
ବ୍ରହ୍ମପୁର: ଆସିକା ସ୍ଥିତ ସାବିତ୍ରୀ କଲ୍ୟାଣ ମଣ୍ଡପ ଠାରେ ଏକ ବ୍ଲକ ସ୍ତରୀୟ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର,ହିଂସା,ମହିଳା ଅଧିକାର ଆଇନ ଏବଂ ସୁରକ୍ଷା ବ୍ୟବସ୍ଥା ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି।ଆସିକା ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଇନ୍ଦିରା ମହାପାତ୍ରଙ୍କ ପୌରାହିତ କାର୍ଯ୍ୟକ୍ରମ ରେ ଆସିକା ଥାନା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ପଟ୍ଟନାୟକ ଜିଲ୍ଲାପରିଷଦ ସଦସ୍ୟା ଅନିମା ପରିଡା, ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ ର ବରିଷ୍ଠ ହିସାବ ରକ୍ଷକ ଗୋପାଳକୃଷ୍ଣ ବେହେରା,ବ୍ଲକ ଉପାଧ୍ୟାକ୍ଷା ରେଶମା ଦୋରା,ଆସିକା ତାଲୁକ ଆଇନ ସେବା ପ୍ରାଧିକରଣ ର ସଦସ୍ୟ ତଥା ସମ୍ବଳ ବ୍ୟକ୍ତି ମଧୁସ୍ମିତା ନାୟକ ମଞ୍ଚାସିନ ଥିଲେ।
ଏହି ଆଲୋଚନା ଚକ୍ର ରେ ମହିଳା ମାନଙ୍କ ଲିଙ୍ଗ ଭିତ୍ତିକ ହିଂସାର ପ୍ରକାର, କାରଣ ଏବଂ ପ୍ରଭାବ, ମହିଳା ମାନଙ୍କ ଲିଙ୍ଗଗତ ଅଧିକାର ଏବଂ ସୁରକ୍ଷା, ଶିକ୍ଷା ଓ ଚାକିରୀର ଅଧିକାର, ପ୍ରଜନନ ଏବଂ ମାତୃ ସ୍ୱାସ୍ଥ୍ୟ ଅଧିକାର, ଅସମାନତା ଏବଂ ଭେଦଭାବ ବିରୋଧୀ ଆଇନ,ରାଜନୀତି ଓ ନିର୍ବାଚନ ଅଧିକାର,ମାନବ ତାସକରି (ନିଷେଧ ଏବଂ ନିୟନ୍ତ୍ରଣ )ଆଇନ ୨୦୨୩, ବାଳକ ଓ ବାଳିକା ମାନଙ୍କ ଯୌନ ଅପରାଧ ରୁ ସୁରକ୍ଷା ଆଇନ ୨୦୧୨, ଯାଦୁ ଶିକାର ଆଇନ ୨୦୧୩, କାର୍ଯ୍ୟ କ୍ଷେତ୍ରରେ ମହିଳାଙ୍କୁ ହିଂସା ୨୦୧୩, ଘରୋଇ ହିଂସା ୨୦୧୫, ଯୌତୁକ ନିରୋଧ ଆଇନ ୧୯୬୧, ବାଲ୍ୟ ବିବାହ ୨୦୦୬, ପୁଅ ପ୍ରାଧାନ୍ୟ ଓ ଲିଙ୍ଗ ପକ୍ଷପାତି ଚୟନ ଆଇନ ୧୯୯୪, ଉପରେ ଆଲୋଚନା ହୋଇଥିଲା।ଏଥି ସହିତ ମହିଳା ମାନଙ୍କ ପାଇଁ ସରକାରୀ ଯୋଜନା ଗୁଡିକ ତଥା ଋଣ ସମ୍ବନ୍ଧୀୟ ଷ୍ଟାଣ୍ଡଅପ ଯୋଜନା,ମୁଦ୍ରା ଯୋଜନା, ମିଶନ ଶକ୍ତି ଋଣ, ଲକ୍ଷ ପତି ଦିଦି ଯୋଜନା, ସୁଭଦ୍ରା, ପ୍ରଜନନ ସ୍ୱାସ୍ଥ୍ୟ ପାଇଁ ଯୋଜନା ଉପରେ ସଚେତନତା କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ଆଶା, ଅଙ୍ଗନବାଡି, ସ୍ୱୟଂ ସହାୟକ ମହିଳା, ସ୍ବେଛାସେବୀ ସଂଗଠନ, ପଞ୍ଚାୟତରାଜ ପ୍ରତିନିଧି, ଜିଲ୍ଲା ପରିଷଦ ସଦସ୍ୟ ମାନେ ଅଂଶ କରିଥିଲେ। ଆସିକା ତଥା ଆଖପାଖ ଅଞ୍ଚଳ ର ଶତାଧିକ ମହିଳା ଯୋଗ ଦେଇଥିଲେ।