ଦୁଇ ନାବାଳିକାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ଘଟଣାରେ ପୀଡିତା ଛାତ୍ରୀଙ୍କ ପରିବାରଙ୍କୁ ନ୍ୟାୟ ଦାବିରେ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ
ମାଲକାନଗିରି ଜିଲ୍ଲା ଏମଭି ୭୨ ଗ୍ରାମର ଦୁଇ ଆଦିବାସୀ ନାବାଳିକା ଛାତ୍ରୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ଘଟଣାକୁ ଇତି ମଧ୍ୟରେ ଦେଢ ମାସ ବିତି ଯାଇଥିବା ବେଳେ ପୀଡିତା ଛାତ୍ରୀଙ୍କ ପରିବାରଙ୍କୁ ନ୍ୟାୟ ଦେବା ପାଇଁ ଜିଲ୍ଲାର ଏକାଧିକ ସଙ୍ଗଠନ ଆନ୍ଦୋଳନକୁ ଓଲ୍ହାଇଛି। ବିଭିନ୍ନ ସଙ୍ଗଠନ ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ପୋଲିସ ଘଟଣାକୁ ଆତ୍ମହତ୍ୟାର ରୂପ ଦେଇ ତଦନ୍ତ ଜାରି ରଖିଥିବା ବେଳେ ଉଭୟ ଛାତ୍ରୀଙ୍କ ମର ଶରୀରର ପଞ୍ଚନାମା ସମୟରେ ଥିବା ସ୍ଥାନୀୟ ବାସିନ୍ଧା ଏହାକୁ ହତ୍ୟା ଓ ଦୁଷ୍କର୍ମ ବୋଲି ଅଭିଯୋଗ ଆଣିଛନ୍ତି। ତେବେ ଏହି ଘଟଣାରେ ନ୍ୟାୟ ପାଇଁ ସ୍ଵର ଉଠାଉଥିବା ଗୋଟିଏ ପରିବାରକୁ ବଙ୍ଗଳାଦେଶରୁ ଫୋନ ମାଧ୍ୟମରେ ଧମକ ଆସୁଥିବା ବେଳେ ପରିବାର ଲୋକେ ଓ ସ୍ଥାନୀୟ ଲୋକେ ଏହାକୁ ଏକ ନିର୍ମମ ହତ୍ୟା ଏବଂ ଦୁଷ୍କର୍ମ ବୋଲି ଅଭିଯୋଗ ଆଣି ଦ୍ଯାନରେ ଲିଖିତ ଅଭିଯୋଗ କରିଥିଲେ। ଜିଲ୍ଲାର ବିଭିନ୍ନ ସଙ୍ଗଠନ ସହ ରାଜ୍ୟ ସ୍ତରୀୟ ସଙ୍ଗଠନର କର୍ମକର୍ତ୍ତା ମାନେ ନ୍ୟାୟ ଦାବିରେ ଆଜି ମାଲକାନଗିରି ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ନ୍ୟାୟ ସତ୍ୟାଗ୍ରହ କରି ଅନଶନରେ ବସି ରହିଛନ୍ତି। ଜିଲ୍ଲା ଓ ରାଜ୍ୟର ଏକାଧିକ ସଂଗଠନର ଶତାଧିକ କର୍ମକର୍ତା ନ୍ୟାୟ ସତ୍ୟାଗ୍ରହରେ ସାମିଲ ଥିବା ବେଳେ ଆଜି ସକାଳେ ସ୍ଥାନୀୟ ବସ ଷ୍ଟାଣ୍ଡ ଠାରୁ ହାତରେ ବିଭିନ୍ନ ସ୍ଲୋଗାନ ଲେଖା ଥିବା ପ୍ଲା କାର୍ଡ ଧରି ମହିଳା ଏବଂ ପୁରୁଷ ମାନେ ବିରାଟ ଶୋଭାଯାତ୍ରାରେ ସହର ପରୀକ୍ରମା କରି ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ବିକ୍ଷୋଭ ଯୋଗୁଁ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖ ଦେଇ ଯାତାୟତ କିଛି ଘଣ୍ଟା ପାଇଁ ବାଧାପ୍ରାପ୍ତ ହୋଇଥିଲା। ତେବେ ଉଭୟ ଛାତ୍ରୀ ଆଦିବାସୀ ଶ୍ରେଣୀର ହୋଇଥିବା ବେଳେ ସେମାନଙ୍କୁ ରାଜ୍ୟ ସରକାର ନ୍ୟାୟ ଦେବାରେ ବିଫଳ ହୋଇଛନ୍ତି। ରାଜ୍ୟର ମୁଖ୍ୟମନ୍ତ୍ରୀ ନିଜେ ଆଦିବାସୀ ସମ୍ପ୍ରଦାୟର ହୋଇଥିବା ବେଳେ କିପରି ଡବଲ ଇଞ୍ଜିନ ସରକାର ଏହି ଦୁଇ ନାବାଳିକାଙ୍କ ପାଇଁ ସ୍ଵର ଉଠାଉ ନାହି ଓ ନୀରବ ରହିଛି ତାହାକୁ ନେଇ ସରକାରଙ୍କ ଉପରେ ବରଷିଛନ୍ତି ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତା ମାନେ। ତେବେ ଏହି ନ୍ୟାୟ ସତ୍ୟାଗ୍ରହ ଆବାହକ ଶରତ ବୁରୁଦା କହିଛନ୍ତି ଯେ ଉଭୟ ନାବାଳିକାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି, ଏହା ସହ ଗଣ ଦୁଷ୍କର୍ମ ମଧ୍ୟ କରାଯାଇଛି। ଏହି ଘଟଣାରେ କିଛି ବଡ ବଡିଆଙ୍କ ପିଲାଏ ସମ୍ପୃକ୍ତ ଥିବା ବେଳେ ସେମାନେ ସରକାରୀ ଦଳର ଛତ୍ର ଛାୟାରେ ସୁରକ୍ଷିତ ରହିଥିବା ନେଇ ଶ୍ରୀ ବୁରୁଦା ଅଭିଯୋଗ ଆଣିଛନ୍ତି। ଏହା ସହ ପଞ୍ଚନାମା ସମୟରେ ଥିବା ସାଖି ମାନେ ତାଙ୍କୁ ଯେଉଁ ତଥ୍ୟ ଦେଇଛନ୍ତି ତାହା ଘଟଣାକୁ ହତ୍ୟା ଓ ଦୁଷ୍କର ଆଡକୁ ଇଙ୍ଗିତ କରିଛି। ଏପରିକି ଶ୍ରୀ ବୁରୁଦା ଏନେଇ କାଲିମେଳା ସ୍ୱାସ୍ଥ୍ୟ କେନ୍ଦ୍ରର କିଛି ଡାକ୍ତରଙ୍କ ସହ ମୌଖିକ ରୂପେ ଆଲୋଚନା ବେଳେ ସେମାନେ ମଧ୍ୟ ଘଟଣାକୁ ହତ୍ୟା ଓ ଦୁଷ୍କର୍ମ ହୋଇଥିବା ଅନୁମାନ କରୁଥିବା ପ୍ରକାଶ କରିଥିବା ବେଳେ ଶବ ବ୍ୟବଛେଦ ରିପୋର୍ଟରେ କିନ୍ତୁ ସେପରି କୌଣସି ତଥ୍ୟ ସାମ୍ନାକୁ ନଆଶିବା ସନ୍ଧେହ ସୃଷ୍ଠୀ କରୁଛି ବୋଲି ସେ ଅଭିଯୋଗ ଆଣି ଘଟଣାର ସିବିଆଇ କିମ୍ବା ଉଚ୍ଚସ୍ତରୀୟ ତଦନ୍ତ ପାଇଁ ସେ ଦାବି କରିଛନ୍ତି। ତେବେ ଧାରଣାରତ ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତାଙ୍କ ସହ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଲୋଚନା କରିଥିବା ବେଳେ ଏହାର କୌଣସି ନିଷ୍କର୍ଷ ବାହାରି ନଥିବାରୁ ଏହି ନ୍ୟାୟ ସତ୍ୟାଗ୍ରହ ଜାରି ରହିଛି। ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମଭି ୭୨ ନୋଡାଲ ପ୍ରାଥମିକ ବିଦ୍ୟାଳୟର ଦୁଇ ନାବାଳିକା ଛାତ୍ରୀ ମନ୍ଦିରା ସୋଡି ଏବଂ ଜ୍ୟୋତି ହାଲଦାର ବିଦ୍ୟାଳୟରୁ ଗତ ଫେବ୍ରୁଆରି ୬ ତାରିଖରୁ ନିଖୋଜ ହୋଇଥିବା ବେଳେ ୮ ତାରିଖ ଦିନ ଉଭୟଙ୍କ ଝୁଲନ୍ତା ମୃତ ଦେହ ମୋଟୁ ଥାନା ଅଞ୍ଚଳରୁ ଉଦ୍ଧାର ହୋଇଥିଲା। ନିଖୋଜ ସମୟରେ ପରିବାର ଲୋକଙ୍କ ପକ୍ଷରୁ ଏମଭି ୭୯ ଥାନାରେ ନିଖୋଜ ନେଇ ମାମଲା ରୁଜ୍ଜୁ ହୋଇଥିବା ବେଳେ ମୃତ ଦେହ ଉଦ୍ଧାର ପରେ ହତ୍ୟା ନେଇ ପରିବାର ଲୋକେ ମୋଟୁ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଏହି ଘଟଣାକୁ ନେଇ ପୀଡ଼ିତାଙ୍କ ପରିବାରଙ୍କୁ ଉପଯୁକ୍ତ ନ୍ୟାୟ ଦେଵା ଦାବି ନେଇ ମାଲକାନଗିରି ଜିଲ୍ଳାର ବିଭିନ୍ନ ସଙ୍ଗଠନର ସଦସ୍ୟ ମାନେ ରାଜ ରାସ୍ତାକୁ ଓହ୍ଲାଇଛନ୍ତି।
