ଅଦିନିଆ ଲଘୁଚାପ ବର୍ଷାରେ ଧାନ ଫସଲ ନଷ୍ଟ : କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ପ୍ରଦାନ ନେଇ ରାଜରାସ୍ତାରେ ଚାଷୀ ଆନ୍ଦୋଳନ ଓ ଦାବିପତ୍ର ପ୍ରଦାନ…

add-all

ହିଞ୍ଜିଳିକାଟୁ : ଚଳିତ ବର୍ଷ ଓଡିଶାକୁ ବିଳମ୍ବରେ ମୌସୁମୀ ପ୍ରବେଶ କରିଥିଲା । ଚାଷୀ ବହୁକଷ୍ଟରେ ଖରିଫ୍ ଧାନ ଅମଳ କରିଥିଲା । ଚଳିତ ବର୍ଷ ଧାନ ଫସଲ ବେଶ ଭଲ ହୋଇଛି । କ୍ଷେତରେ ସୁନେଲି ରଙ୍ଗର ଧାନକେଣ୍ଡାକୁ ଦେଖି ଚାଷୀର ମନରେ ଆନନ୍ଦ ଲହରୀ ଖେଳିଥିଲା । ହେଲେ ଅମଳ ବେଳକୁ ସତେଯେମିତି ଦଇବ ଦାଉ ସାଧିଛି । ଡିସେମ୍ବର ମାସରେ ଚାଷୀ ଧାନ ଅମଳ କରିବାକୁ ପ୍ରସ୍ତୁତି ହେଉଥିବା ବେଳେ ଲଘୁଚାପ ପ୍ରଭାବରେ ଡିସେମ୍ବର ମାସ ପ୍ରଥମରୁ ହିଁ ବର୍ଷା ଦାଉ ସାଧିଥିଲା । କଷ୍ଟମଷ୍ଟେ ଚାଷୀ ତାର ଅମଳ ଧାନକୁ ସାଇତି ରଖିବାରେ ଉଦ୍ୟମ କରି ସଫଳ ହୋଇଥିଲା । କିଛି ଚାଷୀ କ୍ଷେତରୁ ଧାନକାଟି ଖଳାରେ ଗଦା କରିଥିବା ବେଳେ କିଛି ଚାଷୀ ଧାନକୁ କାଟି କ୍ଷେତ୍ରରେ ହିଁ ଗଦା କରିଥିଲେ । ଏଭଳି ସମୟରେ ଡିସେମ୍ବର ତୃତୀୟ ସପ୍ତାହରେ ଅଦିନିଆ ଲଘୁଚାପ ପ୍ରଭାବରେ ୩ ଦିନ ଧରି ବର୍ଷା ଲାଗି ରହିଥିଲା । ଫଳରେ ଚାଷୀ ତାର ଅମଳ ଧାନକୁ ସୁରକ୍ଷିତ ସ୍ଥାନରେ ରଖି ପାରିଲାନି । ବର୍ଷା ବନ୍ଦ ପରେ ଅମଳ ଧାନରେ ବର୍ଷା ପାଣି ରହିଥିବାରୁ ଚାଷଜମିରୁ ଧାନକୁ ବାହାର କରି ଶୁଖାଇବା ପାଇଁ ଉଦ୍ୟମ କରୁଥିବା ବେଳେ ପୁଣିଥରେ ଲଘୁଚାପ ପ୍ରଭାବରେ ଶେଷ ସପ୍ତାହରେ ଗତ ୨ ଦିନ ଧରି ବର୍ଷା ଲାଗି ରହିଥିଲା । ଫଳରେ ଚାଷଜମିରେ ପଡିଥିବା ଧାନ ଗଜା ହୋଇପଡିଛି । ଏଭଳି ପରିସ୍ଥିତିରେ ଚାଷୀ ତାର ବର୍ଷକର ଭାତହାଣ୍ଡିକୁ ହରାଇ ବସିଛି । ବର୍ଷତମାମ କିଭଳି ପରିବାର ପ୍ରତିପୋଷଣ କରିବ ସେ, ନେଇ ଚିନ୍ତାରେ ପଡିଛି ଚାଷୀ । ଏଭଳି ସ୍ଥିତିରେ ଚାଷୀଙ୍କ ଧାନକୁ ମଣ୍ଡିରେ ଗ୍ରହଣ କରୁନଥିବା ମଧ୍ୟ ଅଭିଯୋଗ ହୋଇଛି। ଚାଷୀଙ୍କୁ କ୍ଷତିପୁରଣ ରାଶି ଓ ସହାୟତା ପ୍ରଦାନ ନେଇ ଗୁରୁବାର ସ୍ଥାନୀୟ ବ୍ଳକର ବହୁ ପଞ୍ଚାୟତର ଶତାଧିକ ଚାଷୀ ଗଞ୍ଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ତହସିଲଦାର ଭିକାରୀ ସାହୁଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରିଛି । ଗୁରୁବାର ସକାଳେ ବିଜେପି କର୍ମୀ ଏନ୍. କେଶବଙ୍କ ନେତୃତ୍ୱରେ ଶତାଧିକ ମହିଳା ଓ ପୁରୁଷ ଚାଷୀ ସ୍ଥାନୀୟ ପୈରାଞ୍ଚଳ ଆରଏମସି ଛକରୁ ଏକ ଶୋଭାଯାତ୍ରାରେ ବାହାରି ନଗର ପରିକ୍ରମା କରିଥିଲେ। ପରେ ସ୍ଥାନୀୟ ତହସିଲ କାର୍ଯ୍ୟାଳୟରେ ପହଞ୍ଚି ଦାବିପତ୍ର ପ୍ରଦାନ କରିଥିଲେ। ରାଜ୍ୟ ସରକାର ଚାଷୀଙ୍କୁ ସହାୟତା ପ୍ରଦାନ ନକଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦେଇଛନ୍ତି। ଦାବିପତ୍ର ପ୍ରଦାନ ସମୟରେ ଦିବ୍ୟ ରଞ୍ଜନ ମହାନ୍ତି, ବିକ୍ରମ ଗୈାଡ, ହୃଷିକେଶ ଗୈାଡ, ପି.ଭୋବିନି, କୈଳାସ ଦାସ, ମଧୁ ଦାସ, ଏସ. ସୁଜିତ, ବିକାଶ ମହାନ୍ତି, ରାମକୃଷ୍ଣ ସାହୁ, ଭଜରାମ ସ୍ବାଇଁ, ପି. ପୁର୍ଣ୍ଣଚନ୍ଦ୍ର, ଗୈାତମ ଗୈାଡ, ସୁବାଷ ଚନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

ad-week
Leave A Reply

Your email address will not be published.