
ନୟାଗଡ଼: ବହୁ ଅବ୍ୟବସ୍ଥା ଓ ଅଚଳାବସ୍ଥା ମଧ୍ୟରେ ଚାଲୁଥିବା ନୟାଗଡ଼ ପୌର ପରିଷଦ ର ଆର୍ଥିକ ପାଣ୍ଠି କୁ ଏକ ଘରୋଇ ବ୍ୟାଙ୍କରେ ଜମା କରିଥିବାର ଜଣାପଡ଼ିଛି ।ନୟାଗଡ଼ ପୌର ପରିଷଦର ନିଜସ୍ଵ ଆୟ, ଟ୍ୟାକ୍ସ କଲେକ୍ସେନ, ସରକାରଙ୍କ ତରଫରୁ ଆସୁଥିବା ବିଭିନ୍ନ ଅର୍ଥକୁ ରାଷ୍ଟ୍ରାୟତ ବ୍ୟାଙ୍କରେ ରଖିବାର ନିୟମ ଥିଲେ ମଧ୍ୟ ଏହାକୁ କେଉଁ କାରଣରୁ ଏକ ଘରୋଇ ବ୍ୟାଙ୍କରେ ରଖାଯାଇଛି ତାହା ସନ୍ଦେହ ସାପେକ୍ଷ।ସୂଚନା ଅନୁଯାୟୀ ନୟାଗଡ଼ ପୌର ପରିଷଦର କାର୍ଯ୍ୟରତ ହିସାବ ରକ୍ଷକ ଅଜୟ ସାଥୁଆ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଥିବା ବେଳେ ଅନେକ ଦିନ ଧରି ଏହି ହିସାବ ରକ୍ଷକ ପଦ ଖାଲି ପଡିଥିଲା । ମୁକ୍ତା ଯୋଜନାରେ କାର୍ଯ୍ୟରତ ହିସାବ ରକ୍ଷକ ପ୍ରଦୀପ ବର୍ଦ୍ଧନ ଙ୍କୁ ପୌର ପରିଷଦର କାର୍ଯ୍ୟଭାର ଦିଆଯାଇଥିଲା। ସରକାର ନୟାଗଡ଼ ପୌର ପରିଷଦ ପାଇଁ କ୍ରିଷ୍ଣା ମାଧବ ନାମକ ଜଣେ ବ୍ୟକ୍ତିଙ୍କୁ ହିସାବ ରକ୍ଷକ ଦାୟିତ୍ବ ଦେଲେ । ମାତ୍ର ମୁକ୍ତା ହିସାବ ରକ୍ଷକ ତାଙ୍କୁ ଅସହଯୋଗ କରିବାରୁ ସେ ଚାକିରୀ ଛାଡ଼ି ଚାଲି ଯାଇଥିଲେ । ଏହାର ସୁଯୋଗ ନେଇ ଏହି ମୁକ୍ତା ହିସାବ ରକ୍ଷକ କ୍ଷମତାର ଅପବ୍ୟବହାର କରି ମନମୁଖୀ କାର୍ଯ୍ୟ କରୁଥିବାର ଦେଖାଯାଇଛି । ଏହା ଦ୍ବାରା ନୟାଗଡ଼ ପୌର ପରିଷଦର ଅନେକ କ୍ଷତି ହେଉଛି । ମୁକ୍ତା ଯୋଜନା ବନ୍ଦ ହୋଇଯିବା କାରଣରୁ ଛଟେଇ ହୋଇଥିବା ହିସାବ ରକ୍ଷକ ପ୍ରଦୀପ ବର୍ଦ୍ଧନ ଛଟେଇ ହୋଇଥିବା ବେଳେ ପୌର ପରିଷଦ ନିର୍ବାହୀ ଅଧିକାରୀ ଙ୍କ ଆଶୀର୍ବାଦ ଯୋଗୁଁ ବିନା ଚାକିରୀରେ ସେପ୍ଟେମ୍ବର ୩୦ତାରିଖରୁ ପୌର ପରିଷଦ କାର୍ଯ୍ୟାଳୟରେ କାର୍ଯ୍ୟ କରୁଛନ୍ତି । ହିସାବ ରକ୍ଷକ ପଦ ମାଡ଼ି ବସିଥିବା ପ୍ରଦୀପ ବର୍ଦ୍ଧନ ପୌର ପରିଷଦର ଏକ ବଡ଼ ପାଣ୍ଠିକୁ ଏକ ଘରୋଇ ବ୍ୟାଙ୍କରେ ରଖିବାରେ ସଫଳ ହୋଇଛନ୍ତି। ଏହି ଅର୍ଥର ପରିମାଣ ପାଖାପାଖି ୧୦ କୋଟି ଟଙ୍କା ହେବ ବୋଲି ଜଣା ପଡିଛି । ଡିସେମ୍ବର ୨୦୨୪ ରେ ସରକାରଙ୍କ ତରଫରୁ ଦୁର୍ଗାମାଧବ ସାହୁଙ୍କୁ ନୟାଗଡ଼ ପୌର ପରିଷଦର ହିସାବ ରକ୍ଷକ ନିଯୁକ୍ତି ଦିଆଯାଇଛି ମାତ୍ର ମୁକ୍ତା ଯୋଜନା ହିସାବ ରକ୍ଷକ ପ୍ରଦୀପ ବର୍ଦ୍ଧନ କାର୍ଯ୍ୟାଳୟ ଛାଡ଼ୁ ନଥିବା ଜଣା ପଡିଛି। ସେ ବିଭିନ୍ନ କାର୍ଯ୍ୟର ବିଲ୍ ପାଇଁ ଠିକାଦାରଙ୍କୁ ପିସି ମାଗୁଛନ୍ତି । ଏତେ ଘଟଣା ଘଟୁଥିଲେ ମଧ୍ୟ ନିର୍ବାହୀ ଅଧିକାରୀ କାହିଁକି ଏହି ମୁକ୍ତା ଯୋଜନା ହିସାବ ରକ୍ଷକଙ୍କ ପାଇଁ ଅନୁକମ୍ପା ଦେଖାଉଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ନୟାଗଡ଼ ପୌର ପରିଷଦର ଅଧ୍ୟକ୍ଷ, କାଉନସିଲର ଙ୍କ ଅଜ୍ଞାତରେ ଏପରି କାର୍ଯ୍ୟ ହେଉଛି । ଏହା ଯୋଗୁଁ ନୟାଗଡ଼ ପୌର ପରିଷଦର ଲକ୍ଷାଧିକ ଟଙ୍କା କ୍ଷତି ହେଉଛି ତେଣୁ ଏହାର ଭିଜିଲାନ୍ସ ତଦନ୍ତ କୁ ନୟାଗଡ଼ ବାସୀ ଦାବି କରିଛନ୍ତି । ଏନେଇ ଅଧ୍ୟକ୍ଷା ନିରୁପମା ଖଟେଇ ପୌର ପରିଷଦର ଟଙ୍କା ୫୦ରୁ ଉର୍ଦ୍ଧ୍ବ ବ୍ୟାଙ୍କ ଖାତା ଏବଂ ଅନେକ ଉନ୍ନୟନ ପାଣ୍ଠି ରହିଛି ମାତ୍ର କେଉଁ ବ୍ୟାଙ୍କରେ କେତେ ଜମା ରହିଛି ତାହାର ହିସାବ ହିସାବ ରକ୍ଷକ ଦେଉନାହାନ୍ତି । ତେଣୁ ଏହାର ତଦନ୍ତ ଆବଶ୍ୟକ ବୋଲି ଅଧ୍ୟକ୍ଷା କହିଛନ୍ତି ।