ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାବର୍ତ୍ତୀ ପଡିଆ ବ୍ଲକ ସଦର ମହକୁମାରେ ଏକଲବ୍ୟ ଅନ୍ତେବାସୀ ବିଦ୍ୟାଳୟ ନିର୍ମାଣ ପାଇଁ ପ୍ରସ୍ତାବ ହେଲା, ସହମତି କ୍ରମେ ସ୍ଥାନ ଚିହ୍ନଟ ମଧ୍ଯ ହେଲା। କେନ୍ଦ୍ରୀୟ ଟିମର ଅନୁଧ୍ୟାନ ପରେ ଅନୁମୋଦନ ପୂର୍ବରୁ ଏକଲବ୍ୟ ଆଶ୍ରମ ବିଦ୍ୟାଳୟ ପାଇଁ ଆବଶ୍ୟକୀୟ ସ୍ଥାନ ପରିବର୍ତ୍ତନର ଆବଶ୍ୟକ ଦର୍ଶାଇ ଏହାକୁ ଅନ୍ୟତ୍ର ସ୍ଥାନାନ୍ତରଣ ବାବଦରେ ସୂଚନା ପାଇ ଏକାଠି ହୋଇଛନ୍ତି ଅଞ୍ଚଳବାସୀ । ପଡିଆ ବ୍ଲକ ସଦର ମହକୁମାରେ ନିର୍ମାଣ ହେବାକୁ ଥିବା ଏକଲବ୍ୟ ଅନ୍ତେବାସୀ ଆବାସିକ ବିଦ୍ୟାଳୟକୁ ଅନ୍ୟତ୍ର ସ୍ଥାନାନ୍ତରଣ କରାଯିବା ସୂଚନା ପାଇ ଆଜି ଗଣମାଧ୍ୟମ ଜରିଆରେ ସରକାରଙ୍କ ନିକଟରେ ନିଜର କଡା ଆଭିମୁଖ୍ୟ ରଖିଛନ୍ତି ପଡିଆ ଓ ଆଖପାଖ ଆଞ୍ଚଳବାସୀ। ସୁଚନା ମୁତାବକ ପଡିଆ ବ୍ଲକ ସଦର ମହକୁମା ଠାରୁ ପ୍ରାୟ ଦେଢ କିମି ଦୂରରେ ଥିବା ପଡିଆ – ସିଲାକୋଟା ମୁଖ୍ୟ ରାସ୍ତା କଡରେ ଏକଲବ୍ୟ ଅନ୍ତେବାସୀ ଆବାସିକ ବିଦ୍ୟାଳୟ ନିର୍ମାଣ ପାଇଁ ପ୍ରସ୍ତାବ ରହିଥିଲା। ଏଥିପାଇଁ ସ୍ଥାନୀୟ ରାଜସ୍ଵ ନିରୀକ୍ଷକଙ୍କ ସହଯୋଗରେ ଏହି ସ୍ଥାନରେ ଥିବା ପ୍ରାୟ ୧୫ ଏକର ପରିମିତ ସ୍ଥାନ ନିରୂପଣ କରାଯାଇ ଥିଲା। ଏହି ସ୍ଥାନରେ ଏକଲବ୍ଯ ସ୍କୁଲ ନିର୍ମାଣ ନେଇ ଅଞ୍ଚଳବାସୀଙ୍କ ମନରେ ଉତ୍କଣ୍ଠା ଭରି ରହିଥିବା ବେଳେ ଅଚାନକ ଏହି ସ୍ଥାନ ଉଚିତ ନଥିବା ଦର୍ଶାଇ ଅନ୍ୟତ୍ର ସ୍ଥାନାନ୍ତରଣ କରାଯିବ ବୋଲି ଶୁଣିବାକୁ ପାଇ ଆଜି ପଡିଆ ବ୍ଲକର ବିଭିନ୍ନ ଅଞ୍ଚଳର ଶତାଧିକ ଲୋକେ ମୋଟୁମଗୁଡା ଖେଳ ପଡିଆରେ ଏକତ୍ରୀତ ହୋଇ ଗଣମାଧ୍ୟମ ଜରିଆରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏହି ବୈଠକରେ ପଡିଆ ବ୍ଲକ ଅଧ୍ୟକ୍ଷା ଯମୁନା ମୂଷାକୀ, ପଡିଆ ବ୍ଲକ ସାଂସଦଙ୍କ ପ୍ରତିନିଧି ପି ଭେଙ୍କେଟେଶ୍ୱର ରାଓ ସମେତ ବିଭିନ୍ନ ଅଞ୍ଚଳର ଜନ ପ୍ରତିନିଧି, ଦଳୀୟ କର୍ମୀ ଓ ଜନସାଧାରଣ ଯୋଗ ଦେଇ ଏକଲବ୍ଯ ସ୍କୁଲକୁ ସ୍ଥାନାନ୍ତରଣ ନକରିବାକୁ ଅଂଚଳବାସୀ ଏକାଠି ହେବାକୁ ନିଷ୍ପତ୍ତି ନେଇଛନ୍ତି। ଏକଲବ୍ଯ ସ୍କୁଲ ବ୍ଲକ ସଦର ମହକୁମାରେ ନିର୍ମାଣ ହେଲେ ବ୍ଲକର ସମସ୍ତ ପଞ୍ଚାୟତର ପିଲାଙ୍କ ଯାତାୟତ ପାଇଁ ଯୋଗାଯୋଗ ସହଜ ହୋଇପାରିବ। ଏଠାରେ ସ୍କୁଲ ନିର୍ମାଣ ହେଲେ ସ୍କୁଲ ନିର୍ମାଣ କାର୍ଯ୍ୟ, କର୍ମଚାରିଙ୍କ ଥଇଥାନ, ଯାତାୟତ ସମେତ ସ୍କୁଲ ର ପ୍ରଶାସନିକ ପ୍ରକିୟା ମଧ୍ୟ ବ୍ଲକ ମୁଖ୍ୟାଳୟରୁ ସହଜରେ ହୋଇପାରିବ। ଏଥିସହ ନିକଟ ଭବିଷ୍ୟତରେ ପଡିଆ ଅଞ୍ଚଳବାସୀ ଜିଲ୍ଲାପାଳ ଙ୍କୁ ଭେଟି ଏହି ଘଟଣା ବାବଦରେ ଲିଖିତ ଭାବେ ଜଣାଇବେ ବୋଲି କୁହାଯାଇଛି। ଅନ୍ୟପଟେ ରାଜସ୍ୱ ବିଭାଗ ପକ୍ଷ୍ୟରୁ ସ୍ଥାନ ନିରୂପଣ କରାଯାଇ ଖୁଣ୍ଟ ପୋତାଯିବା ପରେ କେଉଁ ପରିସ୍ଥିତି ବା କାହା ଚାପରେ ଏଭଳି ସ୍ଥାନାନ୍ତରଣ କଥା ଉଠିଥିବା ଏହି ବୈଠକରେ ପ୍ରଶ୍ନବାଚୀ ହୋଇଥିଲା। ତେବେ ଏ ନେଇ ମୋଟୁ ତହସିଲଦାର ଙ୍କୁ ପଚାରିବାରୁ ଏହି ସ୍କୁଲ ନିର୍ମାଣ ଲାଗି ୧୨ ଏକରରୁ ଉର୍ଦ୍ଧ୍ୱ ଜାଗା ଆବଶ୍ୟକ ଓ ସମସ୍ତଙ୍କ ସହମତି କ୍ରମେ ଏହା ପଡିଆ ବ୍ଲକର କୌଣଷି ଏକ ସ୍ଥାନରେ ହିଁ କରାଯିବ ବୋଲି କହିଛନ୍ତି। ଏପରି ସ୍ଥିତିରେ ପୂର୍ବରୁ ଚିହ୍ନିତ ଏହି ସ୍ଥାନରେ କିମ୍ବା ଆବଶ୍ୟକ ସ୍ଥଳରେ ବ୍ଲକ ସଦରରେ ଥିବା ଅନ୍ୟ ସରକାରୀ ସ୍ଥାନରେ ଏହି ଏକଲବ୍ୟ ଅନ୍ତେବାସୀ ବିଦ୍ୟାଳୟ ନିର୍ମାଣ ପାଇଁ ପୂର୍ବତନ ବ୍ଲକ ଅଧକ୍ଷ ଦେବା ମାଡକାମି, ଏନ୍ ରାଘବ ରାଓ, କୋଟାମ ବାଲାୟା, ନାକା ନୁକାଲ ରାଜୁ, ସନ୍ୟାସୀ ରାଓ, ଅଶୋକ ପାଲ, ସୁବାଷ ଭୌମିକ, ଚୀନାମ ଏନ୍ଗଲାୟା, ସତ୍ୟନାରାୟଣ ମାଝୀ ସମେତ ଅଂଚଳବାସୀ ଦାବୀ କରିଛନ୍ତି।
