ମାଲକାନଗିରି : ଜିଲ୍ଲା ସ୍ୱାଭିମାନ ଅଞ୍ଚଳ ଓ କାଲିମେଳା ବ୍ଲକର ବିଭିନ୍ନ ବିଦ୍ୟାଳୟର ହଷ୍ଟେଲ ଗୁଡ଼ିକ ରେ ଶିକ୍ଷା ଦାନ ପାଇଁ କାର୍ଯ୍ୟରତ କୋଣ୍ଡାରେଡି ଭାଷା ଶିକ୍ଷକ ଙ୍କ ପକ୍ଷରୁ ବିଭିନ୍ନ ଦାବି ନେଇ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଜିଲ୍ଲାର ସ୍ୱାଭିମାନ ଅଞ୍ଚଳରେ ଥିବା କୁରୁମନୁର, ପାପୁଲୁର ଓ କାଲିମେଳା ବ୍ଲକ ର ଗୋଟିଏ ବିଦ୍ୟାଳୟ ଭଳି ମୋଟ ୫ଟି ବିଦ୍ୟାଳୟ ରେ ଏହି କୋଣ୍ଡା ରେଡି ଭାଷା ପାଇଁ ସ୍ୱତନ୍ତ୍ର ଶିକ୍ଷକ ଗତ ୧୩ବର୍ଷ ପୂର୍ବେ କାର୍ଯ୍ୟରେ ଯୋଗ ଦେଇଥିଲେ। ତେବେ ଏହି ଶିକ୍ଷକ ମାନେ ପ୍ରଥମେ ୩୦୦୦ ଟଙ୍କା ବେତନ ଓ ପରେ ୫୦୦୦ ଟଙ୍କା ବେତନ ପାଇ ଆସୁଛନ୍ତି। ତେବେ ଦୀର୍ଘ ୧୩ ବର୍ଷ ଧରି ୧୦ଜଣ ଶିକ୍ଷକ କାର୍ଯ୍ୟ କରି ଆସୁଥିବା ବେଳେ ଏହି ସ୍ୱଳ୍ପ ବେତନ ରେ ସେମାନେ ଚଳିବା କଷ୍ଟକର ହୋଇପଡିଛି। ଏଣୁ ଦରମା କୁ ଦଶ ହଜାରରୁ ଉର୍ଦ୍ୱ ଦରମା ସହ ଚାକିରୀ କୁ ସ୍ଥାୟୀ କରିବା ଦାବି କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ଜିଲ୍ଲା କୋଣ୍ଡା ରେଡି ସଙ୍ଘର ସଭାପତି ରାମା ରାଓ ମାଝୀ ଓ ସମ୍ପାଦକ ଶ୍ରୀ ଗୁରୁ ପାପା ରାଓ ଙ୍କ ନେତୃତ୍ୱରେ ରେ ଏହି ଶିକ୍ଷକ ଓ ଗ୍ରାମବାସୀ ମାନେ ପହଁଚି ଏକ ଦାବିପତ୍ର ଦେଇଛନ୍ତି। ଏହାସହ ଜିଲ୍ଲା ମଙ୍ଗଳ ଅଧିକାରୀ ଓ ଶିକ୍ଷା ଅଧିକାରୀ ଙ୍କୁ ଭେଟି ମଧ୍ୟ ଏହି ଦାବିପତ୍ର ପ୍ରଦାନ କରିଛନ୍ତି।
