ଆଗାମୀ ୮ ବର୍ଷ ପର୍ଯ୍ୟନ୍ତ ଭାରତର ଆଧିପତ୍ୟ ରହିବ: କୋହଲି

add-all

ନୂଆଦିଲ୍ଲୀ: ବିଶ୍ବ କ୍ରିକେଟ୍‌ରେ ଆଗାମୀ ୮ ବର୍ଷ ପର୍ଯ୍ୟନ୍ତ ଭାରତୀୟ କ୍ରିକେଟ ଦଳ ଆଧିପତ୍ୟ ଜାହିର କରିବ ବୋଲି ଆଶାବ୍ୟକ୍ତ କରିଛନ୍ତି ବରିଷ୍ଠ ବ୍ୟାଟସମ୍ୟାନ ବିରାଟ କୋହଲି। ଦୁବାଇରେ ନ୍ୟୁଜିଲାଣ୍ଡକୁ ଫାଇନାଲରେ ହରାଇ ଚମ୍ପିଆନ୍‌ସ ଟ୍ରଫି ଜିତିଥିଲା ଭାରତ। ଭାରତୀୟ ଦଳର ଭବିଷ୍ୟତ ସମ୍ପର୍କରେ ସାମ୍ବାଦିକଙ୍କ ସହ ଆଲୋଚନା କାଳରେ କୋହଲି କହିଥିଲେ ଦଳରେ ବହୁତ ଯୁବ ଓ ଦକ୍ଷ ଖେଳାଳି ଅଛନ୍ତି। ତେଣୁ ଆଗାମୀ ୮ ବର୍ଷ ପର୍ଯ୍ୟନ୍ତ ବିଶ୍ବକପ୍‌ରେ ଭାରତୀୟ ଦଳର ଆଧିପତ୍ୟ ରହିବ।

ଭାରତୀୟ ଦଳରେ ଥିବା ବରିଷ୍ଠ ଖେଳାଳିମାନେ ଆଉ କିଛିବର୍ଷ ପରେ ଅବସର ନେବେ। ତେବେ ଶୁବମନ ଗିଲ୍‌, ଶ୍ରେୟସ ଆୟାର, କେଏଲ୍‌ ରାହୁଲ, ହାର୍ଦିକ ପାଣ୍ଡ୍ୟାଙ୍କ ପରି ଖେଳାଳି ଭବିଷ୍ୟତରେ ଦଳକୁ ଅଧିକରୁ ଅଧିକ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ବିଜୟୀ କରାଇ ପାରବେ ବୋଲି କୋହଲି କହିଥିଲେ। ଭାରତୀୟ ଦଳ ଅଷ୍ଟ୍ରେଲିଆରେ ଟେଷ୍ଟ ଶୃଙ୍ଖଳା ହାରିଥିଲା। ଏହାକୁ ନେଇ ଭାରତୀୟ ପ୍ରଶଂସକ ଦୁଃଖିତ ଥିଲେ। ତେବେ ଦଳ ଚମ୍ପିଆନ୍‌ସ ଟ୍ରଫି ଜିତି ସେମାନଙ୍କ ଦୁଃଖକୁ କିଛିଟା ଲାଘବ କରିପାରିଛି ବୋଲି କୋହଲି ଦର୍ଶାଇଥିଲେ। ଭାରତୀୟ ଦଳ ଚମ୍ପିଆନ୍‌ସ ଟ୍ରଫି ଜିତିବା ସମ୍ପର୍କରେ କୋହଲି କହିଥିଲେ ଦଳରେ ଥିବା ସମସ୍ତ ଖେଳାଳି ଚମ୍ପିଆନ୍‌ସ ଟ୍ରଫି ଜିତିବାକୁ ଚାହୁଁଥିଲେ। ଚାପ ମଧ୍ୟରେ ଭଲ ପ୍ରଦର୍ଶନ କରି ଦଳ ଟ୍ରଫି ଜିତିଛି। ଚମ୍ପିଆନ୍‌ସ ଟ୍ରଫିରେ ଦଳରେ ଥିବା ପ୍ରତ୍ୟେକ ଖେଳାଳି ଭଲ ପ୍ରଦର୍ଶନ କରିଛନ୍ତି। ଏହାକୁ ଦଳଗତ ବିଜୟ ବୋଲି କୁହାଯାଇ ପାରିବ। ନ୍ୟୁଜିଲାଣ୍ଡ ଦଳକୁ ପ୍ରଶଂସା କରି କୋହଲି କହିଥିଲେ ଏହି ଦଳ ଫାଇନାଲରେ ବେଶ୍‌ ଲଢ଼ୁଆ ପ୍ରଦର୍ଶନ କରିଥିଲା। ନ୍ୟୁଜିଲାଣ୍ଡ ଦଳ ସର୍ବଦା ରଣନୀତି ପ୍ରସ୍ତୁତ କରି ପଡ଼ିଆକୁ ଓହ୍ଲାଇ ଥାଏ। ଏହି ଦଳରେ ଅନେକ ଦକ୍ଷ ଖେଳାଳି ଅଛନ୍ତି ଏବଂ ସେମାନଙ୍କର ନିଜ ଉପରେ ବିଶ୍ବାସ ରହିଛି। ନ୍ୟୁଜିଲାଣ୍ଡକୁ ବିଶ୍ବର ସବୁଠାରୁ ଭଲ ଫିଲଡିଂ ଦଳ ବୋଲି କୁହାଯାଇ ପାରିବ। ନ୍ୟୁଜିଲାଣ୍ଡ ଦଳର ବରିଷ୍ଠ ଖେଳାଳି କେନ୍‌ ୱିଲିୟମସନଙ୍କ ସହ ତାଙ୍କର ଦୀର୍ଘବର୍ଷ ଧରି ବନ୍ଧୁତା ରହିଥିବା କୋହଲି ସ୍ପଷ୍ଟ କରି ଦେଇଥିଲେ।

ad-week
Leave A Reply

Your email address will not be published.