ଚିକିଟୀ : ବ୍ରହ୍ମପୁର ପୋଲିସ ଜିଲ୍ଲାରେ ପୋଲିସକୁ ଖୋଲା ଚାଲେଞ୍ଜ ଦେଇ ବ୍ରହ୍ମପୁର ଓ ଚିକିଟୀର କିଛି ଅସାମାଜିକ ଯୁବକଙ୍କ ଏକ ମିଳିତ ଗୋଷ୍ଠୀ ୪ଜଣ ବ୍ୟକ୍ତିଙ୍କୁ କିଛିଦିନ ଧରି ଅପହରଣ କରି ରଖିଥିବା ବେଳେ ଅପହୃତ ଚାରି ଜଣ ବ୍ୟକ୍ତି କେ.ନୂଆଗାଁ ପୋଲିସ ଦ୍ୱାରା ରବିବାର ସକାଳ ସମୟରେ ଉଦ୍ଧାର ହୋଇଥିବା ଜଣାପଡ଼ିଛି। ଅପହୃତଙ୍କ ମଧ୍ୟରୁ ୩ଜଣ କଟକ ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ଜଣେ ଦିଲ୍ଲୀର ବୋଲି ଜଣାପଡିଛି । ଏହି ଅପହୃତ ମାନଙ୍କୁ ଚିକିଟୀ ଗଡ଼ରେ ଗତ ତିନିଦିନ ହେବ ରଖାଯାଇ ଅକଥନୀୟ ଅତ୍ୟାଚାର କରାଯାଉଥିଲା। ଏହି ବ୍ଲକ ଅନ୍ତର୍ଗତ ଚିକିଟୀ ଗଡ଼ର ଜଣେ ବ୍ୟକ୍ତି ନିଜ ଘର ବାଡ଼ି ପଟେ ଗୋଟିଏ ଟିଣ କୁଡ଼ିଆରେ ଏମାନଙ୍କୁ ବନ୍ଧକ ରଖିଥିବା ଜଣାପଡ଼ିଛି । ନିଜ ଘରର ଶେଷ ପାର୍ଶ୍ଵରେ ଥିବା ଏକ କୁଡ଼ିଆ ଘରେ ଏକ ସାପ ବିଳା ରହିଛି।ଅପହରଣକାରୀ ସେହି ଜାଗାରେ ଚାରି ଜଣଙ୍କୁ ରଖି କୋଟିଏ ଟଙ୍କା ଦାବି କରୁଥିବା ପୋଲିସ କହିଛି। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ଅପହରଣକାରୀ ଉକ୍ତ ଚାରି ଜଣଙ୍କୁ ନିର୍ଯାତନା ଦେବା ସହ ଏକ ବିରାଟ ନାଗ ସାପ ଦେଖାଇ ମାରିବାକୁ ଧମକ ଦେଇ ଡ଼ରାଉଥିଲା । ଉକ୍ତ ଚାରି ଜଣଙ୍କ ମଧ୍ୟରୁ ଜଣେ ରବିବାର ଭୋରରୁ କୌଶଳ କ୍ରମେ ଖସି ଆସି ଚିକିଟୀ ତହସିଲ ଅଫିସ ଗ୍ରୀଲ ଡେଇଁ ଭିତରେ ପଶି ଆମକୁ ରକ୍ଷା କର ସିଏ ଆମକୁ ମାରି ଦେଵ ବୋଲି ଚିତ୍କାର କଲେ। ତାକୁ ଆଧାର କରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅପହୃତ ଅନ୍ୟ ୩ ଜଣଙ୍କୁ ଉଦ୍ଧାର କରି ସମସ୍ତଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲା। ପୋଲିସ ଦ୍ୱାରା ଉଦ୍ଧାର ପରେ ଅପହର୍ତ୍ତାମାନେ ନିଜର ଦୁଃଖ ପୋଲିସ ଆଗରେ କହିଛନ୍ତି। ସେମାନଙ୍କୁ ମାଡ଼ ମରାଯିବା ସହ ଏକ ବିଷାକ୍ତ ନାଗ ସାପ ସେମାନଙ୍କ ମୁଂହ ପାଖକୁ ଆଣି ଟଙ୍କା ନ ଦେଲେ ମରିବ ବୋଲି ଡ଼ରେଇ ଧମକ ରଖିଥିଲେ।
କୌଶଳ କ୍ରମେ ଖସି ଆସିଥିବା ବ୍ୟକ୍ତିଙ୍କୁ ଧରି ଚିକିଟୀ ତହସିଲଦାର ବିଶ୍ୱରଞ୍ଜନ କଂହର,ଏସଡିପିଓ ବିଶ୍ଵାମିତ୍ର ହରପାଲ, କେ.ନୂଆଗାଁ ଥାନା ଆଇଆଇସି କିଶୋର ସାମଲ ପ୍ରମୁଖ ସଦଳ ବଳେ ପହଞ୍ଚିଥିଲେ। ସବୁଠାରୁ ଆଶ୍ଚର୍ଯ୍ୟର କଥା ଏମାନଙ୍କୁ ବନ୍ଧକ ରଖିଥିବା ଉକ୍ତ ଯାଗାରେ ବହୁ ପରିମାଣର ଗଞ୍ଜେଇ ଗଛ ଲାଗିଥିଲା। ଯାହା ତଦନ୍ତ ବେଳେ ପୋଲିସ ନଜରକୁ ଆସିଲା। ହେଲେ ସକାଳୁ ଅପହରଣ ହୋଇଥିବା ୪ ଜଣ ବ୍ୟକ୍ତିଙ୍କୁ ଉଦ୍ଧାର କରି ଦିନ ତମାମ ସେମାନଙ୍କୁ ପଚରାଉଚରା କରି ପୋଲିସ ପୁଣି ସନ୍ଧ୍ୟାରେ ପହଞ୍ଚିବା ବେଳକୁ ପ୍ରାୟ ସବୁ ଗଞ୍ଜେଇ ଗଛ କାଟି ଦିଆଯାଇଥିଲା।ତହସିଲ କାର୍ଯ୍ୟାଳୟର ଠିକ୍ ୧୦୦ ମିଟର ଦୁରରେ ଥିବା ବନ୍ଧ ହୁଡ଼ା ଲଟା ବୁଦାରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ଅପହରଣ ସ୍ଥଳରୁ ଉଦ୍ଧାର ଆହତ ନଗସାପକୁ ବନବିଭାଗ ଚିକିତ୍ସା କରି ନିଜ ହେପାଜତକୁ ନେଇଛନ୍ତି। ସାପଟିର ବେକ ଓ ଅଣ୍ଟା ପାଖରେ ଆଘାତ ଲାଗି ସାପଟି ନିସ୍ତେଜ ଅବସ୍ଥାରେ ଥିଲା।ଯାହାକୁ ଧରି ନୂତନ ଉକ୍ତ ୪ଜଣଙ୍କୁ ଡ଼ରାଉଥିବା ସୂଚନା ମିଳିଛି। ଏବେ ବି ଘଟଣା ରହସ୍ୟ ଘେରରେ ରହିଥିବାରୁ ପୋଲିସର ଅଧିକ ତଦନ୍ତ ଜାରୀ ରହିଛି। ଏହି ହାଇଭୋଲ୍ଟେଜ ଅପହରଣ ଓ ଗଞ୍ଜେଇ ଚାଷ ଘଟଣାରେ କିଏ କିଏ ଜଡିତ ତାହା ଜଣାପଡିବାର ସମ୍ଭାବନା ରହିଛି।ଅନ୍ୟପକ୍ଷେ ଏହି ଅପହରଣ ଟଙ୍କା ପାଇଁ କି ଏହା ସହ ଗଞ୍ଜେଇ ଲିଙ୍କ କିଛି ରହିଛି ତାହାକୁ ନେଇ ସସପେନ୍ସ ଦେଖାଦେଇଛି ଏବଂ ଏହି ଘଟଣା ପଛରେ କାହାର ହାତ ରହିଛି ତାହା ଦେଖିବା ବାକି ରହିଲା।
