ବିବାହ ଶୋଭାଯାତ୍ରାରେ ଆକ୍ରମଣ ଘଟଣା, ବାଇକ, କାତି ସହ‌ ୪ଗିରଫ

youtube

ହିଞ୍ଜିଳିକାଟୁ ୧୯/୨ : ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ଶ୍ରଦ୍ଧାପୁର ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ବିବାହ ଶୋଭାଯାତ୍ରାରେ ଆକ୍ରମଣ ଘଟଣା ରେ ହିଞ୍ଜିଳିକାଟୁ ପୁଲିସ ଗୁରୁବାର ବାଇକ ଓ କାତି ସହ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ସୂଚନା ପ୍ରକାରେ, ସୋମବାର ରାତିରେ ହିଞ୍ଜିଳିକାଟୁ ଅଞ୍ଚଳର ଜଣେ ଯୁବକ ବାହାଘର ସକାଶେ ହିଞ୍ଜିଳି ଥାନା ଶ୍ରଦ୍ଧାପୁର ଗ୍ରାମକୁ ଶୋଭାଯାତ୍ରାରେ ଯାଉଥିଲେ। ରାତ୍ର ପ୍ରାୟ ୧୧ ଘଣ୍ଟା ସମୟରେ ସାମାନ୍ୟ ବଚସାରୁ ବରଘରର କିଛି ସମ୍ପର୍କୀୟଙ୍କ ସ‌ହ ବାହାଘର ପାଇଁ ଶୋଭାଯାତ୍ରାରେ ଯାଇଥିବା ଘୋଡାଗାଡି ଚାଳକଙ୍କ ସହ ଯୁକ୍ତିତର୍କ ପରେ ଗଣ୍ଡଗୋଳ ହୋଇଥିଲା। ପରେ ଆପୋଷ ବୁଝାମଣା ହୋଇଥିଲା ।ପରିସ୍ଥିତି ଧୀରେ ଧୀରେ ଉଗ୍ରରୂପ ଧାରଣ କରିଥିଲା। ଶେଷରେ ଶୋଭାଯାତ୍ରା ଗାଡି ଚାଳକ, ମାଲିକ ଓ ଜଣେ ସହଯୋଗୀ ମିଶି ଖଣ୍ଡାରେ ହଠାତ୍ କାହ୍ନାଙ୍କୁ ଆକ୍ରମଣ କରିଥିଲେ।‌ ଆକ୍ରମଣରେ ଯୁବକଙ୍କ ହାତ, ମୁଣ୍ଡ ଓ ଛାତିରେ ଗଭୀର କ୍ଷତ ସୃଷ୍ଟି ହେବା ସହ ରକ୍ତ ଜୁଡୁବୁଡୁ ହୋଇ ଯୁବକ ଜଣଙ୍କ ଘଟଣା ସ୍ଥଳରେ ପଡି ଯାଇଥିଲେ। ଯୁବକ ଜଣଙ୍କ ତଳେ ପଡିଯିବା ପରେ ଆକ୍ରମଣକାରୀ ଗାଡି ଚାଳକ ଓ ସହଯୋଗୀ ମାନେ ଶୋଭାଯାତ୍ରା ଗାଡ଼ିକୁ ସାଙ୍ଗରେ ନେଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ। ସ୍ଥାନୀୟ ଲୋକେ ଗୁରୁତର ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଅବସ୍ଥା ସଙ୍କଟାପନ୍ନ ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ଓ ପରେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ଖବର ପାଇ ହିଞ୍ଜିଳି ପୁଲିସର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଘଟଣାର ସରଜମିନ ତଦନ୍ତ ଚଳାଇଥିଲା। ଗୁରୁତର ଯୁବକ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ପରିବାର ସୂତ୍ରରୁ ଜଣାପଡିଛି। ଗୁରୁତର ଆହତ ଯୁବକ ଜଣଙ୍କ ହେଲେ ହିଞ୍ଜିଳି ଥାନା କଣ୍ଟେଇକୋଳି ଗ୍ରାମର କାହ୍ନା ସାହୁ (୩୦) । ଏଭଳି ଏକ ଘଟଣା ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଶ୍ରଦ୍ଧାପୁର ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ଘଟିଥିଲା। ଘଟଣା ନେଇ ବୁଧବାର ଗୁରୁତର ଆହତ କାହ୍ନାଙ୍କ ବାପା ମଙ୍ଗୁଳୁ ସାହୁ ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ ନଂ- ୧୨୫/୨୫ ରେ ଏକ ମାମଲା ରୁଜୁ କରି ତଦନ୍ତକାରୀ ଅଧିକାରୀ ତଥା ଥାନା ଏସଆଇ ସିଦ୍ଧାର୍ଥ ଶଙ୍କର ଜେନା ଘଟଣାର ତଦନ୍ତ ଚଳାଇଥିଲେ। ପୁଲିସ ଆକ୍ରମଣ ଘଟଣାରେ ସଂପୃକ୍ତ ୪ ଜଣଙ୍କୁ ଗିରଫ କରିଛି। ଗିରଫ ଯୁବକ ମାନେ ହେଲେ ହିଞ୍ଜିଳି ଥାନା ତଥା ହିଞ୍ଜିଳିକାଟୁ ପୈାରାଞ୍ଚଳ ହିଞ୍ଜିଳି ସାନସାହିର ଚନ୍ଦନ ଚୌଧୁରୀ (୩୨), ତାଙ୍କ ସାନ ଭାଇ କାହ୍ନୁ ଚୌଧୁରୀ (୨୮), ପାଟଣା ସାହିର ରାମଚନ୍ଦ୍ର ସେନାପତି (୩୫) ଓ ହିଞ୍ଜିଳି ଥାନା ଶ୍ରଦ୍ଧାପୁର ଗ୍ରାମର ଗଣେଷ ପୃଷ୍ଟି (୩୮) । ଗିରଫ ଯୁବକ ମାନଙ୍କ ଠାରୁ ଶୋଭାଯାତ୍ରାରେ ବ୍ୟବହୃତ ଶୋଭାଯାତ୍ରା ଗାଡି (ଓଡି୧୫ ଆର ୧୭୩୭), ଏକ ସ୍କୁଟି (ଓଡି୦୭ ଜେ ୯୪୮୧) ଓ ଆକ୍ରମଣରେ ବ୍ୟବହୃତ ଏକ ରକ୍ତଭିଜା କାତିକୁ ପୁଲିସ ଜବତ କରିଛି। ବୁଧବାର ଗିରଫ ସମସ୍ତ ଯୁବକଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଆଇଆଇସି ଶ୍ରୀନିବାସ ସେଠିଙ୍କ ସୂତ୍ରରୁ ପ୍ରକାଶ।

Leave A Reply

Your email address will not be published.