ସୁନ୍ଦରଗଡ ଟିଙ୍କରିଙ୍ଗ ଫେଷ୍ଟ ୨୦୨୫…


ସୁନ୍ଦରଗଡ – ୨୯.୦୩.୨୫ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ସହଯୋଗରେ ସୁନ୍ଦରଗଡ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଦ୍ଵାରା ଆୟୋଜିତ ସୁନ୍ଦରଗଡ ଟିଙ୍କରିଙ୍ଗ ଫେଷ୍ଟ ୨୦୨୫ ଆଜି ସ୍ଥାନୀୟ ସାଧ୍ୱୀ ମେରି ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇ ଯାଇଛି। ଏହି ଉତ୍ସବର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଅମୂଲ୍ୟ କୁମାର ପଧାନ, ଜିଲ୍ଲା ଶିକ୍ଷା ଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷା ଶ୍ରୀମତୀ ଲିପିକା ବେହେରା , ସାଧ୍ୱୀ ମେରି ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ସୁଶ୍ରୀ ପାଟ୍ରିଶିଆ ଲାକ୍ରା ଓ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶ୍ରୀଯୁକ୍ତ ଚନ୍ଦ୍ର ଶେଖର ସା ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡର ବିଭିନ୍ନ ବିଦ୍ୟାଳୟରୁ ଅନ୍ ଲାଇନ୍ ମାଧ୍ୟମରେ ଚୟନ ହୋଇ ଆସିଥିବା ୨୯ ଟି ବିଦ୍ୟାଳୟର ଛାତ୍ର ଛାତ୍ରୀ ପ୍ରକଳ୍ପ ଉପସ୍ଥାପନ କରିଥିଲେ। ଏହି ଅବସରରେ ପ୍ରକଳ୍ପ ଗୁଡ଼ିକୁ ଅତିଥି ମାନଙ୍କ ବ୍ୟତୀତ ସ୍ଥାନୀୟ ବିଦ୍ୟାଳୟର ଛାତ୍ରୀ ଓ ଅଭିଭାବକ ପରିଦର୍ଶନ କରିଥିଲେ। ଏହି କାର୍ଯ୍ୟକ୍ରମ ଶିକ୍ଷାର୍ଥୀଙ୍କ ମନରେ ସୃଜନୀ ଶକ୍ତି, ସମାଲୋଚାନାତ୍ମକ ଚିନ୍ତା ଓ ସମସ୍ୟା ସମାଧାନ, ଦଳଗତ କାର୍ଯ୍ୟ ଓ ନବସୃଜନର ବିକାଶ ସହିତ ଗ୍ରାମାଞ୍ଚଳ ଓ ଅପହଞ୍ଚ ଅଞ୍ଚଳର ଛାତ୍ର ଛାତ୍ରୀ ଙ୍କୁ ସମାବେଶ କରିଛି ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବରେ ସୁନ୍ଦରଗଡ ଜିଲ୍ଲାପାଳ ଶ୍ରୀଯୁକ୍ତ ମନୋଜ ସତ୍ୟବାନ୍ ମହାଜନ ଉପସ୍ଥିତ ରହି ଶିକ୍ଷାର୍ଥୀ ତଥା ପ୍ରତିଯୋଗୀମାନଙ୍କୁ ଆଗାମୀ ଦିନରେ ପ୍ରଯୁକ୍ତି ବିଦ୍ୟାର ଉପାଦେୟତା ଉପରେ ଗୁରୁତ୍ଵ ଆରୋପ କରି ନିଜକୁ ସେହି ସ୍ରୋତ ରେ ସାମିଲ କରିବା ପାଇଁ ଉପଦେଶ ଦେଇଥିଲେ। ଶେଷରେ ଚୟନକର୍ତ୍ତାଙ୍କ ଦ୍ଵାରା ମନୋନୀତ ତିନୋଟି ବିଦ୍ୟାଳୟକୁ ପୁରସ୍କୃତ କରାଯାଇଥିଲା। ଏଥିରେ କୋଏଲ ବିଦ୍ୟାପୀଠ,ରାଉରକେଲା; ନାରାୟଣ ନୋଡାଲ ହାଇସ୍କୁଲ,ସାନ ଘୁମୁଡ଼ା ଓ ବିମଳାଦେବୀ ହାଇସ୍କୁଲ, ଲାଇଙ୍ଗ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରି ଜିଲ୍ଲାପାଳଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ। ଏହି ଅବସରରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନର ମୁଖ୍ୟ ନିର୍ବାହୀ ଅଧିକାରୀ ଶ୍ରୀମତୀ ସୁଷମା ବିଲୁଙ୍ଗ ଉପସ୍ଥିତ ରହି ଶିକ୍ଷାର୍ଥୀ ମାନଙ୍କ ଉତ୍ସାହ ବର୍ଦ୍ଧନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଭବାନୀ ଶଙ୍କର ସରକାରୀ ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟତ୍ରୀ ଶ୍ରୀମତୀ ସୁସ୍ମିତା ଯୋଷୀ ମଞ୍ଚ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ସମ୍ପାଦନା କରିବାରେ ଶ୍ରୀଯୁକ୍ତ ଚନ୍ଦ୍ରଶେଖର ସାହୁ କାର୍ଯ୍ୟ ନିର୍ବାହୀ ଜିଲ୍ଲା କ୍ରୀଡା ନିରୀକ୍ଷକ ଓ ତାଙ୍କ ସହଯୋଗୀ କ୍ରୀଡା ଶିକ୍ଷକ ଓ ଶିକ୍ଷୟତ୍ରୀ ତଥା ସ୍ଥାନୀୟ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ସହାୟତା କରିଥିଲେ। ଶେଷରେ ଜିଲ୍ଲା ଶିକ୍ଷା ଅଧିକାରୀ ସମସ୍ତଙ୍କୁ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଧନ୍ୟବାଦ୍ ଜଣାଇଥିଲେ।

nis-ad
Leave A Reply

Your email address will not be published.