ଅର୍ଥନୈତିକ ସର୍ଭେ ରିପୋର୍ଟ: ୨୦୨୫-୨୬ରେ ୬.୩ରୁ ୬.୮% ରହିବ ଜିଡିପି

add-all

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶୁକ୍ରବାର ସଂସଦରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିଛନ୍ତି। ଆଗାମୀ ୨୦୨୫-୨୬ ଆର୍ଥିକ ବର୍ଷରେ ମୋଟ ଘରୋଇ ଉତ୍ପାଦ ବା ଡିଜିପି ୬.୩ ପ୍ରତିଶତରୁ ୬.୮ ପ୍ରତିଶତ ରହିବା ନେଇ ରିପୋର୍ଟରେ ଆକଳନ କରାଯାଇଛି। ଯାହା ଫଳରେ ଦେଶର ଅଭିବୃଦ୍ଧି ହାର ଧିମା ରହିବ ବୋଲି ଅନୁମାନ କରାଯାଉଛି।

କରୋନା ମହାମାରୀ ସମୟରେ ସାରା ବିଶ୍ଵର ଆର୍ଥିକ ଅବସ୍ଥା ଖରାପ ହୋଇଥିବାବେଳେ ଭାରତ ଉପରେ ତାହାର ବିଶେଷ ପ୍ରଭାବ ପଡ଼ି ନ ଥିଲା। ମହାମାରୀ ପରେ ଜିଡିପି ଅଭିବୃଦ୍ଧି ସକାରାତ୍ମକ ରହିଥିଲା। ୨୦୨୧-୨୨ ଆର୍ଥିକ ବର୍ଷରେ ଜିଡିପି ଅଭିବୃଦ୍ଧି ୮.୭% ରହିଥିବାବେଳେ ୨୦୨୨-୨୩ରେ ୭.୨% ଏବଂ ୨୦୨୩-୨୪ରେ ୮.୨% ରହିଥିଲା। କିନ୍ତୁ ୨୦୨୫-୨୬ ଆର୍ଥିକ ବର୍ଷରେ ଏହା ୬.୩%କୁ ଖସିଆସିବା ନେଇ ସର୍ଭେ ରିପୋର୍ଟରେ ଆକଳନ କରାଯାଇଛି।

ଅର୍ଥନୀତି ଦୁର୍ବଳ ହେବାର କିଛି ଗୁରୁତ୍ଵପୂର୍ଣ୍ଣ କାରଣ ବିଷୟରେ ମଧ୍ୟ ରିପୋର୍ଟରେ ଦର୍ଶାଯାଇଛି। ପ୍ରମୁଖ କାରଣ ମଧ୍ୟରେ ରହିଛି ମାନୁଫାକ୍ଚରିଂ ବା ଉତ୍ପାଦନ କ୍ଷେତ୍ର ଦୁର୍ବଳ ହେବା। ଯାହାଫଳରେ ଉତ୍ପାଦନ ହ୍ରାସ ପାଇଛି। ସେହିପରି କର୍ପୋରେଟ ନିବେଶ ମଧ୍ୟ ଧିମା ରହିଛି। ଯେଉଁ କାରଣ ପାଇଁ ବ୍ୟାବସାୟିକ ଖର୍ଚ୍ଚ ହ୍ରାସ ପାଇଛି। ଏହାବ୍ୟତୀତ ଅନ୍ୟ ଏକ କାରଣ ହେଉଛି ଉଚ୍ଚ ମୁଦ୍ରାସ୍ଫୀତି ଏବଂ କମ ରୋଜଗାର। ଦରଦାମ ବୃଦ୍ଧି ପାଉଥିବାବେଳେ ଲୋକଙ୍କ ରୋଜଗାର ହ୍ରାସ ପାଇଛି। ଫଳରେ ଖାଉଟିମାନଙ୍କ କ୍ରୟ କରିବାର ଦକ୍ଷତା ମଧ୍ୟ କମିଯାଇଛି। କର୍ପୋରେଟ ଲାଭାଂଶ ହ୍ରାସ ଯୋଗୁ ଆର୍ଥିକ କ୍ଷେତ୍ରରେ ଗତି ଆସୁନାହିଁ। ସର୍ବଶେଷରେ ଗତ ୭ଟି ତ୍ରୈମାସିକ ଫଳାଫଳରେ ଜିଡିପି ଅଭିବୃଦ୍ଧି ହ୍ରାସ ପାଇବାରେ ଲାଗିଛି, ଯାହା ଦେଶର ଆର୍ଥିକ ଅଭିବୃଦ୍ଧି ଧିମା ରହିବା ନେଇ ସତର୍କ ଘଣ୍ଟି ବୋଲି କୁହାଯାଇଛି।

୨୦୨୫ ଆର୍ଥିକ ବର୍ଷର ୨ୟ ତ୍ରୈମାସିକ ରିପୋର୍ଟରେ ଜିଡିପି ଅଭିବୃଦ୍ଧି ହାର ୫.୪% ରହିଥିବା ଦର୍ଶାଯାଇଥିଲା। ଗତବର୍ଷର ସମାନ ତ୍ରୈମାସିକ ରିପୋର୍ଟରେ ଜିଡିପି ୮.୧% ଦର୍ଶାଯାଇଥିବାବେଳେ ପୂର୍ବ ତ୍ରିମାସରେ ୬.୭% ରହିଥିଲା।

ad-week
Leave A Reply

Your email address will not be published.