ମେସିନ ଦ୍ବାରା ସଫା ହେଉଛି ତ୍ରିବେଣୀ ସଙ୍ଗମ ଜଳ

add-all

ପ୍ରୟାଗରାଜ: ମହାକୁମ୍ଭକୁ ପ୍ରତିଦିନ କୋଟି କୋଟି ଭକ୍ତ ବୁଡ଼ ପକାଇବାକୁ ପହଞ୍ଚୁଛନ୍ତି। ଏଥିପାଇଁ ତ୍ରିବେଣୀ ସଙ୍ଗମରେ ପୂଜା ପାଇଁ ବ୍ୟବହୃତ ନଡ଼ିଆ, ଫୁଲ ଇତ୍ୟାଦି ପୂଜା ସାମଗ୍ରୀ ପଡ଼ି ରହୁଛି। ପ୍ରତିଦିନ ଆସୁଥିବ ଭକ୍ତଙ୍କୁ ନିର୍ମାଳ ପାଣି ଦେବା ପାଇଁ ୟୁପି ସରକାର ଏକ ଅଭିନବ ବାଟ ଆପଣାଇଛନ୍ତି। ପ୍ରତିଦିନ ତ୍ରିବେଣୀରୁ ଅଳିଆ କଢ଼ାଯାଉଛି, ଯାହା ଦ୍ଵାରା ଭକ୍ତମାନେ ସଙ୍ଗମର ସ୍ୱଚ୍ଛ ଏବଂ ବିଶୁଦ୍ଧ ଜଳରେ ବୁଡ଼ ପକାଇପାରିବେ। ସଙ୍ଗମର ମଇଳା ସଫା କରିବା ପାଇଁ ଟ୍ରାସ୍ ସ୍କିମର୍ ମେସିନ୍ ଲଗାଇଛନ୍ତି ୟୁପି ସରକାର। ଏହି ମେସିନ ପ୍ରତିଦିନ ନଦୀରୁ ୧୦ ରୁ ୧୫ ଟନ୍ ଆବର୍ଜନା ବାହାର କରୁଛି ଏବଂ ଏହାର ପାଣିକୁ ସଫା କରୁଛି।
ସ୍କିମର୍ ମେସିନ୍ ସାହାଯ୍ୟରେ ନଦୀ ସଫା କରିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି। ଏଥିରେ ଦେଖାଯାଉଛି ଯେ କିପରି କିଛି ମିନିଟ୍ ମଧ୍ୟରେ ମେସିନ୍ ନଦୀରୁ ସମସ୍ତ ଅଳିଆ ଏବଂ ଘାସକୁ ଛାଣି କୂଳରେ ଫିଙ୍ଗି ଦେଉଛି। ଏହା ପରେ, ନଦୀର ପାଣି ସମ୍ପୂର୍ଣ୍ଣ ସ୍ୱଚ୍ଛ ଦିଶୁଛି, ଯେଉଁଥିରେ ଯେକେହି ସହଜରେ ବୁଡ଼ ପକାଇପାରିବେ।
ନଦୀକୁ ସଫା କରିବା ପାଇଁ ମେସିନର କ୍ଷମତା ୧୩ ଘନ ମିଟର। ଏହି ମେସିନଗୁଡ଼ିକ ନଦୀର ଚାରି କିଲୋମିଟର ଅଞ୍ଚଳକୁ ସଫା କରେ। ସଙ୍ଗମରୁ ବୋଟ କ୍ଲବ ଏବଂ ଅନ୍ୟାନ୍ୟ ଅଞ୍ଚଳ ମେସିନ ଦ୍ବାରା ସଫା କରାଯାଏ। ଏହି ମେସିନଗୁଡ଼ିକ ସାହାଯ୍ୟରେ ଗଙ୍ଗା ଏବଂ ଯମୁନାକୁ ସଫା କରାଯାଉଥିବା ଜଣାଯାଇଛି। ମହାକୁମ୍ଭ ଆରମ୍ଭ ହେବା ପରେ, ମେସିନ୍ ଦ୍ୱାରା ଅଳିଆ ସଂଗ୍ରହ ୨୦ଗୁଣ ବୃଦ୍ଧି ପାଇଛି। ଏହି ମେସିନ୍ ଭାସୁଥିବା ଫୁଲ, ମାଳ, ପ୍ଲେଟ, ଧୂପକାଠି, ପ୍ଲାଷ୍ଟିକ୍, ନଡ଼ିଆ, ପୋଷାକ ଇତ୍ୟାଦିକୁ ବାହାର କରିଦିଏ।

ad-week
Leave A Reply

Your email address will not be published.