ସ୍ୱର୍ଗତ କବି ବଳରାମ ପୂଜାରୀଙ୍କ ୫୧ତମ ଜନ୍ମ ଜୟନ୍ତୀ ପାଳିତ

add-all

ମାଲକାନଗିରି : ଓଡିଆ ଭାଷା ସାହିତ୍ୟର ଜଣେ ମାଟିମଗ୍ନା କବି ଭାବରେ ସ୍ବର୍ଗତ ବଳରାମ ପୂଜାରୀ ସୁପରିଚିତ। ତାଙ୍କ ରଚନାରେ ମାଲ୍ଯବନ୍ତର ଭାବ ଝଲସି ଉଠେ। ସେ ଆଜି ଆମ ଗହଣରେ ଶବ୍ଦ ରୂପରେ ଅମର ହୋଇଗଲେ। ସୌଭାଗ୍ୟ ବସତ ସେ ବିଶ୍ବ କବିତା ଦିବସ ଦିନ ଜନ୍ମ ଗ୍ରହଣ କରି ମାଲକାନଗିରି ଜିଲ୍ଲା ତଥା ଓଡିଶା ରାଜ୍ୟକୁ କାବ୍ୟମୟ କରି ପାରିଛନ୍ତି। ଆଜି ତାଙ୍କର ଅବର୍ତ୍ତମାନ ଆମ ସମସ୍ତଙ୍କୁ ଦୁଃଖ ଦେଉଛି ସତ କିନ୍ତୁ ସେ ଦେଇ ଯାଇଥିବା ପୁସ୍ତକ ସବୁ ଉତ୍ତର ପିଢ଼ିଙ୍କୁ ସୃଷ୍ଟି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ। ତାଙ୍କ ଲେଖାର ସଂରକ୍ଷଣ ତଥା କବିଙ୍କ ସ୍ମୃତି ରକ୍ଷା କରି ପ୍ରତିମୂର୍ତ୍ତି ସ୍ଥାପନ, ବିଭିନ୍ନ ସଡକ ତାଙ୍କ ନାମରେ ନାମିତ କରିବା, କବିଙ୍କ ନାମରେ ପାଠାଗାର ପ୍ରତିଷ୍ଠା ଆଦି କରି ପାରିଲେ କବିଙ୍କ ପ୍ରତି ଉଚିତ୍ ସମ୍ମାନ ହେବ ବୋଲି ‘କବି ବଳରାମ ପୂଜାରୀଙ୍କ ୫୧ ତମ ଜୟନ୍ତୀ’ ପାଳନ ଅବସରରେ ଅତିଥିମାନେ ମତବ୍ଯକ୍ତ କରିଛନ୍ତି। ଆଜି ମାଲକାନଗିରି ଜିଲ୍ଲା କୁଡୁମୁଲୁଗୁମ୍ମା ସ୍ଥିତ ଡାରୱିନ୍ ସ୍ନାତକ ମହାବିଦ୍ୟାଳୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଓଡିଶାର ବିଭିନ୍ନ ଅଞ୍ଚଳରୁ ଅନେକ ସାରସ୍ବତ ସାଧକ ଯୋଗଦେଇଥିଲେ। କବି ବଳରାମ ପୂଜାରୀଙ୍କ କିଛି ବର୍ଷର ସାଧନାକାଳ ଭିତରେ ଶବ୍ଦବ୍ରହ୍ମ, ମେଘମଗ୍ନା, ମାଟିମଗ୍ନା, ଈଶ୍ବରଙ୍କ ଭାଡି, ଶ୍ବେତପତ୍ର, କୋଣ୍ଡାକାମ୍ବେରୁ ଖୁଆଡ଼ କବିତା ପୁସ୍ତକ ପ୍ରକାଶିତ ହେବା ସହିତ ଓଡିଶାର ଅନେକ ସମ୍ବାଦପତ୍ର ଓ ପତ୍ରିକାରେ ତାଙ୍କ ଲେଖା ପ୍ରକାଶ ପାଇ ପାଠୋକୀୟ ଆଦୃତି ଲାଭ କରିଛି। ମାଲକାନଗିରି ମାଟିର ସାହିତ୍ୟକୁ ବିଶ୍ବମୁଖୀ କରିବା ଥିଲା ତାଙ୍କର ଲକ୍ଷ୍ୟ। ତାଙ୍କ କାବ୍ୟିକ ଚେତନା ତାଙ୍କୁ ଦେଇଥିଲା ଭିନ୍ନ ପରିଚୟ।
ମୁକେଶ କବାସିଙ୍କ ଦ୍ବାର ପ୍ରସ୍ତୁତ କବିଙ୍କୁ ସମର୍ପିତ ବାଲୁକା କଳାକୁ ଅତିଥିମାନେ ଉଦଘାଟନ କଲା ପରେ ସଭାଗୃହ ଅନୁଷ୍ଠିତ ହୋଇଥିଲା ଆନୁଷ୍ଠାନିକ କାର୍ଯ୍ୟକ୍ରମ। ଆକାଶବାଣୀ ଜୟପୁରର ଉଦଘୋଷକ ଶ୍ରୀଯୁକ୍ତ ରଘୁନାଥ ବିଶ୍ୱାଳ ମଞ୍ଚ ସଞ୍ଚାଳନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମାଲକାନଗିରି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁଶ୍ରୀ ପ୍ରମିଳା ଲକ୍ଷ୍ମୀ ମାଝୀ, ଦେଶିଆ କୁଟୁମ୍ବର ସଭାପତି ଶ୍ରୀଯୁକ୍ତ ସାଇମନ ବିଡିକା, ଦକ୍ଷିଣ ଓଡିଶା ସାହିତ୍ୟ ସମ୍ମିଳନୀର ମହାସଚିବ ଶ୍ରୀଯୁକ୍ତ ଦଣ୍ଡପାଣି ମହାପାତ୍ର, ବ୍ଲକ୍ ଶିକ୍ଷାଧିକାରୀ ସୁଶ୍ରୀ ଗାୟତ୍ରୀ ଦେବୀ, ନିର୍ବାଣ ସାହିତ୍ୟ ସଂସଦର ସଂପାଦକ ଶ୍ରୀଯୁକ୍ତ ଚନ୍ଦ୍ରକାନ୍ତ ବିଶ୍ୱାଳ , ବରିଷ୍ଠ ବୁଦ୍ଧିଜୀବି ଚକ୍ରପାଣି ପରିଚ୍ଛା, ବୈଶାଖୀ ପରିବାରର ସଂପାଦକ ଶ୍ରୀଯୁକ୍ତ ବିଚିତ୍ରାନନ୍ଦ ପଣ୍ଡା ଅତିଥି ଭାବରେ ଥିବାବେଳେ ଉପସ୍ଥିତ କବିମାନେ ବଳରାମ ପୂଜାରୀଙ୍କ ଲିଖିତ କବିତାପାଠ କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ କବି ବଳରାମ ପୂଜାରୀଙ୍କ ପୁତ୍ର ରୁଦ୍ରାଭିଷେକ ପୂଜାରୀ ସ୍ବାଗତ ଭାଷଣ ଦେଇଥିଲେ । କବିଙ୍କ ସ୍ମୃତିରେ ଏକ ସ୍ମରଣିକା “ମାଲ୍ୟବନ୍ତର ମହାନାୟକ” ଉନ୍ମୋଚନ ହୋଇଥିଲା । କୁଡ଼ୁମୁଲୁଗୁମ୍ମା ସାମ୍ବାଦିକ ସ°ଘ ତରଫରୁ କବି ପୂଜାରୀଙ୍କ ଧର୍ମପତ୍ନୀ ଶ୍ରୀମତୀ ପୁଷ୍ପାଞ୍ଜଳୀ ରଣାଙ୍କୁ ସମ୍ମାନିତ କରାଯାଇଥିଲା । ପରିଶେଷରେ ଡାରୱିନ୍ ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅଶୋକ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

ad-week
Leave A Reply

Your email address will not be published.