କନ୍ଧମାଳର ପୂର୍ବତନ ସାଂସଦ ମୃତ୍ୟୁଞ୍ଜୟ ନାୟକଙ୍କ ପରଲୋକ : ସମଗ୍ର ଅଞ୍ଚଳରେ ଶୋକର ଛାୟା

newyr25

କନ୍ଧମାଳ, ତା, ୧୯/୦୨: କନ୍ଧମାଳ ଜିଲ୍ଲା ଫୁଲବାଣୀ ର ପୂର୍ବତନ ସାଂସଦ ମୃତ୍ୟୁଞ୍ଜୟ ନାୟକଙ୍କ ମଙ୍ଗଳବାର ସନ୍ଧ୍ୟାରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା। ସେ ଗତ କିଛି ଦିନ ଧରି ଅସୁସ୍ଥ ହୋଇ ବ୍ରହ୍ମପୁର ଠାରେ ଚିକିତ୍ସିତ ହେଉଥିଲେ। ପରେ ଅବସ୍ଥା ଗୁରୁତର ହେବାରୁ ଦୁଇ ଦିନ ତଳେ ତାଙ୍କୁ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଥିଲା। ସ୍ବର୍ଗତ ନାୟକ କଂଗ୍ରେସ ଦଳର ବରିଷ୍ଠ ନେତା ଥିଲେ। ସେ ୧୯୮୦,୧୯୯୧ ଓ ୧୯୯୬ରେ କଂଗ୍ରେସ ଦଳ ଟିକଟରେ ଫୁଲବାଣୀ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ।ଏଥିସହ ସେ ଜାତୀୟ ଅନୁସୂଚିତ ଜାତି କମିଶନ ସଦସ୍ୟ ଭାବେ ଦାୟିତ୍ୱ ତୁଲାଇଥିଲେ। ୧୯୫୨ ମସିହା ଜୁଲାଇ ୧ ତାରିଖରେ ଜନ୍ମଗ୍ରହଣ କରିଥିବା ସ୍ୱର୍ଗତ ନାୟକ ମୂଳରୁ ଛାତ୍ର ରାଜନୀତି ସହିତ ସମ୍ପୃକ୍ତ ଥିଲେ। ବ୍ରହ୍ମପୁର ଖଲ୍ଲିକୋଟ କଲେଜରେ ଉଚ୍ଚଶିକ୍ଷା ହାସଲ କରିବା ପରେ ଜାନକୀ ପଟ୍ଟନାୟକଙ୍କ ନେତୃତ୍ୱରେ କଂଗ୍ରେସ ଦଳରେ ଯୋଗ ଦେଇଥିଲେ। କନ୍ଧମାଳ ଜିଲ୍ଲାର ଜଣେ ଟାଣୁଆ ନେତା ହିସାବରେ ତାଙ୍କର ଖ୍ୟାତି ରହିଥିଲା। ତାଙ୍କର ବିୟୋଗ ଜିଲ୍ଲା କଂଗ୍ରେସରେ ଏକ ଶୂନ୍ୟସ୍ଥାନ ସୃଷ୍ଟି କରିଛି ବୋଲି କହିଛନ୍ତି ଜିଲ୍ଲା କଂଗ୍ରେସ ସଭାପତି ଚନ୍ଦ୍ର ଶେଖର ପରିଡା। ମୃତ୍ୟୁଞ୍ଜୟଙ୍କ ପରଲୋକରେ କନ୍ଧମାଳ ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି।ବୁଧବାର ଦିନ ଫୁଲବାଣୀରେ ତାଙ୍କ ଅନ୍ତିମ ସଂସ୍କାର ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.