
ଗଜପତି : ଗଛରୁ ପଡ଼ି ଯୁବକ ମୃତ। ବିଦ୍ୟୁତ ସଂସ୍ପର୍ଷରେ ମୃତ୍ୟୁ ଅଭିଯୋଗ କରି ରାସ୍ତା ଅବରୋଧ । ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲା ସେରଙ୍ଗ ଥାନା ଅଧୀନ ଖଜୁରୀପଦା ଫାଣ୍ଡି ଅନ୍ତର୍ଗତ ବଡ଼ପଦା ଗ୍ରାମରେ। ମୃତ ଯୁବକ ହେଲେ ରାମଗିରି ଗ୍ରାମର ୩୧ ବର୍ଷୀୟ କାଳିଆ ଗଉଡ଼ । ସୂଚନା ମୁତାବକ ଗତକାଲି ମକର ସଂକ୍ରାନ୍ତି ପାଳନ କରିବା ନିମନ୍ତେ କାଳିଆ ତାଙ୍କ ଭଉଣୀ ଜୁଇଁ ଘରକୁ ବଡପଦା ଆସିଥିଲେ। ଆଜି ସକାଳେ ତାଙ୍କ ବାରିପଟ ଥିବା ପଣସ ଗଛରୁ ପଣସ ତୋଳିବା ପାଇଁ ଯାଇଥିଲେ। ହଟାତ ଗଛରୁ ତଳେ କଚାଡ଼ି ହୋଇ ପଡ଼ି ଯାଇଥିଲେ। ସ୍ଥାନୀୟଲୋକ କାଳିଆଙ୍କୁ ଗୁରୁତର ଅବସ୍ଥାରେ ଖଜୁରୀପଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ। ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଗଛରେ ଲାଗି ବିଦ୍ୟୁତ୍ ତାର ଯାଇଥିବାରୁ ସେ ବିଦ୍ୟୁତ ଆଘାତ ରେ ତଳକୁ ଛିଟିକି ପଡ଼ିଥିବା ପରିବାର ଏବଂ ସ୍ଥାନୀୟ ଲୋକେ ଅଭିଯୋଗ କରି ସ୍ବାସ୍ଥ୍ୟ କେନ୍ଦ୍ର ସମ୍ମୁଖ ଦେଇ ଯାଇଥିବା ଜାତୀୟ ରାଜପଥ ୩୨୬(ଏ) ରାସ୍ତା ଅବରୋଧ କରିଛନ୍ତି। ଖଜୁରୀପଦା ଫାଣ୍ଡି ଅଧିକାରୀ ପ୍ରଫୁଲ୍ଲ ଜାଗାରାଙ୍ଗା ପହଞ୍ଚି ଶବକୁ ଜବତ କରି ଲୋକଙ୍କୁ ବୁଝାସୁଝା କରିବା ପରେ ଓ ବିଦ୍ୟୁତ ବିଭାଗର କିଛି ସହାୟତାର ସର୍ତ୍ତ ପରେ ରାସ୍ତା ଅବରୋଧ ହଟିଥିଲା।