଳ ଗଛର ସୁରକ୍ଷା ପାଇଁ ନୂଆ ସରକାର ନିୟମ କଡାକଡି କରିବା ସହ ଏହି ଗଛ କାଟିବା ଉପରେ କଟକଣା ଜାରି କରିଛନ୍ତି। ହେଲେ ମାଲକାନଗିରି ଜିଲ୍ଲାରେ ସତେ ଯେମିତି ସରକାରଙ୍କ ନିୟମକୁ ଅଧିକାରୀ, ଠିକାଦାର କେହି ମାନିବାକୁ ନାରାଜ ପରି ମନେ ହେଉଛି। କାରଣ ବିଗତ ଦିନରେ ସରକାରଙ୍କ ଏହି ନିୟମ ଜାରି ପରେ ମନରେଗା କାର୍ଯ୍ୟ ପାଇଁ ବିନା ଅନୁମତିରେ ତାଳ ଗଛ କଟା ଯାଇଥିବାର ଚିତ୍ର ସାମ୍ନାକୁ ଆସିଥିବା ବେଳେ ବର୍ତ୍ତମାନ କେନାଲ ମରାମତି ପାଇଁ କଟା ହେଉଛି ଶତାଧିକ ତାଳ ଗଛ। ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା ତେଲେରାଇ ପଞ୍ଚାୟତ ସଦର ମହକୁମାରୁ ୪୦୦ ମିଟର ଦୁର ଏମଭି ୭୭ ଗାଆଁ ମୁଖ୍ୟ ରାସ୍ତା କଡ଼ରେ ଥିବା କେନାଲ ମରାମତି କାର୍ଯ୍ୟ ଜାରି ରହିଛି। ତେବେ ଏନେଇ ଉକ୍ତ ଠିକାଦାର ଜଣଙ୍କ କାହାର କୌଣସି ଅନୁମତି ନନେଇ ବନ ବିଭାଗର ଅଜାଣତରେ ଏହି ତାଳ ଗଛ କାଟିଥିବା ନେଇ ଅଭିଯୋଗ ହୋଇଛି। ରାଜ୍ୟରେ ନୂଆ ସରକାର ଆସିବା ପରେ ତାଳ ଗଛ କାଟିବା ଉପରେ ରୋକ ଲଗାଇଥିବା ବେଳେ ଏହି କେନାଲ ଉପର ହିଡରେ ଥିବା ଶତାଧିକ ତାଳ ଗଛ କଟା ଯାଇଥିବା ଘଟଣା ସରକାରୀ ନିୟମକୁ ସତେ ଯେପରି କେହି ମାନୁ ନଥିବା ପରି ମନେ ହେଉଛି। ତେବେ ଏନେଇ ଆମେ କାଲିମେଳା ରେଞ୍ଜର ବିଜୟ ନାୟକଙ୍କୁ ଯୋଗାଯୋଗ କରିବାରୁ ସେ ଘଟଣାକୁ ସ୍ଵୀକାର କରିବା ସହ ତାଳ ଗଛ କାଟିବା ପାଇଁ କୌଣସି ଅନୁମତି ନିଆଯାଇ ନଥିବା ପ୍ରକାଶ କରିଛନ୍ତି। ଏହା ସହ କଟା ଯାଇଥିବା ତାଳ ଗଛ ଗୁଡିକୁ ଜବତ କରାଯାଇଥିବା ବେଳେ ଏନେଇ ତଦନ୍ତ କରି ଉଚିତ ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଛନ୍ତି। ତେବେ ଏନେଇ ବନ ପାଳ ମୃତ୍ୟୁଞ୍ଜୟ ଶେଠୀଙ୍କୁ ଯୋଗଯୋଗ କରିବାରୁ ସେ ପ୍ରକାଶ କରିଛନ୍ତି ଯେ, ଠିକାଦାରଙ୍କ ନାମରେ ମାମଲା ରୁଜ୍ଜୁ ହୋଇଛି ଓ ତଦନ୍ତ ଜାରି ରହିଛି।
