ଯାତ୍ରୀବାହୀ ଵସରୁ ଖସି ଯୁବକ ଗୁରୁତର…


ହିଞ୍ଜିଳିକାଟୁ, ୨୬।୩: ହିଞ୍ଜିଳିକାଟୁ ବସ୍ ଟର୍ମିନାଲ ପରିସରରେ ଯାତ୍ରୀବାହୀ ବସରେ ଜଣେ ଯୁବକ ଚଢୁଥିବା ବେଳେ ଅସାବଧାନତା ବଶତଃ ଖସିପଡିଛନ୍ତି। ଯୁବକଙ୍କ ଡାହାଣ ଗୋଡ ଉପର ବସ୍ ପଛ ଚକା ମାଡିଯିବାରୁ ଯୁବକ ଜଣଙ୍କ ଗୁରୁତର ଆହତ ହୋଇଛନ୍ତି। ଆହତ ଜଣଙ୍କ ହେଲେ ଧରାକୋଟ ଥାନା ଜଗନ୍ନାଥପୁର ଶାସନ ଗ୍ରାମର ସୂର୍ଯ୍ୟ ନାରାୟଣ ମୁନି(୨୯) । ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନ୍ସ ଯୋଗେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଖବର ପାଇ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୂର୍ଘଟଣାଗ୍ରସ୍ତ ଯାତ୍ରୀବାହୀ ବସକୁ ଜବତ କରିବା ସହ ଚାଳକଙ୍କୁ ଅଟକ ରଖି ଘଟଣାର ତଦନ୍ତ ଚଳାଇଛି। ପ୍ରକାଶ ଯେ, ବୁଧବାର ସକାଳେ ବିଡିପୁର ଠାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ ଘରୋଇ ଯାତ୍ରୀବାହୀ ବସ୍ (ଓଡି୩୨ଇ ୩୧୫୫) ହିଞ୍ଜିଳିକାଟୁ ବସ୍ ଟର୍ମିନାଲ ପରିସରରେ ଯାତ୍ରୀଙ୍କୁ ଓହ୍ଲାଇବା ପରେ ଯୁବକ ଜଣଙ୍କ ବସରେ ଚଢିଥିଲେ। ସେହି ସମୟରେ ହଠାତ୍ ବସ୍ ଛାଡିଦେବାରୁ ଯୁବକ ଜଣଙ୍କ ବସରୁ ତଳକୁ ଖସି ପଡ଼ିଥିଲେ। ଯୁବକଙ୍କ ଗୋଡ ଉପରେ ବସର ପଛଚକା ମାଡିଯିବାରୁ ଯୁବକ ଜଣଙ୍କ ଗୁରୁତର ଆହତ ହୋଇଥିଲେ।‌ ପ୍ରକାଶ ଥାଉକି, ବହୁ ସମୟରେ ଯାତ୍ରୀବାହୀ ବସ୍ ମାନଙ୍କ ମଧ୍ୟରେ ପ୍ରତିଯୋଗିତା ମୂଳକ ଭାବେ ଗାଡି ଚାଳନା କରୁଥିବାବେଳେ ବିଭିନ୍ନ ସମୟରେ ଏଭଳି ଅଘଟଣ ଘଟୁଥିବା ନଜିର ରହିଛି। ଏପରିକି ବହୁ ଯାତ୍ରୀବାହୀ ବସ୍ ଫୁଲବାଣୀ, ଭଞ୍ଜନଗର, ଆସିକା, ସୋରଡା ପ୍ରଭୃତି ଅଞ୍ଚଳରୁ ଆସି ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ ହିଞ୍ଜିଳିକାଟୁ ବସ୍ ଟର୍ମିନାଲ ପରିସରକୁ ନଯାଇ ୫୯ ନଂ ଜାତୀୟ ରାଜପଥ ଉପରେ ରଖି ଯାତ୍ରୀଙ୍କୁ ଓହ୍ଲାଇବା ବେଳେ ଗୁରୁତର ଟ୍ରାଫିକ ସମସ୍ୟା ସୃଷ୍ଟି ହେବା ସହ ବହୁ ସମୟରେ ଛୋଟବଡ ଦୂର୍ଘଟଣା ଘଟି ବହୁ ଧନଜୀବନ ନଷ୍ଟ ହେଉଥିବା ଦେଖିବାକୁ ମିଳିଛି। ଏ ଦିଗରେ ପୁଲିସ ପ୍ରଶାସନ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

nis-ad
Leave A Reply

Your email address will not be published.