ହିଞ୍ଜିଳିକାଟୁ : ଫଟାଫଟ କ୍ରିକେଟର ଭାରତୀୟ ସଂସ୍କରଣ ଆପିଏଲ କ୍ରିକେଟ ମ୍ୟାଚ ଚଳିତ ମାସ ୨୨ ତାରିଖ ଠାରୁ ଆରମ୍ଭ ହୋଇଛି । କ୍ରିକେଟର ଏହି ରୋମାଞ୍ଚଭରା କ୍ରିକେଟ ପ୍ରତ୍ୟେକ ବର୍ଗଙ୍କୁ ବେଶ ଆକର୍ଶିତ କରିଛି । ସନ୍ଧ୍ୟା ହୋଇଗଲେ ଟିଭି ସମ୍ମୁଖରେ ୩ ଘଣ୍ଟା ବିତାଉଛନ୍ତି ଯୁବପିଢି । ଏହି ଖେଳକୁ ନେଇ ପ୍ରତିଦିନ ଲକ୍ଷ ଲକ୍ଷ ଟଙ୍କା ବାଜିରେ ଲାଗୁଥିବା ସହରରେ ଆଲୋଚନାର କେନ୍ଦ୍ରବିନ୍ଦୁ ସାଜିଛି । ପ୍ରଥମ ଓଭରର ପ୍ରଥମ ବଲ୍ ଠାରୁ ଆରମ୍ଭ କରି ଶେଷ ଓଭରର ଶେଷ ବଲ୍ ପର୍ଯ୍ୟନ୍ତ ପ୍ରତି ରନ୍ ପିଛା ବାଜି ଲାଗୁଥିବାର ଶୁଣିବାକୁ ମିଳୁଛି । ଆଉ ଏହାର କେନ୍ଦ୍ରସ୍ଥଳି ପାଲଟିଛି ହିଞ୍ଜିଳିକାଟୁ ସହର । ହିଞ୍ଜିଳିକାଟୁ ପୌରାଞ୍ଚଳ ସମେତ ନିକଟବର୍ତ୍ତୀ ଗ୍ରାମାଞ୍ଚଳ ଗୁଡିକରେ ଅବାଳ ବୃଦ୍ଧ ବନିତା ଆଇପିଏଲ ମାନିଆ ହୋଇପଡିଥିବା ବେଳେ ଖେଳକୁ ନେଇ ସଟ୍ଟାବାଜି ଜୋର ସୋରରେ ଚାଲିଛି । ଏଥିପାଇଁ କିଛି ନିର୍ଦ୍ଧିଷ୍ଟ ଯୁବକ ବୁକି ସାଜିଥାନ୍ତି । ସେଥି ପାଇଁ ମୁଖ୍ୟ ବୁକିକୁ କିଛି ନିର୍ଦ୍ଧିଷ୍ଟ ଆକାରରେ ଅର୍ଥ ଦେବାକୁ ପଡୁଛି । ନଚେତ ଅନ୍ଲାଇନ୍ ଆପ୍ ମାଧ୍ୟମରେ ଟଙ୍କା ଟ୍ରାନସଫର କରିଥାନ୍ତି । ଉକ୍ତ ଆପ୍ ମାଧ୍ୟମରେ କେଉଁ ମ୍ୟାଚ୍ରେ କେଉଁ ଦଳ ବିଜୟୀ ହେବ, କେଉଁ ଓଭରରେ କେତେ ରନ ହେବ ଏବଂ ୱିକେଟ ଯିବ କି ନାହିଁ ସେଥିରେ ବାଜି ଲାଗିଥାଏ । ସେହିଭଳି ପ୍ରତି ଓଭରରେ ଚୌକା ଓ ଛକା ପାଇଁ ଡବଲ ବାଜି ଲାଗିଥାଏ । ଦୈନିକ ପ୍ରାୟ ହିଞ୍ଜିଳିକାଟୁ ସହର ସମେତ ନିକଟବର୍ତ୍ତୀ ଗ୍ରାମାଞ୍ଚଳ ଗୁଡିକରେ ଲକ୍ଷାଧିକ ଟଙ୍କାର ସଟ୍ଟା ବାଜି ଚାଲୁଥିବାର ଜଣାପଡ଼ିଛି । ହିଞ୍ଜିଳିକାଟୁ ସହରରେ କିଛି ନିର୍ଦ୍ଧିଷ୍ଟ ବ୍ୟକ୍ତି ନିଜ ସହଯୋଗୀଙ୍କ ଜରିଆରେ ବେଧଡକ ଭାବେ ଆଇପିଏଲ କ୍ରିକେଟ ଜୁଆ ଖେଳ ଚଲାଇଥିବାର ଜଣାପଡ଼ିଛି । କମ୍ ସମୟରେ ଅଧିକ ଟଙ୍କା ରୋଜଗାର ଲୋଭରେ ପଡି ଯୁବପିଢି ସର୍ବସ୍ୱ ହରାଉଛନ୍ତି । କ୍ରିକେଟ ଆଇପିଏଲ ବେଟିଂ ଭଳି ବେଆଇନ କାରବାର ଚାଲିଥିବା ଅଭିଯୋଗ ହୋଇଛି । ଏ ଦିଗରେ ପୁଲିସ ପ୍ରଶାସନ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।
