ଦିଲ୍ଲୀରେ ଉଚ୍ଛେଦ ହେବନି ବସ୍ତି, ଆପ୍ ମିଛ କହୁଛି: ପ୍ରଧାନମନ୍ତ୍ରୀ

add-all

ନୂଆଦିଲ୍ଲୀ: ଦିଲ୍ଲୀରେ ବିଧାନସଭା ନିର୍ବାଚନରେ ଥିବାରୁ ବସ୍ତିବାସିନ୍ଦାଙ୍କୁ ଖୁସି କରିବାକୁ ବଡ଼ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଦିଲ୍ଲୀରେ ବସ୍ତି ଉଚ୍ଛେଦ ହେବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି। ରବିବାର ଦିଲ୍ଲୀରେ ନିର୍ବାଚନ ପ୍ରଚାର କରି ମୋଦୀ କହିଛନ୍ତି ଯେ ଯଦି ଦିଲ୍ଲୀରେ ବିଜେପି କ୍ଷମତାକୁ ଆସିବ ତେବେ ବସ୍ତି ଉଚ୍ଛେଦ କରାଯିବ ନାହିଁ। 

ନିକଟରେ ଆମ ଆଦ୍‌ମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜରିୱାଲ୍ ବସ୍ତି କଥା କହି ବିଜେପିକୁ ଟାର୍ଗେଟ୍ କରିଥିଲେ। ବିଜେପି କ୍ଷମତାକୁ ଆସିଲେ ଦିଲ୍ଲୀରେ ବସ୍ତି ଭାଙ୍ଗି ଦେବ ବୋଲି କେଜରିୱାଲ୍ କହିଥିଲେ।

ରବିବାର ଏହାର ଜବାବ ଦେଇ ମୋଦୀ କହିଛନ୍ତି “ଦିଲ୍ଲୀରେ ଗୋଟିଏ ବି ବସ୍ତି ଭାଙ୍ଗି ଦିଆଯିବ ନାହିଁ। ଆମେ କେବଳ ଏମିତି ଦେଖାଇବା ପାଇଁ ଘୋଷଣା କରୁନାହୁଁ। ଆମେ ଆମର ପ୍ରତିଶ୍ରୁତିକୁ ରଖିବାକୁ ବଜେଟରେ ବ୍ୟବସ୍ଥା କରୁଛୁ।”ଏଥିସହିତ ଆପ୍‌ ମିଛ କଥା ପ୍ରଚାର କରୁଛି ବୋଲି କହି କେଜରିୱାଲ୍‌ଙ୍କୁ ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ। ଦିଲ୍ଲୀର ଆରକେ ପୁରମରେ ପ୍ରଚାର ରାଲିକୁ ସମ୍ବୋଧିତ କରି ଏପରି କହିଛନ୍ତି ପ୍ରଧାନମନ୍ତ୍ରୀ। 

ଫେବୃଆରୀ ୫ ରେ ଦିଲ୍ଲୀର ୭୦ ଟି ବିଧାନସଭା ଆସନରେ ଗୋଟିଏ ପର୍ଯ୍ୟାୟରେ ମତଦାନ ହେବ। ଫେବୃଆରୀ ୮ ତାରିଖରେ ଭୋଟ ଗଣତି ହୋଇ ଫଳାପଳ ପ୍ରକାଶ ପାଇବ। 

ରାଲିରେ ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ କ୍ଷମତାକୁ ଆସିଲେ ଆମେ କୌଣସି ପ୍ରକାର ଜନହିତକର ଯୋଜନାକୁ ବନ୍ଦ କରିବୁ ନାହିଁ। ଜନସ୍ୱାର୍ଥ ପାଇଁ ପ୍ରତିବଦ୍ଧ ବୋଲି ମୋଦୀ କହିଛନ୍ତି। 

ଦିଲ୍ଲୀରେ ବିହାରବାସିନ୍ଦା ଅଧିକ ମାତ୍ରାରେ ରହୁଥିବାରୁ ସେମାନଙ୍କୁ ମଧ୍ୟ ଖୁସି କରିବାକୁ ଚାହୁଁଛନ୍ତି ମୋଦୀ। ଏନେଇ ସେ କହିଛନ୍ତି କିଛି ଲୋକ ପୂର୍ବାଞ୍ଚଳ ଲୋକଙ୍କୁ ଦିଲ୍ଲୀରୁ ତଡ଼ି ଦେବାକୁ ଚାହୁଁଛନ୍ତି। ବିଜେପି ଆସିଲେ ସେମିତି ହେବ ନାହିଁ ବୋଲି ମୋଦୀ କହିଛନ୍ତି। ଏଥିସହିତ ବଜେଟ୍‌ରେ ବିହାର ପାଇଁ ହୋଇଥିବା ସ୍ୱତନ୍ତ୍ର ଘୋଷଣା ଓ ମଖାନା ବୋର୍ଡ ଗଠନ ହେବା ନେଇ କହିଛନ୍ତି ପ୍ରଧାନମନ୍ତ୍ରୀ। 

ad-week
Leave A Reply

Your email address will not be published.