ଅପମୃତ୍ୟୁର ନାଆଁ : ଆତ୍ମହତ୍ୟା ନା ହତ୍ୟା…!?

ମାଲକାନଗିରି: ଦେଶରେ ଦିନକୁ ଦିନ ଦଳିତ ତଥା ଆଦିବାସୀ ମାନଙ୍କ ପ୍ରତି ଅତ୍ୟାଚାର ବୃଦ୍ଧି ପାଇବାରେ ଲାଗିଛି । ବେକାରୀ, ବେରୋଜଗାରୀ, ଅଭାବ ଅନଟନ, ସହରୀକରଣ, ନିଶା ଦ୍ରବ୍ୟର ନିରଙ୍କୁଶ ବିକ୍ରି ଏବଂ ପ୍ରଯୁକ୍ତିବିଦ୍ୟାର ନକରାତ୍ମକ ପ୍ରଭାବ କାରଣରୁ ଅପରାଧିକ ପ୍ରବୃତ୍ତି କ୍ରମଶଃ ବଢିବାରେ ଲାଗିଛି । ଯାହା ଦ୍ଵାରା ସିଧାସଳଖ ପ୍ରଭାବିତ ହେଉଛନ୍ତି ସରଳ ତଥା ନିରାଡମ୍ବର ଭାବେ ଜୀବନଯାପନ କରୁଥିବା ମଣିଷ, ଯେଉଁମାନଙ୍କ ମଧ୍ୟରୁ ମହିଳା ଓ ଶିଶୁ ମାନଙ୍କ ସଂଖ୍ୟା ମାତ୍ରାଧିକ । ସବୁଠାରୁ ରୋଚକ ତଥ୍ୟ ହେଉଛି, ଆମ ଜିଲ୍ଲା ଏକ ଆଦିବାସୀ ବହୁଳ ଜିଲ୍ଲା ହୋଇଥିବା ସତ୍ତ୍ୱେ ଦଳିତ ଆଦିବାସୀ ମାନଙ୍କ ପ୍ରତି ସମ୍ବେଦନହୀନ ହୋଇ ଚାଲିଛି ସରକାରୀ ବ୍ୟବସ୍ଥା ଓ ପ୍ରଶାସନ । ଯେଉଁ ଗଳାବାଟ ଦେଇ ଅସାମାଜିକ ତଥା ଅଭାବନୀୟ ଘଟଣାର ଶୀକାର ହେଉଛନ୍ତି, ଆମ ଦେଶର ଭବିଷ୍ୟତ ତଥା ଭାବି ନାଗରିକ ଅର୍ଥାତ୍ ବିଦ୍ୟାଳୟରେ ଶିକ୍ଷା ଗ୍ରହଣ ପାଇଁ ଆସୁଥିବା ଛାତ୍ରୀଛାତ୍ର । ଏହି ପରିପ୍ରେକ୍ଷୀରେ, ନିକଟ ଅତୀତରେ ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ୍ ରେ ହୋଇଥିବା ଦୁଇ ଛାତ୍ରୀ ମୃତ୍ୟୁକୁ ଅଲଗା କରି ଆଦୌ ଦେଖାଯାଇ ନପାରେ।ପ୍ରକାଶ ଥାଉ କି, ଗତ ତା:୦୬ ଫେବୃୟାରୀ ୨୦୨୫ରିଖ ଗୁରୁବାର ଦିନ ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମ୍.ଭି.-୭୨ ନୋଡ଼ାଲ୍ ଉଚ୍ଚପ୍ରାଥମିକ ବିଦ୍ୟାଳୟର ସପ୍ତମ ଶ୍ରେଣୀର ଦୁଇ ଛାତ୍ରୀ ଅପରାହ୍ଣ ଠାରୁ ନିଖୋଜ ଥିବା ନେଇ ସେମାନଙ୍କ ପରିବାର ପକ୍ଷରୁ ତା’ ପରଦିନ ଅର୍ଥାତ ତା:୦୭ ଫେବୃୟାରୀ ୨୦୨୫ରିଖ ଶୁକ୍ରବାର ଦିନ ଏମ୍.ଭି.-୭୯ ଥାନାରେ ଲିଖିତ ଅଭିଯୋଗ ଦାଖଲ କରିଥିଲେ । ତେବେ ସବୁଠାରୁ ହୃଦୟ ବିଦାରକ ଘଟଣା ହେଲା ଅଭିଯୋଗ ଦାଖଲର ଠିକ୍ ପରଦିନ ଅର୍ଥାତ୍ ତା:୦୮ ଫେବୃୟାରୀ ୨୦୨୫ରିଖ ଶନିବାର ଦିନ ଉଭୟ ଛାତ୍ରୀଙ୍କ ଝୁଲନ୍ତା ଶବ ମୋଟୁଥାନା ଅନ୍ତର୍ଗତ ବିଲିଗୁଡ଼ା ଜଙ୍ଗଲର ଏକ ଗଛରୁ ସ୍ଥାନୀୟ ଲୋକ ଠାବ କରିଥିଲେ । ପରେ ମୋଟୁ ଥାନା ତରଫରୁ ଏକ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ତେବେ ପରବର୍ତ୍ତୀ ସମୟରେ ପରିବାର ଓ ସମ୍ପର୍କୀୟ ମାନଙ୍କ ଠାରୁ ମିଳିଥିବା ପ୍ରତିକ୍ରିୟା ମୁତାବକ ଉକ୍ତ ଛାତ୍ରୀ ମାନଙ୍କ ଶରୀରରେ ଅନେକ କ୍ଷତ ବିକ୍ଷତର ମଧ୍ୟ ଚିହ୍ନ ରହିଥିଲା, ଯାହା ମୃତ୍ୟୁ ପଛରେ ଅନେକ ରହସ୍ୟ ରହିଥିବାକୁ ସୂଚାଉଥିବାର ଆଶଙ୍କା କରୁଥିଲେ । ଇତି ମଧ୍ୟରେ ପାଖାପାଖି ୧୫ଦିନ ପରେ ଶବ ବ୍ୟବଚ୍ଛେଦ ରିପୋର୍ଟ୍ ସାମ୍ନାକୁ ଆସିଛି, ଯେଉଁ ରିପୋର୍ଟ୍ ଅନୁସାରେ ଉଭୟ ଛାତ୍ରୀ ଶ୍ୱାସରୁଦ୍ଧ କାରଣରୁ ମୃତ୍ୟୁ ବରଣ କରିଛନ୍ତି ବୋଲି ତଥ୍ୟ ପ୍ରଦାନ କରାଯାଇଛି । ଯେଉଁ ରିପୋର୍ଟ୍ ପଛରେ ସାଇଣ୍ଟିଫିକ୍ ଟିମ୍, ଡାକ୍ତରୀ ବିଭାଗ ତଥା ପୋଲିସ୍ ବିଭାଗର ମିଳିତ ଅନୁସନ୍ଧାନ ସାମିଲ୍ ରହିଛି । ଏ ସମସ୍ତ ଘଟଣାକୁ ନେଇ ଅନେକ ଗଣମାଧ୍ୟମ ଦ୍ଵାରା ମିଳୁଥିବା ସୂଚନାରେ ମାଲକାନଗିରି ପୋଲିସ୍ ପ୍ରଶାସନଙ୍କ ପ୍ରତିକ୍ରିୟା, କେବଳ ପରିବାରବର୍ଗଙ୍କ ନିକଟରେ ନୁହଁ ବରଂ ସାଧାରଣରେ ଅନେକ ଆଲୋଚନା ଓ ପର୍ଯ୍ୟାଲୋଚନାକୁ ଜନ୍ମ ଦେଇଛି । ସବୁଠାରୁ ଗମ୍ଭୀର ପ୍ରସଙ୍ଗ ହେଲା ଏହି ମାମଲା ବର୍ତ୍ତମାନ ଆଦାଲତଙ୍କ ନିକଟରେ ବିଚାରାଧୀନ ଥିବା ବେଳେ, କେଉଁ ପରିପ୍ରେକ୍ଷୀରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ରଥ ଉକ୍ତ ଅପମୃତ୍ୟୁ ଘଟଣାକୁ ‘ଆତ୍ମହତ୍ୟା’ ବୋଲି ସଂକ୍ଷେପଣ କରିଦେଇ ପାରିଲେ? ଶ୍ରୀ ରଥଙ୍କ ଦ୍ଵାରା ସାମ୍ବାଦିକଙ୍କ ସହ ଫୋନ୍ କଲ୍ ଜରିଆରେ ହୋଇଥିବା କଥା ସାଧାରଣରେ ପ୍ରକାଶିତ ହୋଇଛି। ଯେଉଁ ପ୍ରତିକ୍ରିୟା ମୁତାବକ, “ତଣ୍ଟି ଚିପି ହତ୍ୟା, ବେକରେ ରସି ଗାମୁଛା ବା ଓଢଣୀ ଦେଇ ହତ୍ୟା କିମ୍ବା ଆତ୍ମହତ୍ୟା ହେଉ ଅବା ଜଳରେ ବୁଡ଼ି ମୃତ୍ୟୁ, ଏ ସମସ୍ତ ଘଟଣାରେ ଶ୍ୱାସରୁଦ୍ଧ ହୋଇଥାଏ । ଏଣୁ ଉଭୟ ଛାତ୍ରୀ ଆତ୍ମହତ୍ୟା ହିଁ କରିଛନ୍ତି।” ବର୍ତ୍ତମାନ ପ୍ରଶ୍ନ ଉଠୁଛି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ କିପରି ଦୃଢ଼ ନିଶ୍ଚିତ ହେଲେ ଯେ, ସେହି ମାମଲା କୌଣସି ହତ୍ୟାର ପରିଣତି ନୁହେଁ ବରଂ କେବଳ ଓ କେବଳ ଆତ୍ମହତ୍ୟା? ଦୃଢ଼ତାର ସହ ଜଣେ ଦାୟିତ୍ବବାନ ପୋଲିସ୍ ଅଧିକାରୀ ଗୋଟିଏ ବିଚାରାଧୀନ ମାମଲା ବାବଦରେ ଦୃଢ଼ତାର ସହ କିଭଳି ସ୍ପଷ୍ଟୀକରଣ ରଖିଲେ ଯେ ତାହା ଆତ୍ମହତ୍ୟା? ଏହା ଛଡ଼ା ଉକ୍ତ ସ୍ପଷ୍ଟୀକରଣକୁ ସରକାରୀ ବିଭାଗ ମାନଙ୍କ ଆଧାରରେ ଦିଆଯାଇଛି ଏଣୁ ଏହା ଉପରେ କୌଣସି ଭାବେ ପ୍ରଶ୍ନ ଉଠା ଯାଇନପାରେ ବୋଲି ଅଧିକାରୀଙ୍କ ଦୃଢ଼ୋକ୍ତି, ଦେଶର ନ୍ୟାୟିକ ବିଭାଗକୁ ଉପେକ୍ଷା କରୁନାହିଁ କି? ସେପଟେ ଗଣମାଧ୍ୟମରେ ପ୍ରକାଶିତ ତଥ୍ୟ ଆଧାରରେ ମୃତ ଛାତ୍ରୀ ମାନଙ୍କ ପାରିବାର ପକ୍ଷରୁ ଲିଖିତ ଭାବେ ପୋଲିସ୍ ପ୍ରଶାସନଙ୍କ ନିକଟରେ ଦିଆଯାଇଥିବା ଅଭିଯୋଗରେ, ସେମାନଙ୍କ ଝିଅ ମାନେ ଆତ୍ମହତ୍ୟା କରିଛନ୍ତି ବୋଲି ଉଲ୍ଲେଖ କରିବା ନିମନ୍ତେ ବାଧ୍ୟ କରାଯିବା ପ୍ରସଙ୍ଗ କେତେ ଦୂର ସତ୍ୟ ଏବଂ ଯଦି ସତ୍ୟ ହୋଇଥାଏ ତେବେ ତାହା କେତେ ସମିଚୀନ? ଏହା ଛଡ଼ା ଅନ୍ୟ କିଛି ଗଣମାଧ୍ୟମରେ ପ୍ରକାଶିତ ସମ୍ପର୍କୀୟଙ୍କ ଆରୋପ୍ ମୁତାବକ ଜନୈକା ଛାତ୍ରୀଙ୍କ ହାତ ଗୋଡ଼ ଭାଙ୍ଗିଥିଲା ଏବଂ ମେରୁଦଣ୍ଡରେ ମଧ୍ୟ ଆଘାତ ହୋଇଥିଲା । ଏସବୁ ସତ୍ତ୍ୱେ ମଧ୍ଯ ପୋଲିସ୍ ଅଧିକାରୀ କିପରି ସ୍ପଷ୍ଟ ଅଛନ୍ତି ଯେ ଏହା ଏକ ଆତ୍ମହତ୍ୟା ଜନିତ ମୃତ୍ୟୁ? ନା କାହା ଚାପ ବା ପ୍ରଭାବରେ ତଦନ୍ତକାରୀ ଅଧିକାରୀ ମାନେ ଉକ୍ତ କ୍ଷତ ଏବଂ ଆଘାତ ଗୁଡ଼ିକ ପ୍ରତି ଆଖିବୁଜି ଦେଇଛନ୍ତି ତାହା ସମୟ କହିବ । ଘଟଣାକୁ ନେଇ ସାରା ଜିଲ୍ଲାରେ ଅସନ୍ତୋଷର ବାତାବରଣ ବଳବତ୍ତର ରହିଥିବା ବେଳେ ବିଳମ୍ବରେ ସାମ୍ନାକୁ ଆସିଥିବା ଶବ ବ୍ୟବଚ୍ଛେଦ ରିପୋର୍ଟ ସାରା ସରକାରୀକଳ ସମ୍ମୁଖରେ ପ୍ରଶ୍ନର ପ୍ରାଚୀର ଠିଆ କରିଛି । ଆଶଙ୍କା ଓ ଆତଙ୍କରେ କେବଳ କାଲିମେଳା ନୁହଁ ବରଂ ସାରା ଜିଲ୍ଲାର ଅଭିଭାବକ ଏବଂ ବିଦ୍ୟାଳୟ ଛାତ୍ରଛାତ୍ରୀ । ବୁଦ୍ଧିଜୀବୀ ମହଲରେ ପୋଲିସ୍ ଉପରୁ ଭରଷା ତୁଟାଇ ସାରିଲେଣି। କ୍ରାଇମ୍ ବ୍ରାଞ୍ଚ ଭଳି ନିରପେକ୍ଷ ତଦନ୍ତକାରୀ ସଂସ୍ଥା ଅବା ସରକାରଙ୍କ ପକ୍ଷରୁ ନ୍ୟାୟିକ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଗଲେ ଘଟଣାର ସତ୍ୟାସତ୍ୟ ପଦାକୁ ଆସିବ ବୋଲି ଜିଲ୍ଲାବାସୀ ଆଶା ପ୍ରକଟ କରିଛନ୍ତି । ତେବେ ବ୍ୟବସ୍ଥାର ବ୍ରାହ୍ମଣ୍ୟବାଦୀ ତଥା ମନୁବାଦୀ ଚିତ୍ର ଯେତେମାତ୍ରାରେ ସ୍ପଷ୍ଟ ହୋଇ ହୋଇ ଯାଉଛି ସମୟକ୍ରମେ ଆଦିବାସୀ ଦଳିତ ମାନଙ୍କ ଉପରେ ଦମନର ସ୍ଵରୂପ ସେତେ ମାତ୍ରାରେ ତୀବ୍ରତର ହେବାରେ ଲାଗିଛି । ଏହି ଘଟଣାକ୍ରମ ଯଦି ଅବ୍ୟାହତ ରହେ ତେବେ ଆଦିବାସୀ ଦଳିତ ସମୁଦାୟ, ସ୍ଵାଧୀନଭାବେ ବଞ୍ଚିବା ମଧ୍ୟ ସ୍ଵପ୍ନ ପାଲଟି ଯାଇପାରେ । ଆଦିବାସୀ ବହୁଳ ଅଞ୍ଚଳରେ ଗୋଟିଏ ପାଖରେ ଡ୍ରପ ଆଉଟ ସଂଖ୍ୟା ଅଧିକ ଭାବେ ପରିଲକ୍ଷିତ ହେଉଥିବା ସ୍ଥଳେ, ଏଇ ଏଇ ଶିକ୍ଷା ଜଗତରେ ପ୍ରଥମ କରି ପାଦ ଥାପୁଥିବା ପ୍ରଥମ ପିଢୀ କେବଳ ନିଜ କଅଁଳ ଜୀବନ ଗୁଡିକ ହରାଇ ବସିବେ ତାହା ନୁହେଁ ବରଂ ଶିକ୍ଷା ଜଗତରୁ ନିଜକୁ ଫେରାଇ ନେବେ ଏବଂ ଦୂରେଇ ଯିବାର ଯଥେଷ୍ଟ ସମ୍ଭାବନା ସାମ୍ନାକୁ ଆସୁଛି । ଏଭଳି ଦାରୁଣ ମୃତ୍ୟୁ ଏବଂ ଆଗାମୀ ସମୟର ସମ୍ଭାବ୍ୟ ଦୁର୍ଘଟଣା ଗୁଡ଼ିକୁ ଏଡାଇବା ପାଇଁ ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ତାହା ଦେଖିବାକୁ ବାକି ରହିଲା ।

nis-ad
Leave A Reply

Your email address will not be published.