
ମାଲକାନଗିରି :ସାରା ରାଜ୍ୟରେ କାଲିଠାରୁ ମାଟ୍ରିକ ପରୀକ୍ଷା ହେବାକୁ ଯାଉଛି। ଜିଲ୍ଲା ର ୮ ହଜାରରୁ ଊର୍ଦ୍ଧ୍ଵ ଛାତ୍ରଛାତ୍ରୀ ମାନଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ।ଏହି ତାରତମ୍ୟରେ ବାଲିମେଳା ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ଅବିଭାବକ ମହଲରେ ଅସନ୍ତୋଷ ଦେଖିବାକୁ ମିଳିଛି। ବାଲିମେଳା ସରକାରୀ ଉଚ୍ଚ ବିଦ୍ୟାଳୟରୁ ଝିଅ ୯୫ ,ପୁଅ ୧୫୬ ଜଣ ଛାତ୍ରଛାତ୍ରୀ ବାଲିମେଳା ଠାରୁ ୧୦ କିଲୋମିଟର ଦୂର ତାର୍ଲାକୋଟା ବିଦ୍ୟାଳୟରେ ପରୀକ୍ଷା ଦେବେ। ଯାହା ଅନେକ ଡେ ସ୍କଲାର ଛାତ୍ରଛାତ୍ରୀ ମାନଙ୍କ ପାଇଁ କଷ୍ଟସାଧ୍ୟ। ତେବେ ଏହି ବାଲିମେଳା ସରକାରୀ ଉଚ୍ଚ ବିଦ୍ୟାଳୟଟି ମାଟ୍ରିକ ପରୀକ୍ଷା ପାଇଁ ସେଣ୍ଟର ହୋଇଥିବା ବେଳେ ଏଥିରେ କେବଳ ଦୁଇ ତିନୋଟି ପାଖାପାଖି ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ପାଇଁ ସେଣ୍ଟର ନିର୍ଦ୍ଧାରିତ ହୋଇଛି।ଖାଲି ଚଳିତ ବର୍ଷ ନୁହେଁ ବରଂ ବିଗତ ବର୍ଷ ମାନଙ୍କରେ ମଧ୍ୟ ବାଲିମେଳା ଉଚ୍ଚ ବିଦ୍ୟାଳୟ ଅତି ନିକଟବର୍ତ୍ତୀ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ନିମନ୍ତେ ସେଣ୍ଟର୍ ହେଉଛି। ଯାହାକୁ ନେଇ ଅନେକ ଅବିଭାବକ ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି। ଯଦିଓ ପାଖାପାଖି ବିଦ୍ୟାଳୟର ସେଣ୍ଟର୍ କରାଯିବା ନିୟମ ରହିଛି। ହେଲେ ବାରମ୍ବାର କିଛି ନିର୍ଦିଷ୍ଟ ପାଖ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଏଠାରେ ପରୀକ୍ଷା ଦେଉଛନ୍ତି। ଯାହା ଫଳରେ ସେଣ୍ଟର ଫିକ୍ସ ହେବାର ସମ୍ଭାବନା ଅଧିକ ରହିଛି । ଏପରି ସ୍ଥଳେ ବାଲିମେଳା ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ଲଗାତାର ଦୂର ଦୂରଦୂରାନ୍ତ ବିଦ୍ୟାଳୟକୁ ପରୀକ୍ଷା ପାଇଁ ପଠାଯାଉଛି।ଯାହା ଫଳରେ ବାଲିମେଳାର ଅବିଭାବକ ମାନେ ବିଭିନ୍ନ ସମସ୍ୟାର ସମ୍ମୁଖିନ ହେବା ସହ ଅସୁବିଧାରେ ପଡୁଛନ୍ତି। ସ୍ଥାନୀୟ ଅବିଭାବକ ମହଲରେ ସନ୍ଦେହର ପ୍ରଶ୍ନ ଉଙ୍କି ମାରୁଥିବା ଅଭିଯୋଗ ହେଉଛି। ଗୋଟିଏ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ପାଇଁ ବାରମ୍ବାର ଦୂରରେ ସେଣ୍ଟର ହେଉଥିବା ବେଳେ କାହିଁକି ପ୍ରତି ବର୍ଷ ଏହି ବିଦ୍ୟାଳୟ ଠାରୁ ମାତ୍ର ୫୦ ରୁ ୧୦୦ ମିଟରରେ ଥିବା ବିଦ୍ୟାଳୟର ସେଣ୍ଟର୍ ଏଠାରେ ହେଉଛି କିପରି ବୋଲି ଅବିଭାବକଙ୍କ ପ୍ରଶ୍ନ। ଜିଲ୍ଲା ପ୍ରଶାସନ ଏଥିପ୍ରତି କଡ଼ା ଦୃଷ୍ଟି ଦେବା ଆବଶ୍ୟକ ରହିଛି ଏବଂ ତୁରନ୍ତ ଏହାର ସମାଧାନ ଦିଗରେ କାର୍ଯ୍ୟାନୁଷ୍ଠାନ କରିବା ଉଚିତ। ନଚେତ ବାଲିମେଳାରେ ଅନେକ ବଡ଼ ବଡ଼ ସରକାରୀ ବେସରକାରୀ ବିଦ୍ୟାଳୟ ରହିଛି।ସେଠାରେ ସେଣ୍ଟର କରାଯାଉ ଅବା ବିଦ୍ୟାଳୟ ଗୁଡିକୁ ପ୍ରତିବର୍ଷ ରୋଟେସନ ମାଧ୍ୟମରେ ସେଣ୍ଟର କରିବା ପାଇଁ ଅବିଭାବକମାନେ ଅଭିଯୋଗ କରିଛନ୍ତି।ଏହା ସହିତ ପରୀକ୍ଷା ସମୟରେ ବାଲିମେଳା ଉଚ୍ଚ ବିଦ୍ୟାଳୟକୁ କଡାକଡି ତଦାରଖ କରାଯାଉ ବୋଲି ଦାବି କରିଛନ୍ତି।