ନାଟକରେ ଅଶ୍ଳୀଳ ନୃତ୍ୟ ଓ ପଶୁପକ୍ଷୀ ଭକ୍ଷଣ ଦୃଶ୍ୟ ପରିବେଷଣ କଲେ ଆଇନଗତ କାର୍ଯ୍ୟାନୁଷ୍ଠାନ

ହିଞ୍ଜିଳିକାଟୁ : ମଙ୍ଗଳବାର ଠାରୁ ଆରମ୍ଭ ହେବ ଗଞ୍ଜାମ ପ୍ରସିଦ୍ଧ ଦଣ୍ଡନାଚ। ଏଥି ସକାଶେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଗ୍ରାମରେ ଥିବା ଦଣ୍ଡଦଳ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଦଣ୍ଡନାଚ ପରିବେଷଣ ସମୟରେ ବହୁ ଦଳ ପକ୍ଷରୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ ସମୟରେ ଅଶ୍ଳୀଳ ନୃତ୍ୟ ପରିବେଷଣ କରାଯାଉଥିବା ନଜିର ରହିଛି। ଏପରିକି ନାକଟ ପରିବେଷଣ ସମୟରେ ନାଟକକୁ ଅଧିକ ରୋମାଞ୍ଚକର କରିବା ପାଇଁ କିଛି ନାଟ୍ୟ ଅଭିନେତା ନାଚ ମଣ୍ଡପ ଉପରେ ଜୀଅନ୍ତା ଘୁଷୁରୀ, କୁକୁଡାକୁ ଅତ୍ୟନ୍ତ ନୃଶଂସ ଭାବେ ଭକ୍ଷଣ କରିବା ସହ ନାଚ ମଣ୍ଡପରେ ବନ୍ୟଜନ୍ତୁ ଖେଳ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳୁଛି। ଚଳିତ ବର୍ଷ ହିଞ୍ଜିଳି ଥାନା ରାଳବ କାଞ୍ଜିଅଁଳା ଯାତ୍ରାରେ ନାଚ ମଣ୍ଡପରେ ରାକ୍ଷାଷ ଭୂମିକାରେ ଅଭିନୟ କରୁଥିବା ଜୈନିକ ଅଭିନେତା ନାଚ ମଣ୍ଡପରେ ଜୀଅନ୍ତା ଘୁଷୁରୀକୁ ଅମାନୁଷିକ ଭାବେ ଭକ୍ଷଣ କରୁଥିବା ଓ ବାଳି ସୁଗ୍ରୀବ ଭୂମିକାରେ ଅଭିନୟ କରୁଥିବା ଅଭିନେତା ମାନେ ବିଷଧର ନାଗସାପ ଖେଳାଉଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା। ଏଭଳି ଘଟଣା ପ୍ରଚାରିତ ହେବା ପରେ ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଥିଲା। ଏଭଳି ଘଟଣାର ପୁନରାବୃତ୍ତି ନହେବା ପାଇଁ ହିଞ୍ଜିଳି ପୁଲିସ ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି। ଶନିବାର ହିଞ୍ଜିଳି ଥାନା ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଥାନା ଆଇଆଇସି ଶ୍ରୀନିବାସ ସେଠିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ହିଞ୍ଜିଳି ଥାନା ପରିସରଭୁକ୍ତ ବିଭିନ୍ନ ଅଞ୍ଚଳର ଦଣ୍ଡନାଚ ପରିଚାଳନା କମିଟି ବୃନ୍ଦ ଉପସ୍ଥିତ ଥିଲେ। ମଧ୍ୟାହ୍ନ ସମୟରେ ଦଣ୍ଡଦଳ ପକ୍ଷରୁ ଧୂଳିଦଣ୍ଡ ପରିବେଷଣ ସମୟରେ ପ୍ରଚଣ୍ଡ ରୌଦ୍ରତାପକୁ ଆଖି ଆଗରେ ରଖି ଆବଶ୍ୟକ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଥିଲା। ଏଥିସହ ରାତ୍ର ସମୟରେ ନାଟକ ପରିବେଷଣ ସମୟରେ ଅଶ୍ଳୀଳ ନୃତ୍ୟ ପରିବେଷଣ ସହ ବନ୍ୟଜନ୍ତୁ ଖେଳ ପ୍ରଦର୍ଶନ ଓ ପଶୁପକ୍ଷୀ ଭକ୍ଷଣ ଭଳି ନାଟକ ପରିବେଷଣ ନକରିବା ପାଇଁ ଅନୁରୋଧ କରାଯାଇଥିଲା। କୈାଣସି ଦଣ୍ଡଦଳ ପକ୍ଷରୁ ଏଭଳି ନାଚ ପରିବେଷଣ କରାଗଲେ ସଂପୃକ୍ତ ନାଚ ଦଳ କମିଟି ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲିି ଆଇଆଇସି ଶ୍ରୀନିବାସ ସେଠି କହିଥିଲେ। ଉକ୍ତ ବୈଠକର ହିଞ୍ଜିଳି ସମେତ ବୁରୁପୋଡା, ରାଳବ, ଆଲପୁର, ସମରଝୋଳ, ପଥରପୁଞ୍ଜି, କୋଳିଦାଶପୁର ସମେତ ହିଞ୍ଜିଳି ଥାନା ପରିସରଭୁକ୍ତ ବିଭିନ୍ନ ଅଞ୍ଚଳର ଦଣ୍ଡନାଚ ପରିଚାଳନା କମିଟି ବୃନ୍ଦ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ଥାନା ଏସଆଇ ସିଦ୍ଧାର୍ଥ ଶଙ୍କର ଜେନା, ସୁରେଶ କୁମାର ସାହୁ ପରିଚାଳନା କରିଥିଲେ।
