ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ଭଙ୍ଗା କାଚ ବୋତଲରେ ଆକ୍ରମଣ : ଆକ୍ରମଣରେ ଯୁବକ ଗୁରୁତର, ଆକ୍ରମଣକାରୀ ଗିରଫ

ହିଞ୍ଜିଳିକାଟୁ : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ସେହି ଗ୍ରାମର ଅନ୍ୟ ଜଣେ ଯୁବକ ଭଙ୍ଗା କାଚ ବୋତଲରେ ଆକ୍ରମଣ କରିଛନ୍ତି। ଆକ୍ରମଣରେ ଯୁବକ ଜଣଙ୍କ ଗୁରୁତର ଆହତ ହୋଇଛନ୍ତି। ଆହତ ଜଣଙ୍କ ହେଲେ ହିଞ୍ଜିଳି ଥାନା ଖଣ୍ଡରା ଗ୍ରାମର ନିଳାଞ୍ଚଳ ଗୈାଡ (୨୨)।
ପୁଲିସ ସୂଚନା ପ୍ରକାରେ, ହିଞ୍ଜିଳି ଥାନା ଖଣ୍ଡରା ଗ୍ରାମର ରାମଚନ୍ଦ୍ର ଗୈାଡ (୩୫) ଗତ କିଛି ମାସ ଧରି ଗ୍ରାମର ବିଭିନ୍ନ ଲୋକଙ୍କୁ ଗାଳି ଗୁଲଜ କରି ଆସୁଥିଲେ। ଘଟଣାକୁ କେନ୍ଦ୍ର କରି ସେହି ଗ୍ରାମର ନିଳାଞ୍ଚଳ, ଗ୍ରାମର କାହାରିକୁ ଗାଳି ଗୁଲଜ କରିବା ପାଇଁ ରାମଚନ୍ଦ୍ରଙ୍କୁ ଅନୁରୋଧ କରିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ରାମଚନ୍ଦ୍ର, ନିଳାଞ୍ଚଳଙ୍କୁ ଗାଳି ଗୁଲଜ କରିବା ସହ ହତ୍ୟା ଧମକ ଦେଇଥିଲେ। ଗୁରୁବାର ସକାଳେ ନିଳାଞ୍ଚଳ ଗାଁ ଦାଣ୍ଡରେ ବୁଲୁଥିବା ସମୟରେ ରାମଚନ୍ଦ୍ର ହଠାତ ଗାଳି ଗୁଲଜ କରିବା ସହ ଧରିଥିବା ଏକ ଭଙ୍ଗା କାଚ ବୋତଲରେ ନିଳାଞ୍ଚଳଙ୍କ ପେଟକୁ ଭୁଷି ଦେଇଥିଲେ। ଯୁବକ ଜଣଙ୍କ ଗୁରୁତର ଆହତ ହୋଇ ତଳେ ପଡିଯିବା ପରେ ଆକ୍ରମଣକାରୀ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ। ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଖବର ପାଇ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ ଆକ୍ରମଣକାରୀ ରାମଚନ୍ଦ୍ରଙ୍କୁ ନିକଟସ୍ଥ ଅଞ୍ଚଳରୁ ଗିରଫ କରିଥିଲା। ଆହତଙ୍କ ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ ନଂ- ୧୧୧/୨୫ ରେ ଏକ ମାମଲା ରୁଜୁ କରି ଆକ୍ରମଣକାରୀ ରାମଚନ୍ଦ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ଆଇଆଇସି ଶ୍ରୀନିବାସ ସେଠିଙ୍କ ସୂତ୍ରରୁ ପ୍ରକାଶ।