ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ : ଶୂନ୍ୟ କଟନି ଛଟନି ଉପରେ ମନ୍ତ୍ରୀଙ୍କ ଗୁରୁତ୍ଵାରୋପ

add-all

ମାଲକାନଗିରି : ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଦିନିକିଆ ମାଲକାନଗିରି ଗସ୍ତରେ ଆସି ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ବୈଠକ କରିଛନ୍ତି। ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ସମସ୍ତଙ୍କୁ ସ୍ୱାଗତ କରିବା ସହ ଖାଦ୍ୟ ଯୋଗାଣ, କୃଷି, ଉଦ୍ୟାନ କୃଷି, ସମବାୟ ସମିତି ଓ ମାପ ଓଜନ ବିଭାଗକୁ ସେମାନଙ୍କର କାର୍ଯ୍ୟ ବିଷୟରେ ମନ୍ତ୍ରୀଙ୍କୁ ଅବଗତ କରାଇବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି ଯେ ଜିଲ୍ଲାରେ ଧାନ କ୍ରୟ ଭଲ ଭାବରେ ହୋଇଛି। ଶୂନ୍ୟ କଟନି ଛଟନି ଉପରେ ଧ୍ୟାନ ଦେବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। କମ୍ ମୂଲ୍ୟରେ ଧାନ କ୍ରୟ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅନୁରୂପ ଭାବେ ଦୁର୍ନୀତି ଗ୍ରସ୍ତ ଅଧିକାରୀଙ୍କ ବିରୁଦ୍ଧରେ ମଧ୍ଯ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଛନ୍ତି। କୃଷକଙ୍କ ସହାୟତା ରାଶି ଯେପରି ଠିକ୍ ଭାବରେ ଚାଷୀଙ୍କ ନିକଟରେ ପହଞ୍ଚିବ ସେଥି ପ୍ରତି ଧ୍ୟାନ ଦେବାକୁ କୁହାଯାଇଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଚଳିତ ବର୍ଷ ରାସନ୍ କାର୍ଡ ନିମନ୍ତେ ୬ ଲକ୍ଷ ୮୦ ହଜାର ହିତାଧିକାରୀ ଦରଖାସ୍ତ ଆବେଦନ କରିଛନ୍ତି ।

ବ୍ଲକୱାରୀ ସର୍ଭେ କରି ଯୋଗ୍ୟ ହିତାଧିକାରୀଙ୍କୁ ରାସନ୍ କାର୍ଡ ବଣ୍ଟନ ପାଇଁ କୁହାଯାଇଛି। ସୂଚନା ଦିଆଯାଇଛି ଯେ ଆସନ୍ତା ଏପ୍ରିଲ ୧୪ ରେ ରାଜ୍ୟ ସ୍ତରୀୟ ରାସନ୍ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଆୟୋଜନ ହେବ । ଏଥି ନିମନ୍ତେ ଇ କେୱାଇସି ପ୍ରକ୍ରିୟାକୁ ତ୍ଵରାନିତ କରିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଅନ୍ତ୍ୟୋଦୋୟ କାର୍ଡ ସର୍ଭେରେ ଯାହାର ଭଲ ସ୍ଥିତି ଆସି ଯାଇଛି, ସେମାନଙ୍କର କାର୍ଡ ପ୍ରତ୍ୟାହାର କରି ନେବାକୁ ମଧ୍ଯ କୁହାଯାଇଛି। ଯାହା ଫଳରେ ନୂଆ ତଥା ଗରିବ ହିତାଧିକାରୀ ଏଥିରୁ ଲାଭାନ୍ଵିତ ହୋଇପାରିବେ ବୋଲି ମନ୍ତ୍ରୀ କହିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନିମନ୍ତେ ମଧ୍ୟ ଠିକ୍ ଭାବରେ ସର୍ଭେ କରିବା ପାଇଁ କୁହାଯାଇଛି। ଶେଷ ଧାନ କିଣା ଋତୁରେ କାହା ବ୍ୟାଙ୍କ୍ ଏକାଉଣ୍ଟ କୁ ଟଙ୍କା ପ୍ରାପ୍ତ ହୋଇଛି ତାହା ସୁନିଶ୍ଚିତ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ମାପ ଓ ଓଜନ ବିଭାଗକୁ ମଧ୍ଯ ନିୟମିତ ବ୍ୟବଧାନରେ ବୃହତ୍ ବ୍ୟବସାୟ ପ୍ରତିଷ୍ଠାନ ଯେପରିକି ସୁନା ଦୋକାନ, ପେଟ୍ରୋଲ ପମ୍ପ ଇତ୍ୟାଦି ଅଚାନକ ଗସ୍ତ କରି ମାନ ଓ ଗୁଣବତ୍ତା ତଦାରଖ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କୁହାଯାଇଛି। ଏହି ଅବସରରେ ମାଲକାନଗିରି ବିଧାୟକ ନରସିଂହ ମାଡ଼କାମୀ ଉପସ୍ଥିତ ରହି ଚାଷୀଙ୍କ ସୁବିଧା ଓ ଉନ୍ନତି ନିମନ୍ତେ ସମସ୍ତ ବ୍ୟବସ୍ଥା ସୁନିଶ୍ଚିତ କରିବା ପାଇଁ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ନରେଶ ଚନ୍ଦ୍ର ଶବର, ଉପ ଜିଲ୍ଲାପାଳ ଦୁର୍ଯ୍ୟଧନ ଭୋଇଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାନ ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

ad-week
Leave A Reply

Your email address will not be published.