ବ୍ରହ୍ମପୁର : ଆଜିଠାରୁ ଆରମ୍ଭ ହେଲା ଗଞ୍ଜାମଜିଲ୍ଲାର ପାରମ୍ପରିକ ଲୋକନୃତ୍ୟ ଦଣ୍ଡନାଚ । ଚୈତ୍ରପୂର୍ଣ୍ଣିମା ଠାରୁ ବିଷୁବ ସଂକ୍ରାନ୍ତି ପର୍ଯ୍ୟନ୍ତ ଏହି ପର୍ବ ପାଳନ ହୁଏ । ସାଧାରଣତଃ ଏହା ଏକୋଇଶି ଦିନ ବ୍ୟାପୀ ହୋଇଥାଏ କିନ୍ତୁ ଅନେକ ସ୍ଥାନରେ ଏହା ୧୩, ୧୬ କିମ୍ବା ୧୮ ଦିନ ପାଇଁ ମଧ୍ୟ ହୋଇଥାଏ।ଗଞ୍ଜାମ ଜିଲ୍ଲାର ଏହି ପ୍ରସିଦ୍ଧ ଦଣ୍ଡଯାତ୍ରା ଆଜି ଠାରୁ ୨୧ ଦିନିଆ ଆରମ୍ଭ ହୋଇଯାଇଛି। ବ୍ରହ୍ମପୁର ଆମ୍ବପୁଆ ଦଣ୍ଡଦଳ ଆଜିଠାରୁ ମାଁ ଦଣ୍ଡକାଳୀଙ୍କ ସେବା କରି ଦଣ୍ଡଯାତ୍ରା ଆରମ୍ଭ କରିଛି ଯାତ୍ରା।ଦଣ୍ଡନାଚ ଆରମ୍ଭ ହେବା ପୂର୍ବରାତ୍ରୀରେ ସମସ୍ତ ଦଣ୍ଡୁଆ ବା ଭୋକ୍ତା ଗାଁ ଠାକୁରାଣୀ ମନ୍ଦିର ସନ୍ନିକଟସ୍ଥ କାମନା ଗୃହ ନିକଟରେ ଏକତ୍ରିତହୋଇଥିଲେ।

ସେଠାରୁ ସମସ୍ତଙ୍କୁ ଦଣ୍ଡୁଆ ବୋଲି କୁହାଯାଏ । ସେହି ରାତ୍ରୀରେ ମନ୍ଦିରରେ ହୋମକର୍ମ ଓ ଘୃତଯଜ୍ଞର ଆୟୋଜନ ହୋଇଥିଲା। ଏହାପରେ ଦଣ୍ଡୁଆମାନେ ପାରମ୍ପରିକ ରୀତିରେ ଦଣ୍ଡ ଆଣଥିଲେ। ସମସ୍ତେ ପଇତା ପିନ୍ଧିବା ପରେ ଦୁଇଟି ବାଉଁଶ କାଠିକୁ ଘଷି ଅଗ୍ନିଜାତ କରନ୍ତି, ଏହାକୁ ଶିବାଗ୍ନୀ କୁହାଯଏ।ଏହି ଅଗ୍ନିକୁ ପାଳର ତିଆରି ଚମ୍ପାବରରେ ରୋପଣ କରିଥିଲେ। ଏହା ଦଣ୍ଡନାଚ ସମାପନ ହେବାପର୍ଯ୍ୟନ୍ତ ରଖାଯାଏ । ମା କାଳୀଙ୍କ ଚିତ୍ର, ଶିବଙ୍କ ପ୍ରତୀକ ନାଗମୂର୍ତ୍ତି, ମୟୁରପୁଚ୍ଛ, ପତାକା ଆଦି ପୂଜାପରେ ଦଣ୍ଡନାଚ ଆରମ୍ଭ ହୋଇଥିଲା । ପ୍ରଥମ ଦିନ କାମନା ମନ୍ଦିର ସମ୍ମୁଖରେ ଦଣ୍ଡ କରାଯାଇଥିଲା।ତା’ପରେ ଜଳଦଣ୍ଡ, ଅଗ୍ନିଦଣ୍ଡ ଏବଂ ସଂଧ୍ୟା ଆଳତି ହୋଇଥିଲା । ନିମନ୍ତ୍ରଣ ଅନୁସାରେ ବିଭିନ୍ନ ଗ୍ରାମ ବା ସହରକୁ ଯାଇ ଦଣ୍ଡନାଚ କରାଯିବବୋଲି ପାଟଭୋକ୍ତା ସୂଚନା ଦେଇଛନ୍ତି ।
