ଚିକିଟୀ : ଏହି ବ୍ଲକ ବିଦ୍ୟାଳୟ ଗୁଡିକରେ ଆସନ୍ତା ଏପ୍ରିଲ ପ୍ରଥମ ଦିନରୁ ଶିକ୍ଷାବର୍ଷ ୨୦୨୫-୨୬ ରେ ନୂତନ ଜାତୀୟ ଶିକ୍ଷା ନୀତି ପ୍ରତ୍ୟେକ ବିଦ୍ୟାଳୟରେ ପ୍ରଚଳିତ ହେବାକୁ ଯାଉଅଛି। ଚଳିତ ଶିକ୍ଷାବର୍ଷରେ ଛଅବର୍ଷରେ ପାଦ ଥାପିଥିବା ଶିଶୁମାନେ ପ୍ରଥମ ଶ୍ରେଣୀରେ ନାମ ଲେଖାଉଥିବା ବେଳେ ଶିଶୁବାଟିକା ଶ୍ରେଣୀ ପ୍ରଥମକରି ଆରମ୍ଭ ହେବାକୁ ଯାଉଛି। ଏହି ପ୍ରରିପେକ୍ଷିରେ ଚିକିଟୀ ବ୍ଲକ ଅନ୍ତର୍ଗତ ଡାଳପଲଙ୍କ ପ୍ରାଥମିକ ବିଦ୍ୟାଳୟ ରେ ନିଆରା ଢଙ୍ଗରେ ଶିଶୁବାଟିକା ଏବଂ ପ୍ରଥମ ଶ୍ରେଣୀରେ ନାମ ଲେଖାଇବାପାଇଁ ଶିଶୁଙ୍କୁ ନିମନ୍ତ୍ରଣ କରିଥିବା ଦେଖିବାକୁ ମିଳିଛି । ଥାଳିରେ ଫୁଲ, ଚନ୍ଦନ, ନିମନ୍ତ୍ରଣପତ୍ର ସହିତ ଶଙ୍ଖୁଆ ଧରି ଗୋଷ୍ଠୀରେ ବୁଲି ବୁଲି ସମ୍ଭାବ୍ୟ ଶିଶୁଙ୍କୁ ଆସନ୍ତା ଏପ୍ରିଲମାସର ପ୍ରଥମ ଦିନରୁ ନାମ ଲେଖାଇବାପାଇଁ ନିମନ୍ତ୍ରଣ କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ବେହେରା, ଆଦର୍ଶ ଶିକ୍ଷକ ରଞ୍ଜନ କୁମାର ବ୍ରହ୍ମା, ଅରୁଣ କୁମାର ଜାନୀ, ସ୍ଥାନୀୟ ଅଙ୍ଗନବାଡ଼ି କର୍ମୀ ଏମ୍ ଅନିତା ଏକତ୍ରିତ ହୋଇଥିବା ଦେଖିବାକୁ ମିଳିଥିଲା। ବିଦ୍ୟାଳୟର ଏହି ଅଭିନବ ପ୍ରୟାସ ସହିତ ସରକାରଙ୍କ ଉତ୍ସବମୁଖରିତ ନାମଲେଖା ନିମନ୍ତ୍ରଣ ପତ୍ର ବଣ୍ଟନ ପର୍ବକୁ ଗୋଷ୍ଠୀ ଖୁବ୍ ପସନ୍ଦ କରିଛନ୍ତି ।
