ନୟାଗଡ଼: ନୟାଗଡ଼ ଜିଲ୍ଲାରେ ଶ୍ରୀଅନ୍ନ ଯୋଜନାରେ ସାଙ୍ଘାତିକ ଜାଲିଆତି ହୋଇଛି ।ଚାଷ ନକରି ଚାଷୀ ତାଲିକା ପ୍ରସ୍ତୁତ କରି ସରକାରଙ୍କୁ ଭୁଆଁ ବୁଲାଉଛି ବିଭାଗ । ମାଣ୍ଡିଆ ଚାଷକୁ ଲୋକାଭିମୁଖୀ କରିବା ପାଇଁ ନୟାଗଡ଼ ଜିଲ୍ଲାର ୫ଟି ବ୍ଲକ ପାଇଁ ୫ଟି ଏନଜିଓ କୁ ରାଜ୍ୟ ସରକାର ଦାୟିତ୍ବ ଦେଇଥିଲେ । ଏହି ଏନଜିଓ ଗୁଡ଼ିକ ମିଛ ଚାଷୀ ତାଲିକା ପ୍ରସ୍ତୁତ କରି ସରକାରଙ୍କୁ ଭୁଆଁ ବୁଲେଇ ସରକାରୀ ଅର୍ଥ କୁ ଆତ୍ମସାତ କରିଥିବା ଅଭିଯୋଗ ଆସିଛି । କୃଷି ବିଭାଗର ସୂଚନା ଅନୁଯାୟୀ ଚଳିତ ଖରିଫ ଋତୁରେ ଭାପୁର ବ୍ଲକର ୭୭୧ଜଣ, ଓଡ଼ଗାଁ ବ୍ଲକର ୧୧୯୯, ଗଣିଆ ବ୍ଲକର ୧୦୧୧ ଜଣ, ଦଶପଲ୍ଲା ବ୍ଲକର ୧୩୦୨ ଜଣ, ନୂଆଗାଁ ବ୍ଲକରେ ୧୨୭୮ ଜଣ ଚାଷୀ ମାଣ୍ଡିଆ ଚାଷ କରିଛନ୍ତି । ପ୍ରକୃତରେ କୌଣସି ଚାଷୀ ଆଦୌ ଚାଷ କରିନଥିବା ବେଳେ ଏନଜିଓ ଗୁଡ଼ିକ ଚାଷୀ ନାମରେ ସହାୟତା ରାଶି ଲୁଟ କରିଥିବାର ଜଣାପଡ଼ିଛି । ନୟାଗଡ଼ ଜିଲ୍ଲାର ଭାପୁର ବ୍ଲକ ରେ ନିଗମ ଏନଜିଓ, ନୂଆଗାଁ ବ୍ଲକରେ ହାମସ ଏନଜିଓ, ଓଡ଼ଗାଁ ବ୍ଲକରେ ଇକୋ ସଲ୍ୟୁସନ୍ ଏନଜିଓ, ଗଣିଆ ବ୍ଲକରେ ଜିୟୁସି ଏନଜିଓ, ଦଶପଲ୍ଲା ବ୍ଲକରେ ଏନଜିଓ କୁ ଦାୟିତ୍ବ ମିଳିଥିବା ବେଳେ ଓଡ଼ଗାଁ ବ୍ଲକର ଗୋଡ଼ିପଡ଼ା ରେ ଆଦୌ ମାଣ୍ଡିଆ ଚାଷ ହୋଇନଥିବା ବେଳେ ଗୋଡିପଡ଼ା ସରପଞ୍ଚ ଅନ୍ତର୍ଯ୍ୟାମୀ ସାହୁ ମାଣ୍ଡିଆ ଚାଷୀ ବୋଲି ସହାୟତା ପାଇଛନ୍ତି ।ସରକାରୀ ତାଲିକାରେ ଶ୍ରୀ ସାହୁଙ୍କ ଫୋନ ନମ୍ବର ଭୁଲ ଥିବାବେଳେ ତାଙ୍କୁ ଯୋଗାଯୋଗ କରିବାରୁ ସେ ମାଣ୍ଡିଆ ଚାଷ କରିଛନ୍ତି ବୋଲି କହିଛନ୍ତି ।ଓଡ଼ଗାଁ ବ୍ଲକର ୧୧୯୯ ଜଣ ମାଣ୍ଡିଆ ଚାଷୀ ମଧ୍ୟରୁ ଶତାଧିକ ନମ୍ବର ଅଚଳ ଏବଂ ଅନ୍ୟଲୋକଙ୍କ ନମ୍ବର ବୋଲି ଜଣାପଡିଛି । ଭାପୁର ବ୍ଲକର ବଡ଼ସହରା ପଞ୍ଚାୟତର ପୂର୍ବତନ ସରପଂଚ ଦଣ୍ଡପାଣି ନାୟକ ଆଦୌ ମାଣ୍ଡିଆ ଚାଷ କରିନଥିବା ବେଳେ ଚାଷୀ ଭାବେ ସହାୟତା ପାଇଛନ୍ତି । ବଡ଼ସହରା ଅଞ୍ଚଳରେ ଆଦୌ ଚାଷ ହୋଇନଥିବା ବେଳେ ୩୨ ଜଣ ଚାଷୀ ସହାୟତା ପାଇଛନ୍ତି ।ଗଣିଆ ବ୍ଲକର କୃଷି ବିଭାଗର ଦୈନିକ ବେତନରେ କାର୍ଯ୍ୟରତ କର୍ମଚାରୀ ଆନନ୍ଦ ଚନ୍ଦ୍ର ସାହୁ, ଏନଜିଓ ଯିୟୁସି ର ସମ୍ପାଦକ ଆନନ୍ଦ ଚନ୍ଦ୍ର ବେହେରା ଙ୍କ ପତ୍ନୀ ମମତା ବେହେରା ମଧ୍ୟ ମାଣ୍ଡିଆ ଚାଷୀ ଭାବେ ସହାୟତା ପାଇଛନ୍ତି।ଜିଲ୍ଲାରେ ମାଣ୍ଡିଆ ଚାଷୀଙ୍କ ସହାୟତା ପାଇଁ ଦାୟିତ୍ବ ନେଇଥିବା ଏହି ଏନଜିଓ ଗୁଡ଼ିକ ଯୋଜନାବଦ୍ଧ ଭାବେ ସରକାରଙ୍କୁ ଭୁଆଁ ବୁଲେଇ ସରକାରୀ ଅର୍ଥର ବ୍ୟାପକ ହରିଲୁଟ କରାଯାଇଛି । ସଚେତନତା ନାମରେ ପ୍ରତ୍ୟେକ ଏନଜିଓ ବାର୍ଷିକ ୧୦ଲକ୍ଷ ରୁ ଉର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ କରୁଥିବା ବେଳେ କର୍ମଚାରୀଙ୍କ ଦରମା ଓ ଅନ୍ୟାନ୍ୟ ଖର୍ଚ୍ଚ ମଧ୍ୟ ପାଇଥାନ୍ତି । କିନ୍ତୁ ମାଣ୍ଡିଆ ଚାଷ ର ଉନ୍ନତି କରିବା ବଦଳରେ ଏନଜିଓ ନିଜର ସ୍ବାର୍ଥ ସାଧନାରେ ବ୍ୟସ୍ତ ।ଏହାର ଭିଜିଲାନ୍ସ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହେଉଛି ।
